ଦେଶରେ ଚାଲିଥିବା ଆର୍ଥିକ ମାନ୍ଦାବସ୍ଥାକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପ୍ରତିକ୍ରିୟାକୁ ସମର୍ଥନ କରିଛି ବିଜେପିର ସହଯୋଗୀ ଦଳ ଶିବସେନା । ଶିବସେନା ମନମୋହନ ସିଂଙ୍କୁ ସମର୍ଥନ କରିଥିବାବେଳେ ମୋଦି ସରକାରଙ୍କୁ ଟାର୍ଗେଟ୍ ମଧ୍ୟ କରିଛି । ଶିବସେନା ’ସାମ୍ନା’ ମୁଖପତ୍ରରେ ‘ମୌନୀ ବାବାଙ୍କ ଧମାକା’ ଶୀର୍ଷକରେ ଏକ ସମ୍ପାଦକୀୟରେ ବତ୍ତର୍ମାନ ଦେଶରେ ଚାଲିଥିବା ଆର୍ଥିକ ମାନ୍ଦାବସ୍ଥାକୁ ମନମୋହନ ସିଂଙ୍କ ବୟାନକୁ ଚିତ୍ରଣ କରିଛନ୍ତି । ଆର୍ଥିକ ମାନ୍ଦାବସ୍ଥାରୁ ଦେଶକୁ ବଞ୍ଚାଇବା ପାଇଁ ମୋଦି ସରକାରଙ୍କୁ ଏ ଦିଗରେ ଧ୍ୟାନ ଦେବାକୁ ପଡ଼ିବ ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ଶିବସେନା ଏହି ସମ୍ପାଦକୀୟରେ କହିଛନ୍ତି ଯେ, ମୋଦି ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେବା ପାଇଁ ନିର୍ଣ୍ଣୟ ନେଇଛନ୍ତି । ମୋଦି ଏମିତି କରି ଦେଖାଇବେ, ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ଅର୍ଥବ୍ୟବସ୍ଥା ଓ ଲୋକଙ୍କ ଦୈନିକ ଗୁଜୁରାଣ ସମସ୍ୟା ମଧ୍ୟ ଗୁରୁତ୍ବପୂର୍ଣ୍ଣ । ମନମୋହନ ସିଂହ ଦେଶର ଚଳିତ ଆର୍ଥିକ ଅର୍ଥବ୍ୟବସ୍ଥା ଓ ଭବିଷ୍ୟତ ସମ୍ପର୍କରେ ଯାହାକି ବି କିଛି କହିଥଛନ୍ତି, ତା’କୁ ନେଇ ଚିନ୍ତା କରିବାର ସମୟ ଆସିଛି । ସେ ୩୫ ବର୍ଷ ଧରି ଦେଶର ଅର୍ଥବ୍ୟବସ୍ଥା ସହ ସମ୍ପର୍କିତ ହୋଇ ରହିଛନ୍ତି । ମନମୋହନ ସିଂ ଖରାପ ସମୟରେ ମଧ୍ୟ ଦେଶର ଆର୍ଥିକ ଅର୍ଥବ୍ୟବସ୍ଥାରେ ସୁଧାରଣ ଆଣିବା ବିଶେଷ ପ୍ରଯତ୍ନ କରିଛନ୍ତି । ସେହିପରି ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣଙ୍କ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ମୌନ ରହିବାକୁ ମଧ୍ୟ ସମାଲୋଚନା କରିଛି ଶିବସେନା ।