ନୂଆଦିଲ୍ଲୀ: ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ତଥା ପ୍ରସିଦ୍ଧ ପିସ୍ତଲ୍ ଶୁଟର୍ ମନୁ ଭାକର ଆନ୍ତର୍ଜାତୀୟ ସୁଟିଂ ସ୍ପୋର୍ଟ୍ସ ଫେଡେରେସନ୍ (ଆଇଏସ୍ଏସ୍ଏଫ୍) ର ଆଥ୍ଲେଟ୍ସ କମିଟିକୁ ନିର୍ବାଚିତ ହୋଇଛନ୍ତି। ୨୦୨୬ରୁ ୨୦୩୦ ପର୍ଯ୍ୟନ୍ତ ହେବାକୁଥିବା ଏହି କାର୍ଯ୍ୟକାଳ ପାଇଁ ସେ ବିଶ୍ୱର ବିଭିନ୍ନ ପ୍ରାର୍ଥୀଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି।
ଶୁଟିଂର ଏହି ଇଭେଣ୍ଟ୍ର ପ୍ରତିନିଧିତ୍ୱ କରୁଥିବା ଦୁଇଟି ପଦ ପାଇଁ ନିର୍ବାଚନ ଲଢ଼ୁଥିବା ୧୦ ପ୍ରାର୍ଥୀଙ୍କ ମଧ୍ୟରେ ଅନ୍ୟତମ ଥିଲେ। ଚଳିତ ମାସ ପ୍ରାରମ୍ଭରେ ପ୍ରାର୍ଥିପତ୍ର ଦାଖଲ ବେଳେ ମନୁ ଖେଳାଳିମାନଙ୍କୁ କେନ୍ଦ୍ରରେ ରଖି ଖେଳର ବିକାଶ ଦୃଷ୍ଟିକୋଟ ଉପସ୍ଥାପିତ କରିଥିଲେ। ସେ ସାରା ବିଶ୍ୱର ଶୁଟର୍ମାନଙ୍କ ପାଇଁ ଅଧିକ ସହଯୋଗପୂର୍ଣ୍ଣ, ମଜଭୁତ ଏବଂ ପ୍ରଗତିଶୀଳ ପରିବେଶ ପ୍ରସ୍ତୁତ ଉପରେ ଜୋର୍ ଦେଇଥିଲେ। ତାଙ୍କ ପ୍ରମୁଖ ପ୍ରାଥମିକତା ମଧ୍ୟରେ ଅଲିମ୍ପିକ୍ କାର୍ଯ୍ୟକ୍ରମରେ ପୁରୁଷ ୨୫ ମିଟର ର୍ୟାପିଡ୍ ଫାୟର୍ ପିସ୍ତୁଲ ଇଭେଣ୍ଟ୍କୁ ବଜାୟ ରଖିବା ଏବଂ ଏହାର ଦୀର୍ଘକାଳୀନ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ପ୍ରୟାସ ସାମିଲ ଥିଲା। ଏହା ବ୍ୟତୀତ ସେ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ରେ ଖେଳାଳିମାନଙ୍କ ପାଇଁ ଉନ୍ନତ ପୁରସ୍କାର ରାଶିର ମଧ୍ୟ ଦାବି କରିଥିଲେ।
ଏହା ପୂର୍ବରୁ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ୨୦୧୦ରୁ ୨୦୨୦ ପର୍ଯ୍ୟନ୍ତ ଆଇଏସ୍ଏସ୍ଏଫ୍ ଆଥ୍ଲେଟ୍ସ କମିଟିର ସଦସ୍ୟ ରହିଥିଲେ। ସେ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ କମିଟିର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ ଏହି ପଦରେ ପହଞ୍ଚିବାରେ ପ୍ରଥମ ଭାରତୀୟ ହୋଇଥିଲେ। ବିନ୍ଦ୍ରାଙ୍କୁ ପରେ ଶୁଟିଂ ସ୍ପୋର୍ଟ୍ସରେ ତାଙ୍କ ଯୋଗଦାନ ପାଇଁ ଆଇଏସ୍ଏସ୍ଏଫ୍ ବ୍ଲୁ-କ୍ରସ୍ ସମ୍ମାନରେ ସମ୍ମାନିତ କରାଯାଇଥିଲା।


