ଚେନ୍ନାଇ: ତାମିଲନାଡୁର ଜଣେ ମହିଳା ଆଇଏଏସ୍ (IAS) ଅଧିକାରୀଙ୍କ ସହ ଅସଦାଚରଣ ଏବଂ ଆପତ୍ତିଜନକ ମେସେଜ୍ ପଠାଇବା ଅଭିଯୋଗରେ ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗମ’ (TVK) ର କାଲାକୁରିଚି ବିଧାୟକ ସି. ଅରୁଲ ଭିଗ୍ନେଶଙ୍କୁ ପୋଲିସ ଗିରଫ କରିଛି। ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କ ନେତୃତ୍ୱାଧୀନ TVK ସରକାର ପାଇଁ ଏହି ଘଟଣା ଏକ ବଡ଼ ରାଜନୈତିକ ଝଟକା ସୃଷ୍ଟି କରିଛି।
ଅଭିଯୋଗ ଅନୁଯାୟୀ, ବିଧାୟକ ଅରୁଲ ଭିଗ୍ନେଶ ସମ୍ପୃକ୍ତ ମହିଳା ଆଇଏଏସ୍ ଅଧିକାରୀଙ୍କୁ ଆପତ୍ତିଜନକ ମେସେଜ୍ ପଠାଇବା ସହ ନିଶାସକ୍ତ ଅବସ୍ଥାରେ ତାଙ୍କ ସରକାରୀ ବାସଭବନକୁ ଯାଇ ଅଶାଳୀନ ବ୍ୟବହାର କରିଥିଲେ। ସୋସିଆଲ ମିଡିଆରେ ଏହି ଖବର ପ୍ରଥମେ ଭାଇରାଲ ହେବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଥିଲା। ବିଧାୟକ ଜଣକ ପୂର୍ବରୁ ଏହି ଅଭିଯୋଗକୁ ଖଣ୍ଡନ କରିଆସୁଥିଲେ ମଧ୍ୟ ପୋଲିସ ତାଙ୍କୁ ଗିରଫ କରିଛି।
ଏହି ଘଟଣା ଗତ ନଭେମ୍ବର ୯, ୨୦୨୬ ରୁ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ଡିଏମକେ (DMK) ସଂସଦୀୟ ଦଳର ନେତ୍ରୀ କାନିମୋଝି କରୁଣାନିଧି ସୋସିଆଲ ମିଡିଆ ‘X’ ରେ ଏକ ପୋଷ୍ଟ କରି TVK ବିଧାୟକଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉଠାଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ବିଜୟଙ୍କ ସ୍ପଷ୍ଟୀକରଣ ଦାବି କରିଥିଲେ। ଏହାର ପରଦିନ ଅର୍ଥାତ୍ ନଭେମ୍ବର ୧୦ ରେ ବିଧାୟକ ଅରୁଲ ଭିଗ୍ନେଶ ସମସ୍ତ ଅଭିଯୋଗକୁ ଖଣ୍ଡନ କରି ଏହାକୁ ବିରୋଧୀ ଦଳର ‘ଖରାପ ରାଜନୀତି’ ବୋଲି କହିଥିଲେ।
ନଭେମ୍ବର ୧୨ ତାରିଖରେ ଡିଏମକେ ପକ୍ଷରୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ସ୍ମାରକପତ୍ର ଦିଆଯାଇ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା ଏବଂ ଡିଏମକେ ସଭାପତି ଏମ.କେ. ଷ୍ଟାଲିନ ଦୋଷୀ ବିଧାୟକଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଆହ୍ୱାନ ଦେଇଥିଲେ। ଅନ୍ୟପଟେ, ସେହିଦିନ ତାମିଲନାଡୁର ଆଇନ ଓ ଶକ୍ତି ମନ୍ତ୍ରୀ ସି.ଟି.ଆର. ନିର୍ମଳ କୁମାର ବିଧାୟକଙ୍କ ସପକ୍ଷରେ ବାହାରି ସୋସିଆଲ ମିଡିଆ ଗୁଜବ ଆଧାରରେ କାନିମୋଝି ମନ୍ତବ୍ୟ ଦେବା ନିନ୍ଦନୀୟ ବୋଲି କହିଥିଲେ।
ନଭେମ୍ବର ୧୩ ରେ କାଲାକୁରିଚି ଜିଲ୍ଲା ଦାୟିତ୍ୱରେ ଥିବା ସାମାଜିକ ନ୍ୟାୟ ମନ୍ତ୍ରୀ ଭାନ୍ନି ଆରାସୁ କହିଥିଲେ ଯେ, ସରକାରୀ ସେବାରେ ଥିବା ମହିଳାମାନଙ୍କୁ ସୁରକ୍ଷା ଦେବା ସମସ୍ତଙ୍କର ଦାୟିତ୍ୱ ଏବଂ ତାଙ୍କ ଦଳ ସର୍ବଦା ପୀଡ଼ିତା ଓ ନ୍ୟାୟ ସପକ୍ଷରେ ଠିଆ ହୋଇଛି। ଏହାପରେ ନଭେମ୍ବର ୧୫ ତାରିଖରେ ଜାତୀୟ ମହିଳା କମିଶନ ଏହି ଘଟଣାରେ ନିଜ ଆଡ଼ୁ ମାମଲା ରୁଜୁ କରି ଡିଜିପିଙ୍କୁ ନିରପେକ୍ଷ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ କହିଥିଲେ। ଶେଷରେ ବଢୁଥିବା ରାଜନୈତିକ ଓ ଆଇନଗତ ଚାପ ମଧ୍ୟରେ ପୋଲିସ ବିଧାୟକ ଅରୁଲ ଭିଗ୍ନେଶଙ୍କୁ ଗିରଫ କରିଛି।


