ସୋନପୁର: ଯେଉଁ ଘରେ ଦିନେ ହସଖୁସିରେ ସମୟ ବିତୁଥିଲା, ଆଜି ସେହି ଘରେ ଛାଇଯାଇଛି ନିରବତା। ବାପାଙ୍କୁ ହରାଇବା ପରେ ମା’ ମଧ୍ୟ ଜେଲ୍ରେ। ଫଳରେ ମାତ୍ର ୧୪ ବର୍ଷର ଝିଅ ଓ ୧୧ ବର୍ଷର ପୁଅଙ୍କ ମୁଣ୍ଡ ଉପରୁ ଉଠିଯାଇଛି ପାରିବାରିକ ସ୍ନେହ ଓ ସୁରକ୍ଷାର ଛାୟା। ସ୍ୱାମୀ ସୁଦାମ ନାଗଙ୍କ ହତ୍ୟା ଷଡ଼ଯନ୍ତ୍ର ମାମଲାରେ ପତ୍ନୀ କବିତା ନାଗ ତାଙ୍କ ଦୁଇ ପ୍ରେମିକଙ୍କ ସହ ଜେଲ୍ ଯିବା ପରେ ଏବେ ଅସହାୟ ହୋଇପଡ଼ିଛନ୍ତି ଦୁଇ ନାବାଳକ ସନ୍ତାନ। ଶେଷରେ ଡୁଙ୍ଗୁରିପାଲି ପୁଲିସର ସୂଚନା ପରେ ଜିଲ୍ଲା ଚାଇଲ୍ଡ ହେଲ୍ପଲାଇନ୍ ପକ୍ଷରୁ ଉଭୟଙ୍କୁ ଉଦ୍ଧାର କରାଯାଇଛି।
ସୁଦାମ ନାଗଙ୍କ ହତ୍ୟା ଷଡ଼ଯନ୍ତ୍ର ମାମଲାରେ ପତ୍ନୀ କବିତା ନାଗ ଓ ତାଙ୍କ ଦୁଇ ପ୍ରେମିକ ଗିରଫ ହୋଇ ଜେଲ୍ ଯାଇଛନ୍ତି। ଏହାପରେ ଘରେ ରହିଯାଇଥିବା ୧୪ ବର୍ଷର ଝିଅ ଓ ୧୧ ବର୍ଷର ପୁଅଙ୍କ ଯତ୍ନ ନେବାକୁ କେହି ନଥିବା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏନେଇ ଡୁଙ୍ଗୁରିପାଲି ଥାନା ପକ୍ଷରୁ ଚାଇଲ୍ଡ ହେଲ୍ପଲାଇନ୍କୁ ସୂଚନା ଦିଆଯାଇଥିଲା
ସୂଚନା ପାଇବା ପରେ ଚାଇଲ୍ଡ ହେଲ୍ପଲାଇନ୍ ଡିପିସି ସୁଜିତ ମିଶ୍ର, କାଉନସେଲର ସୁଧର ଦାଶ, ରାମପୁର ଥାନା ଆଇଆଇସି ବିନୋଦିନୀ ବରିହା ଓ ଡୁଙ୍ଗୁରିପାଲି ଥାନା ଆଇଆଇସି ରୋଜାଲିନ ପଟେଲଙ୍କ ଉପସ୍ଥିତିରେ ଉଭୟ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ସମୟରେ ଘରୁ ସୁନା ଓ ରୁପା ଅଳଙ୍କାର ସହିତ ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ଜରୁରୀ ଦସ୍ତାବିଜ ମଧ୍ୟ ମିଳିଥିଲା।
ଘରୁ ଗୋଟିଏ ସୁନା ନେକଲେସ୍, ଚାରିଟି ଚୁଡ଼ି, ଦୁଇଟି କାନ ରିଙ୍ଗ୍, ତିନିଟି କାନଫୁଲ, ଗୋଟିଏ ଲକେଟ୍ ସହ ବିଭିନ୍ନ ରୁପା ଅଳଙ୍କାର ଉଦ୍ଧାର କରାଯାଇଥିଲା। ଏହାବ୍ୟତୀତ ନଗଦ ୯୯ ହଜାର ୪୦୦ ଟଙ୍କା, ଚାରିଟି ବୀମା ବଣ୍ଡ୍ ଓ ଅନ୍ୟାନ୍ୟ ଦସ୍ତାବିଜ ମିଳିଥିଲା। ଉଦ୍ଧାର ସାମଗ୍ରୀଗୁଡ଼ିକୁ ସୁରକ୍ଷିତ ରଖିବା ସହ ଦୁଇ ଶିଶୁଙ୍କୁ ଶିଶୁ ମଙ୍ଗଳ ସମିତିରେ ହାଜର କରାଯାଇଥିଲା।
ଶିଶୁ ମଙ୍ଗଳ ସମିତିରେ ହାଜର କରାଯିବା ପରେ ଉଭୟ ନାବାଳକଙ୍କୁ ସୋନପୁର ସହରସ୍ଥିତ ଉତ୍କଳ ବାଳାଶ୍ରମରେ ଥଇଥାନ କରାଯାଇଛି। ଏବେ ସେଠାରେ ସେମାନଙ୍କ ରହିବା ଓ ଯତ୍ନ ନେବାର ବ୍ୟବସ୍ଥା କରାଯାଇଛି। ଏପଟେ ଏକ ହତ୍ୟା ଷଡ଼ଯନ୍ତ୍ର ଘଟଣାର ପରିଣାମରେ ଦୁଇ ନିଷ୍ପାପ ଶିଶୁଙ୍କ ଜୀବନରେ ଦେଖାଦେଇଥିବା ଏହି ସଙ୍କଟ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।


