ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଧିକାରୀ ଭାସ୍କର ଜ୍ୟୋତି ଶର୍ମାଙ୍କୁ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମ (ଓଏଫ୍ଡିସି) ର ନୂଆ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବରିଷ୍ଠ ତଥା ୧୯୯୯ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଭାସ୍କର ଜ୍ୟୋତି ଶର୍ମାଙ୍କୁ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମ(ଓଏଫଡିସି)ର ନୂଆ ଅଧ୍ୟକ୍ଷ ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେ ଏବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ସଚିବ ଭାବରେ କାର୍ଯ୍ୟରତ ଥିବାବେଳେ ଓଏସ୍ବିସିଏଲ୍ର ଅଧ୍ୟକ୍ଷ ଏବଂ ଓପିଟିସିଏଲର ସିଏମ୍ଡି ଭାବେ ଅତିରିକ୍ତ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ୧୯୯୫ ବ୍ୟାଚର ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀ, ଯିଏକି ପୂର୍ବରୁ ଓଏଫଡିସିର ଅଧ୍ୟକ୍ଷ ଥିଲେ, ତାଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ‘ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି’ ଭାବରେ ନିଯୁକ୍ତ କରାଯିବାର କିଛି ଦିନ ପରେ ଶର୍ମାଙ୍କୁ ଏହି ନୂତନ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।


