Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଫେରିଲା ୨୫୦ କୋଟିର ଶ୍ରୀମନ୍ଦିର ଜମି
ବିଶେଷ ଖବର

ଫେରିଲା ୨୫୦ କୋଟିର ଶ୍ରୀମନ୍ଦିର ଜମି

November 27, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Rs 250-crore Srimandir land recovered
Rs 250-crore Srimandir land recovered

ଭୁବନେଶ୍ୱର: ଜଗନ୍ନାଥ ଶ୍ରୀମହାପ୍ରଭୁଙ୍କ ଖାତାକୁ ପୁଣି ୨୫୦ କୋଟି ଟଙ୍କାର ଜମି ଫେରିଛି। ଶ୍ରୀମନ୍ଦିର ଖାତାକୁ ପୁରୀ ଦାମୋଦରପୁର ଶାସନ ମୌଜାର ୫୨.୨୨ ଏକର ଜମି ଫେରିଛି। ୧୯୨୭ ମସିହାର ରାଜସ୍ୱ ରେକର୍ଡ ଆଧାରରେ ଏହି ଜମି ଫେରାଇ ଅଣାଯାଇଛି। ଓଡ଼ିଶା ରାଜସ୍ୱ ପର୍ଷଦ ସଦସ୍ୟ ସତ୍ୟବ୍ରତ ସାହୁଙ୍କ ହସ୍ତକ୍ଷେପ ପରେ ଏହି ପଦକ୍ଷେପ ନିଆଯାଇଛି।

ପୂର୍ବରୁ ୫୨.୨୨ ଏକର ଜମିର ୪୨ଟି ପ୍ଲଟ ଜନୈକ ବ୍ୟକ୍ତିଙ୍କ ନାମରେ ନାଁରେ ରେକର୍ଡ ହୋଇଥିଲା। ତେବେ ପୁରୁଣା ରାଜସ୍ୱ ରେକର୍ଡ ଯାଞ୍ଚ ପରେ ଏହି ଜମି ପୁଣି ମହାପ୍ରଭୁଙ୍କ ଖାତାକୁ ଫେରିଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ ହୋଇଥିବା ଏସ୍‌.ଆର.ପି. କେସ୍ ନଂ ୧୦୩/୨୦୨୩ରେ ବିସ୍ତୃତ ଶୁଣାଣି ଓ ତଥ୍ୟର ସମୀକ୍ଷା, ବିଭିନ୍ନ ରାଜସ୍ୱ ଦସ୍ତାବିଜର ଯାଞ୍ଚ ଏବଂ ଆଇନଗତ ତର୍ଜମା ପରେ ଏହି ରାୟ ପ୍ରକାଶ ପାଇଥିଲା। ଏହା କେବଳ ରାଜସ୍ୱ ରେକର୍ଡ ସଂଶୋଧନର ଏକ ମାମଲା ନୁହେଁ ; ବରଂ ମହାପ୍ରଭୁଙ୍କ ଦେବସମ୍ପତ୍ତିର ଐତିହାସିକ ଓ ଆଇନଗତ ସ୍ଥିତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନ୍ୟାୟିକ ନିଷ୍ପତ୍ତି। ମାମଲାର ମୂଳ ପ୍ରସଙ୍ଗ ଥିଲା ୧୯୨୭ ମସିହାର ସାବିକ ସେଟଲମେଣ୍ଟ ରେକର୍ଡ ଓ ୧୯୭୭ ମସିହାର ହାଲ୍ ସେଟଲମେଣ୍ଟ ରେକର୍ଡ ମଧ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ।

