ଭୁବନେଶ୍ବର: ବାତ୍ୟାଜନିତ କ୍ଷୟକ୍ଷତିର ଆକଳନ ଆସନ୍ତାକାଲିଠାରୁ ଆରମ୍ଭ ହେବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କେଉଁଠି କେତେ କ୍ଷତି ହୋଇଛି, ତାହାର ସବିଶେଷ ତଥ୍ୟ ସଂଗ୍ରହ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଚାଷ ଜମିରେ ହୋଇଥିବା କ୍ଷତିକୁ ପ୍ରାଥମିକତା ଦିଆଯିବ। ପାଚିଲା ଧାନ ଓ ପନିପରିବା ଫସଲ କେତେ ନଷ୍ଟ ହୋଇଛି, ତାହା କ୍ଷେତ୍ର ସ୍ତରରେ ଯାଞ୍ଚ କରାଯିବ। ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ଇନ୍ପୁଟ୍ ସବ୍ସିଡି ମିଳିବ। ଏହା ସହ ଘର, ରାସ୍ତା, ବିଦ୍ୟୁତ୍ ଖୁଣ୍ଟ, ପାନୀୟ ଜଳ ଯୋଗାଣ ଓ ଗଛ ଭାଙ୍ଗିବା ଭଳି କ୍ଷତିର ମଧ୍ୟ ହିସାବ କରାଯିବ ବୋଲି ସେ କହିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି ଯେ କ୍ଷତିଗ୍ରସ୍ତ ଚାଷୀ ଓ ପରିବାରଙ୍କୁ ସରକାରୀ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ ଏବଂ କେହି ବି କ୍ଷତିଗ୍ରସ୍ତ ବାଦ୍ ପଡ଼ିବେ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଆକଳନ କାମ ଶୀଘ୍ର ସାରି ରିପୋର୍ଟ ଦେବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ବାତ୍ୟା ପରେ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ଅଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି। କ୍ଷୟକ୍ଷତି ଆକଳନ ରିପୋର୍ଟ ଆସିବା ପରେ ଆଗାମୀ ପଦକ୍ଷେପ ନିଆଯିବ। ଲୋକଙ୍କୁ ଧୈର୍ଯ୍ୟ ରଖିବାକୁ ଓ ପ୍ରଶାସନକୁ ସହଯୋଗ କରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି।


