ନୂଆଦିଲ୍ଲୀ: ସୋନିଆ ଗାନ୍ଧୀଙ୍କ ନାଗରିକତା ଓ ଭୋଟର ତାଲିକାରେ ନାମ ପଞ୍ଜୀକରଣ ବିବାଦ ମାମଲାରେ ଦିଲ୍ଲୀ ପୁଲିସ ରାଉଜ୍ ଆଭେନ୍ୟୁ ନ୍ୟାୟାଳୟରେ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛି। ଗୃହ ମନ୍ତ୍ରଣାଳୟ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ତଥ୍ୟ ଆଧାରରେ ପୁଲିସ ଦର୍ଶାଇଛି ଯେ ୧୯୮୦ ମସିହା ବେଳକୁ ସୋନିଆ ଗାନ୍ଧୀ ଭାରତୀୟ ନାଗରିକ ନଥିଲେ, ତଥାପି ତାଙ୍କ ନାମ ଭୋଟର ତାଲିକାରେ ସାମିଲ ହୋଇଥିଲା। ତାଙ୍କୁ ୧୯୮୩ ମସିହାରେ ଭାରତୀୟ ନାଗରିକତା ମିଳିଥିବା ରିପୋର୍ଟରେ ସ୍ପଷ୍ଟ କରାଯାଇଛି। ଏହି ମାମଲାର ତଦନ୍ତ ଶେଷ କରିବା ପାଇଁ ନ୍ୟାୟାଳୟ ପୁଲିସକୁ ସମୟ ଦେବା ସହ ତୁଗଲକ ରୋଡ୍ ଥାନା ଅଧିକାରୀଙ୍କୁ ସମନ ଜାରି କରିଛନ୍ତି। ଆସନ୍ତା ଡିସେମ୍ବର ୧୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଗତ ସେପ୍ଟେମ୍ବରରେ ସୋନିଆ ଗାନ୍ଧୀଙ୍କ ବିରୋଧରେ ଥିବା ଭୋଟର ମାମଲାରେ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ଏକ ବର୍ଷ ପୁରୁଣା ରାୟକୁ ଓଲଟାଇ ଦେଇଥିଲେ। ପ୍ରକୃତରେ ୧୧ ସେପ୍ଟେମ୍ବର ୨୦୨୫ରେ ମାଜିଷ୍ଟ୍ରେଟ୍ ସୋନିଆଙ୍କ ବିରୋଧରେ ଠକେଇ ଏବଂ ଜାଲିଆତି ଅଭିଯୋଗରେ ଏତଲା ଦାଏର କରିବା ଦାବିକୁ ଖାରଜ କରିଦେଇଥିଲେ। ଏହି ଆବେଦନ ଆଡଭୋକେଟ୍ ବିକାଶ ତ୍ରିପାଠୀ ଦାଖଲ କରିଥିଲେ। ଏଥିରେ ସେ ଅଭିଯୋଗ କରିଛନ୍ତି ଯେ ସୋନିଆ ଗାନ୍ଧୀଙ୍କ ନାମ ୧୯୮୦ ମସିହାରେ ନୂଆଦିଲ୍ଲୀ ସଂସଦୀୟ କ୍ଷେତ୍ରର ମତଦାତା ତାଲିକାରେ ସାମିଲ କରାଯାଇଥିଲା, ଯେତେବେଳେ କି ସେ ୧୯୮୩ ମସିହାରେ ଭାରତୀୟ ନାଗରିକତା ହାସଲ କରିଥିଲେ। ଅଭିଯୋଗରେ କୁହାଯାଇଛି ଯେ ୧୯୮୨ ମସିହାରେ ତାଙ୍କର ନାମ ମତଦାତା ତାଲିକାରୁ ବାଦ ଦିଆଯାଇଥିଲା ଏବଂ ୧୯୮୩ରେ ପୁନର୍ବାର ସାମିଲ କରାଯାଇଥିଲା। ଅଭିଯୋଗ ଥିଲା ଯେ ଏହି ପୁନଃ-ପଞ୍ଜୀକରଣ ମଧ୍ୟ ୩୦ ଅପ୍ରେଲ ୧୯୮୩ରେ ନାଗରିକତା ପାଇବା ପୂର୍ବରୁ ହୋଇଥିଲା।


