ପୁରୀ : ସୋମବାର ମାର୍ଗଶିର କୃଷ୍ଣ ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିଲା ପରେ ପଇତାଲାଗି ନୀତି ହେବ। ଦଇତାପତି ସେବକମାନେ ଗର୍ଭଗୃହକୁ ପ୍ରବେଶ କରି ସେବା ସମ୍ପନ୍ନ କରିବେ। ଏହି ସ୍ୱତନ୍ତ୍ର ନୀତି ପାଇଁ ଆପାତତଃ ସନ୍ଧ୍ୟା ଘ.୫.୦୦ ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି।ଠାକୁରଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି ହେଉଥିବା ସେବାୟତମାନେ କହନ୍ତି। ପାଟବସ୍ତ୍ରକୁ ପଇତା ଭଳି ବଳାଯାଇ ଦାରୁଦେବତାଙ୍କ ଶ୍ରୀଅଙ୍ଗରେ ଲାଗି ହୁଏ। ନୀତି ସରିବା ପରେ ଠାକୁରଙ୍କ ମହାସ୍ନାନ ବଢ଼ିଲେ ପୁନଃ ଦର୍ଶନ ଆରମ୍ଭ ହେବ।


