ନୂଆଦିଲ୍ଲୀ: ଶିଳ୍ପ ସଂସ୍ଥାଗୁଡ଼ିକର ବ୍ୟବସାୟିକ ସ୍ୱାର୍ଥ ଅପେକ୍ଷା ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇ ସୁପ୍ରିମକୋର୍ଟ ଗୁରୁବାର ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି। ଅତ୍ୟଧିକ ଚିନି, ଲୁଣ ଏବଂ ଚର୍ବିଯୁକ୍ତ ପ୍ୟାକେଟ୍ ଖାଦ୍ୟ ସାମଗ୍ରୀର ସମ୍ମୁଖ ଭାଗରେ ସ୍ପଷ୍ଟ ଓ ପୃଥକ୍ ଚିତ୍ରାତ୍ମକ ସତର୍କତା ଚିହ୍ନ ଲଗାଇବା ବାଧ୍ୟତାମୂଳକ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାହକମାନେ ଯେପରି ସହଜରେ ଅସ୍ୱାସ୍ଥ୍ୟକର ଖାଦ୍ୟ ପଦାର୍ଥକୁ ଚିହ୍ନିପାରିବେ, ସେଥିପାଇଁ ପ୍ରସ୍ତାବିତ ନିୟମାବଳୀକୁ କୋର୍ଟ ଅଧିକ କଡ଼ାକଡ଼ି କରିଛନ୍ତି।
ବିଚାରପତି ଜେ.ବି. ପାରଦିୱାଲା ଏବଂ ବିଚାରପତି କେ. ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ଖାଦ୍ୟ ନିୟାମକ ସଂସ୍ଥା ପକ୍ଷରୁ ପୂର୍ବରୁ ସମସ୍ତ ଉପାଦାନ ପାଇଁ ଗୋଟିଏ ମିଳିତ ସତର୍କତା ଚିହ୍ନ ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ସୁପ୍ରିମକୋର୍ଟ ଏହି ପ୍ରସ୍ତାବକୁ ପରିବର୍ତ୍ତନ କରି ଚିନ୍ତାର କାରଣ ପାଲଟିଥିବା ପ୍ରତ୍ୟେକ ଉପାଦାନ ପାଇଁ ଅଲଗା ଅଲଗା ଲାଲ୍ ରଙ୍ଗର ଷଡ଼ଭୁଜାକାର ସତର୍କତା ଚିହ୍ନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନିର୍ଦ୍ଦେଶ ଅନୁଯାୟୀ, ଯେଉଁ ସବୁ ପ୍ରସ୍ତୁତ ଖାଦ୍ୟ ପଦାର୍ଥରେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ପରିମାଣର ଚିନି, ଲୁଣ କିମ୍ବା ସନ୍ତୃପ୍ତ ଚର୍ବି ରହିଥିବ, ସେଗୁଡ଼ିକର ପ୍ୟାକେଟ୍ ଉପରେ ସମ୍ପୃକ୍ତ ଉପାଦାନ ଅନୁଯାୟୀ ସ୍ପଷ୍ଟ ଭାବେ ‘ଅତ୍ୟଧିକ ଚିନି’, ‘ଅତ୍ୟଧିକ ଲୁଣ’ କିମ୍ବା ‘ଅତ୍ୟଧିକ ଚର୍ବି’ ବୋଲି ସତର୍କତା ସୂଚନା ଲେଖାଯିବ। ଯଦି କୌଣସି ଖାଦ୍ୟରେ ଏକାଧିକ ଉପାଦାନ ନିର୍ଦ୍ଧାରିତ ମାତ୍ରାଠାରୁ ଅଧିକ ଥାଏ, ତେବେ ପ୍ରତ୍ୟେକ ପାଇଁ ପୃଥକ୍ ଭାବେ ଲାଲ୍ ରଙ୍ଗର ଷଡ଼ଭୁଜାକାର ସତର୍କତା ଚିହ୍ନ ରହିବ।
ଏହି ସତର୍କତା ଚିହ୍ନଗୁଡ଼ିକୁ ପ୍ୟାକେଟ୍ର ସମ୍ମୁଖ ଭାଗରେ ଏପରି ସ୍ପଷ୍ଟ ଭାବେ ପ୍ରଦର୍ଶିତ କରାଯିବ, ଯେପରି ଗ୍ରାହକମାନେ କୌଣସି ସାମଗ୍ରୀ କିଣିବା ସମୟରେ ପ୍ୟାକେଟ୍କୁ ଓଲଟାଇ ପଛପଟେ ଥିବା ଛୋଟ ଅକ୍ଷରର ପୋଷକ ତତ୍ତ୍ୱ ତାଲିକା ପଢ଼ିବା ପରିବର୍ତ୍ତେ ସାମ୍ନାରୁ ହିଁ ତାହାର ସ୍ୱାସ୍ଥ୍ୟଗତ ପ୍ରଭାବ ସମ୍ପରେ ଜାଣିପାରିବେ। ଦେଶରେ ବଢ଼ୁଥିବା ଜୀବନଶୈଳୀଜନିତ ରୋଗକୁ ନିୟନ୍ତ୍ରଣ କରିବା ଏବଂ ଉପଭୋକ୍ତାମାନଙ୍କୁ ସଚେତନ କରାଇବା ଦିଗରେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଏକ ବଡ଼ ପଦକ୍ଷେପ ଭାବେ ବିବେଚନା କରାଯାଉଛି।


