କଣାସ: ପୁଲିସ୍ ଅଧିକାରୀ ବି ଅସୁରକ୍ଷିତ! ଅପରାଧର ତଦନ୍ତ କରିବାକୁ ଗାଁକୁ ଯାଇଥିବା ଜଣେ ଥାନା ଅଧିକାରୀଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଗଡ଼ିସାଗୋଦା ଥାନାର ଆଇଆଇସି ଦିଲୀପ ଧଳ। ତାଙ୍କ ମୁଣ୍ଡ ଫାଟିଯାଇଥିବା ବେଳେ ଚିକିତ୍ସା ପାଇଁ କଣାସ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁରୀ ଜିଲ୍ଲା କଣାସ ଅଞ୍ଚଳର ବଡ଼ଓରା ଗାଁରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଗଡ଼ିସାଗୋଦା ଥାନା ଆଇଆଇସି ଦିଲୀପ ଧଳ ଏକ ଘଟଣାର ତଦନ୍ତ ପାଇଁ ବଡ଼ଓରା ଗାଁକୁ ଯାଇଥିଲେ। ତଦନ୍ତ ସମ୍ପର୍କିତ କାର୍ଯ୍ୟରେ ସେ ସେଠାରେ ଥିବା ସମୟରେ ହଠାତ୍ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।
ଆକ୍ରମଣ ପରେ ଆହତ ଆଇଆଇସିଙ୍କୁ ତୁରନ୍ତ କଣାସ ମେଡିକାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଜଣେ କର୍ତ୍ତବ୍ୟରତ ପୁଲିସ୍ ଅଧିକାରୀଙ୍କ ଉପରେ ଏଭଳି ଆକ୍ରମଣକୁ ନେଇ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।
ତେବେ ଆଇଆଇସି ଦିଲୀପ ଧଳଙ୍କ ଉପରେ କେଉଁ କାରଣରୁ ଆକ୍ରମଣ ହେଲା, ଏଥିରେ କିଏ କିଏ ସମ୍ପୃକ୍ତ ଅଛନ୍ତି ଏବଂ ଆକ୍ରମଣ ପଛରେ କ’ଣ ରହିଛି ଉଦ୍ଦେଶ୍ୟ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ଜଣାପଡ଼ିବ।