୧୯୨୭ ମସିହାର ସାବିକ ରେକର୍ଡରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ-ପୁରୀଙ୍କୁ ଜମିର ସର୍ବୋଚ୍ଚ ଜମିଦାର ଭାବେ ରେକର୍ଡ କରାଯାଇଥିବାବେଳେ ଦକ୍ଷିଣପାର୍ଶ୍ୱ ମଠର ଜନୈକ ବ୍ୟକ୍ତିଙ୍କ ନାମ ମଧ୍ୟ ସ୍ୱତ୍ତାଧିକାରୀ ଭାବେ ଉଲ୍ଲେଖ ଥିଲା। ସାବିକ ଖାତା ନଂ ୪୨୯ରେ ୧୧ଟି ପ୍ଲଟ୍ ଥିବାବେଳେ, ୧୯୭୭ ମସିହାର ହାଲ୍ ରେକର୍ଡରେ ଖାତା ନଂ ୪୧୯ରେ ୪୨ଟି ପ୍ଲଟ୍ ବିଶିଷ୍ଟ ମୋଟ ୫୨.୨୨୦ ଏକର ଜମି ଜନୈକ ବ୍ୟକ୍ତିଙ୍କ ନାମରେ ରେକର୍ଡ ହୋଇଥିଲା। ସାବିକ ରେକର୍ଡରେ ମହାପ୍ରଭୁଙ୍କ ସର୍ବୋଚ୍ଚ ଜମିଦାରୀ ସ୍ୱତ୍ତ୍ୱ ଓ ମହନ୍ତଙ୍କ ମଧ୍ୟ ସ୍ୱତ୍ତ୍ୱାଧିକାରକୁ ପୃଥକ୍ ଭାବେ ଦର୍ଶାଯାଇଥିବା ସତ୍ତ୍ୱେ ପରବର୍ତ୍ତୀ ରେକର୍ଡରେ ଏପରି ପରିବର୍ତ୍ତନ କିପରି ହେଲା, ତାହା ମାମଲାର ମୁଖ୍ୟ ବିବାଦ ଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ରେକର୍ଡ ପରିବର୍ତ୍ତନର ଆଇନଗତ ଆଧାରକୁ ଚ୍ୟାଲେଞ୍ଜ କରାଯାଇଥିଲା। ରାଜସ୍ୱ ରେକର୍ଡରେ ହୋଇଥିବା ପରିବର୍ତ୍ତନ ସାବିକ ଦସ୍ତାବିଜରେ ପ୍ରତିଫଳିତ ଅଧିକାର ଓ ସ୍ୱତ୍ତ୍ୱ ସହ ସମନ୍ୱୟ ରଖୁଛି କି ନାହିଁ, ଏବଂ ଏହା ପାଇଁ ଆବଶ୍ୟକ ଆଇନଗତ ଆଧାର ରହିଥିଲା କି ନାହିଁ, ସେସବୁ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ମାମଲାରେ ଉଭୟ ପକ୍ଷଙ୍କୁ ନିଜ ନିଜର ଯୁକ୍ତି ଓ ଦସ୍ତାବିଜ ଉପସ୍ଥାପନ ପାଇଁ ଯଥେଷ୍ଟ ସୁଯୋଗ ଦିଆଯାଇଥିଲା। ଏହି ମାମଲା ୧୧ରୁ ଅଧିକ ଥର ଶୁଣାଣି ପାଇଁ ହୋଇଥିଲା। ପ୍ରତିପକ୍ଷଙ୍କୁ ନିଜର ଆପତ୍ତି, ଦାବି ଓ ଆଇନଗତ ଯୁକ୍ତି ରଖିବା ସହ ସମର୍ଥନରେ ଦସ୍ତାବିଜ ଦାଖଲ କରିବା ପାଇଁ ବାରମ୍ବାର ସୁଯୋଗ ପ୍ରଦାନ କରାଯାଇଥିଲା। ପ୍ରତିପକ୍ଷଙ୍କ ଓକିଲ ଅଦାଲତରେ ଉପସ୍ଥିତ ହୋଇ ମାମଲାର ଗ୍ରହଣୀୟତା, ଆବଶ୍ୟକ ପକ୍ଷଙ୍କୁ ଅନ୍ତର୍ଭୁକ୍ତ ନକରିବା ଏବଂ ପ୍ରଜାସ୍ୱତ୍ତ୍ୱ ସମ୍ପର୍କିତ ବିଭିନ୍ନ ଆପତ୍ତି ଉଠାଯାଇଥିଲା। ଏହି ସମସ୍ତ ଆପତ୍ତିକୁ ରାୟରେ ପୃଥକ୍ ଭାବେ ବିଶ୍ଳେଷଣ କରାଯାଇଥିଲା।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଆଇନଜୀବୀ ଅମ୍ବିକା ମିଶ୍ର ମାମଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ସେ ସାବିକ ଓ ହାଲ୍ ରେକର୍ଡ ମଧ୍ୟରେ ଥିବା ଅସଙ୍ଗତି, ମହାପ୍ରଭୁଙ୍କ ସର୍ବୋଚ୍ଚ ଜମିଦାରୀ ସ୍ୱତ୍ତ୍ୱ, ମଧ୍ୟସ୍ୱତ୍ତ୍ୱାଧିକାରୀଙ୍କ ଆଇନଗତ ସ୍ଥିତି ଏବଂ ଦେବୋତ୍ତର ସମ୍ପତ୍ତିର ସୁରକ୍ଷା ସମ୍ପର୍କରେ ଦୃଢ଼ ଓ ତଥ୍ୟଭିତ୍ତିକ ଯୁକ୍ତି ଉପସ୍ଥାପନ କରିଥିଲେ। ଐତିହାସିକ ରାଜସ୍ୱ ଦସ୍ତାବିଜ ଓ ପ୍ରାସଙ୍ଗିକ ଆଇନଗତ ବ୍ୟବସ୍ଥାକୁ ଆଧାର କରି ସେ ମନ୍ଦିର ପ୍ରଶାସନର ପକ୍ଷ ରଖିଥିଲେ। ସେହିପରି ସିଦ୍ଧାର୍ଥ ଶଙ୍କର ଦାସ, ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରି ସମ୍ପୃକ୍ତ ରାଜସ୍ୱ କର୍ତ୍ତୃପକ୍ଷଙ୍କ ଆଇନଗତ ସ୍ଥିତି ଓ ପକ୍ଷ ସମର୍ଥନରେ ତଥ୍ୟଭିତ୍ତିକ ଯୁକ୍ତି ଉପସ୍ଥାପନ କରିଥିଲେ। ସମସ୍ତ ଦସ୍ତାବିଜ, ରାଜସ୍ୱ ଅଧିକାରୀଙ୍କ ରିପୋର୍ଟ, ଉଭୟ ପକ୍ଷଙ୍କ ଯୁକ୍ତି ଓ ପ୍ରାସଙ୍ଗିକ ଆଇନଗତ ପ୍ରସଙ୍ଗର ବିଚାର ପରେ ରାଜସ୍ୱ ପର୍ଷଦ ଏହି ରିଭିଜନ୍ ମାମଲାକୁ ମଞ୍ଜୁର କରିଥିଲେ। ୧୯୭୭ ମସିହାର ହାଲ୍ ରେକର୍ଡରେ ଦକ୍ଷିଣ ପାର୍ଶ୍ୱ ମଠର ଜନୈକ ବ୍ୟକ୍ତିଙ୍କ ନାମରେ ହୋଇଥିବା ତ୍ରୁଟିପୂର୍ଣ୍ଣ ଏଣ୍ଟ୍ରିକୁ ସମ୍ପୃକ୍ତ ଜମି ପର୍ଯ୍ୟନ୍ତ ରଦ୍ଦ କରାଯାଇ, ସାବିକ ଓ ହାଲ୍ ପ୍ଲଟ୍‌ର ସଠିକ୍ ମେଳକ ଏବଂ ପ୍ରାମାଣିକ ଦସ୍ତାବିଜ ଆଧାରରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ-ପୁରୀଙ୍କ ନାମରେ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ମାଧ୍ୟମରେ ରେକର୍ଡ ସଂଶୋଧନ କରିବାକୁ ନିର୍ଦ୍ଦେଶ ହୋଇଥିଲା। ରାଜସ୍ୱ ପର୍ଷଦଙ୍କ ଏହି ନିର୍ଦ୍ଦେଶର ତ୍ୱରିତ ଅନୁପାଳନ କରି ପୁରୀ ତହସିଲଦାର ସମ୍ପୃକ୍ତ ୫୨.୨୨୦ ଏକର ଜମିର ରାଜସ୍ୱ ରେକର୍ଡରେ ଆବଶ୍ୟକୀୟ ସଂଶୋଧନ କରିସାରିଛନ୍ତି। ଏହା ରାୟର ତ୍ୱରିତ ଓ କାର୍ଯ୍ୟକାରୀ ଅନୁପାଳନର ଏକ ଉଲ୍ଲେଖନୀୟ ଦିଗ।

ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର ଜମି
Share. Facebook Twitter LinkedIn Email WhatsApp Copy Link

Related Posts

ହାଇଦ୍ରାବାଦଠାରେ ଡାକ୍ତର ବିରାଜ ମୋହନ ମିଶ୍ରଙ୍କୁ ସମତା ପୁରସ୍କାର

November 27, 2026

ସୌର ଶକ୍ତି ସ୍ଥାପନା କ୍ଷେତ୍ରରେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ ଅଗ୍ରଗତି

November 27, 2026

IPL 2027: ରୋହିତ ଶର୍ମା ପୁଣି ହେଲେ Mumbai Indians ର ଅଧିନାୟକ

November 27, 2026

ଭବାନୀପାଟଣାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’

November 27, 2026
Latest News

ଫେରିଲା ୨୫୦ କୋଟିର ଶ୍ରୀମନ୍ଦିର ଜମି

November 27, 2026

ହାଇଦ୍ରାବାଦଠାରେ ଡାକ୍ତର ବିରାଜ ମୋହନ ମିଶ୍ରଙ୍କୁ ସମତା ପୁରସ୍କାର

November 27, 2026

ସୌର ଶକ୍ତି ସ୍ଥାପନା କ୍ଷେତ୍ରରେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ ଅଗ୍ରଗତି

November 27, 2026

IPL 2027: ରୋହିତ ଶର୍ମା ପୁଣି ହେଲେ Mumbai Indians ର ଅଧିନାୟକ

November 27, 2026

ଭବାନୀପାଟଣାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’

November 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.