ଭୁବନେଶ୍ୱର: ସମଗ୍ର ଓଡ଼ିଶାରେ ଶୀତ ଲହରୀ ଜାରି ରହିଥିବା ବେଳେ ଆଗାମୀ ଦିନରେ ଶୀତ ଆହୁରି ବଢ଼ିବାର ସମ୍ଭାବନା ରହିଛି । ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାତ୍ରି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପ୍ରବଳ ଶୀତ ପ୍ରବାହ ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି।
ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଥଣ୍ଡା ପବନ ଯୋଗୁଁ ସମଗ୍ର ରାଜ୍ୟରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସନ୍ଧ୍ୟା ହେବା ମାତ୍ରେ ବିଭିନ୍ନ ସହର ଓ ଗ୍ରାମାଞ୍ଚଳର ରାସ୍ତାଘାଟ ଶୂନ୍ଶାନ୍ ହୋଇଯାଉଥିବା ଦେଖିବାକୁ ମିଳୁଛି। ଲୋକମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଗରମ ପୋଷାକ ପିନ୍ଧିବା ସହ ବିଭିନ୍ନ ସ୍ଥାନରେ ନିଆଁ ଜାଳି ବସି ରହୁଛନ୍ତି। ବିଶେଷ କରି ବୟସ୍କ ବ୍ୟକ୍ତି, ଛୋଟ ପିଲା ଏବଂ ଶ୍ରମଜୀବୀମାନେ ଏହି ପ୍ରବଳ ଜାଡ଼ରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସକାଳ ସମୟରେ ଘନ କୁହୁଡ଼ି ଓ ଶୀତ ଯୋଗୁଁ ଦୈନନ୍ଦିନ କାର୍ଯ୍ୟକଳାପ ଏବଂ ଯାତାୟାତ ପ୍ରଭାବିତ ହେଉଛି।
ଅନ୍ୟପକ୍ଷରେ, ଆଜି ରବିବାର ସକାଳୁ ଦ୍ୱୈତ ନଗରୀ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। କୁହୁଡ଼ି ଯୋଗୁଁ ସକାଳୁ ସକାଳୁ ରାସ୍ତାରେ ଦୃଶ୍ୟମାନ କ୍ଷମତା ଯଥେଷ୍ଟ ହ୍ରାସ ପାଇଥିବାରୁ ଯାନବାହନ ଚଳାଚଳରେ ବାଧା ଉପୁଜିଥିଲା। ଗାଡ଼ି ଚାଳକମାନେ ସତର୍କତାର ସହ ଆଲୋକ ଜାଳି ଯାତାୟାତ କରୁଥିବା ଦେଖାଯାଇଥିଲା। ଆଗାମୀ ଦିନରେ ମଧ୍ୟ ରାଜ୍ୟର ଅନେକ ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ସକାଳ ସମୟରେ କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି।
ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟର ସମତଳ ଅଞ୍ଚଳ ମଧ୍ୟରେ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୦.୮ ଡିଗ୍ରୀ ରେକର୍ଡ କରାଯାଇଛି, ଯାହା ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି। ଏହା ବ୍ୟତୀତ ରାଜ୍ୟର ଅନ୍ୟାନ୍ୟ ଆଭ୍ୟନ୍ତରୀଣ ଓ ପାହାଡ଼ିଆ ଅଞ୍ଚଳରେ ମଧ୍ୟ ପାରଦ ତଳମୁହାଁ ହୋଇଥିବାରୁ ପ୍ରବଳ ଜାଡ଼ ଅନୁଭୂତ ହେଉଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆକାଶ ନିର୍ମଳ ରହିବା ଏବଂ ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ପବନ ପ୍ରବାହିତ ହେଉଥିବାରୁ ଆଗାମୀ ସପ୍ତାହକ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କୁ ଏହି କଠୋର ଶୀତର ସାମ୍ନା କରିବାକୁ ପଡ଼ିବ।


