ମାନିଲା: ମଝି ଆକାଶରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଟଳିଯାଇଛି। ହଂକଂରୁ ପାପୁଆ ନିଉଗିନି ଅଭିମୁଖେ ଯାତ୍ରା କରୁଥିବା ‘ଏୟାର ନିଉଗିନି’ର ଏକ ଯାତ୍ରୀବାହୀ ବିମାନର ଇଞ୍ଜିନରେ ନିଆଁ ଲାଗିଥିବା ସଙ୍କେତ ମିଳିବା ପରେ ଶନିବାର ଦକ୍ଷିଣ ଫିଲିପାଇନ୍ସରେ ଏହାର ଜରୁରୀକାଳୀନ ଅବତରଣ କରାଯାଇଛି। ବିମାନରେ ଥିବା ସମସ୍ତ ୧୩୭ ଜଣ ଯାତ୍ରୀ ଏବଂ ୯ ଜଣ କର୍ମଚାରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ବେଳେ କାହାରି କୌଣସି କ୍ଷତି ହୋଇନଥିବା ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବୋଇଂ ୭୬୭-୩୮୩ଇଆର୍ ବିମାନଟି ନିଜର ନିର୍ଦ୍ଧାରିତ ମାର୍ଗରେ ଯାଉଥିବା ବେଳେ ଶନିବାର ମଧ୍ୟରାତ୍ରିର ଠିକ୍ ପରେ ଏହାର ଡାହାଣ ଇଞ୍ଜିନରେ ନିଆଁ କିମ୍ବା ସ୍ଫୁଲିଙ୍ଗ ସୃଷ୍ଟି ହୋଇଥିବା ନେଇ ସତର୍କ ସୂଚନା ପ୍ରଣାଳୀରୁ ସଙ୍କେତ ମିଳିଥିଲା। ପରିସ୍ଥିତିର ଗମ୍ଭୀରତାକୁ ଉପଲବ୍ଧି କରି ପାଇଲଟମାନେ ତୁରନ୍ତ ସୁରକ୍ଷା ନିୟମାବଳୀ ଅନୁସରଣ କରିଥିଲେ ଏବଂ ନିଜର ଗତିପଥ ବଦଳାଇ ଫିଲିପାଇନ୍ସର ଦାଭାଓ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଣନିର୍ଦ୍ଧାରିତ ଓ ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ମାଗିଥିଲେ।
ଅନୁମତି ମିଳିବା ପରେ ବିମାନଟି ଦାଭାଓ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ଅବତରଣ କରିବା ମାତ୍ରେ ଜରୁରୀକାଳୀନ ଖସଡ଼ା ବା ସ୍ଲାଇଡ୍ ସହାୟତାରେ ବିମାନ ଭିତରେ ଥିବା ସମସ୍ତ ୧୪୬ ଜଣଙ୍କୁ ତୁରନ୍ତ ବାହାରକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ସମସ୍ତ ଯାତ୍ରୀ ଓ ବିମାନ କର୍ମଚାରୀଙ୍କୁ ବିମାନବନ୍ଦର ଟର୍ମିନାଲକୁ ନିଆଯାଇଥିଲା, ଯେଉଁଠାରେ ସେମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବା ସହ ହୋଟେଲରେ ରହିବା ବ୍ୟବସ୍ଥା କରାଯାଇଥିଲା। ତେବେ ପ୍ରାଥମିକ ଭାବେ ବିମାନର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ଏହି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ଦାଭାଓ ବିମାନବନ୍ଦର କର୍ତ୍ତୃପକ୍ଷ କିଛି ସମୟ ପାଇଁ ଅନ୍ୟ ସମସ୍ତ ବିମାନ ଚଳାଚଳକୁ ସାମୟିକ ଭାବେ ସ୍ଥଗିତ ରଖିଥିଲେ। ଫଳରେ ଦୁଇଟି ଘରୋଇ ବିମାନର ଅବତରଣକୁ ବାତିଲ କରିବାକୁ ପଡ଼ିଥିଲା। ମୁଖ୍ୟ ରନୱେର ସମ୍ପୂର୍ଣ୍ଣ ସୁରକ୍ଷା ଯାଞ୍ଚ ଶେଷ ହେବା ପରେ ବିମାନବନ୍ଦରରେ ପୁଣିଥରେ ସ୍ୱାଭାବିକ ଭାବେ ବିମାନ ଚଳାଚଳ ଆରମ୍ଭ ହୋଇଛି। ଫିଲିପାଇନ୍ସ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ମୁଖପାତ୍ର ଏରିକ୍ ଆପୋଲୋନିଓ କହିଛନ୍ତି ଯେ, ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ଏବଂ ଏଥିରେ ବିମାନର ପାଇଲଟମାନଙ୍କ ବୟାନ ମଧ୍ୟ ରେକର୍ଡ କରାଯିବ।


