ସମୀକ୍ଷା ବ୍ୟୁରୋ
ହାଡିବନ୍ଧୁ କହଁର, କନ୍ଧମାଳରୁ ରାଜଧାନୀକୁ ଆସିଥିଲେ ଜୀବନ ଓ ଜୀବିକାର ତଲାସରେ। ଅଟୋ ରିକ୍ସା ଚଲାଇ ଜୀବିକା ନିର୍ବାହ କରୁଥିବା ହାଡିବନ୍ଧୁ ହୁଏତ ଜାଣିନଥିଲେ, ସେଇ ଅଟୋ ରିକ୍ସା ହିଁ ଦିନେ ତାଙ୍କର ସବୁକିଛି ଉଜାଡି ଦେବ। ନୂଆ ମୋଟର ଯାନ ଆଇନ ଅନୁଯାୟୀ ଭୁବନେଶ୍ୱର ଟ୍ରାଫିକ ପୋଲିସ ବନ୍ଧୁ କହଁରକୁ ୪୭,୫୦୦ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛି। ହୁଏତ ବନ୍ଧୁ ଚଲାଉଥିବା ଅଟୋ ରିକ୍ସାର ଦାମ ଜରିମାନା ଅର୍ଥରୁ କମ ହୋଇଥାଇପାରେ। ଗଣମାଧ୍ୟମର ସୂଚନା ଅନୁସାରେ ଭୁବନେଶ୍ୱର ପୋଲିସ ଓ ପରିବହନ ଅଧିକାରୀ ହାଡିବନ୍ଧୁ କହଁର ଠାରୁ ବିଭିନ୍ନ ପ୍ରକାର ବେଆଇନ ଗାଡି ଚାଳନା ବାବଦକୁ ଏ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସେ କୁଆଡେ ମଦ ପିଇ ଗାଡି ଚଲାଉଥିଲେ। ତାଙ୍କର ଲାଇସେନ୍ସ ନଥିଲା। ଅଟୋ ରେଜିଷ୍ଟ୍ରେସନ ହୋଇନଥିଲା।ବୀମା କାଗଜ ଠିକ ନଥିଲା ଇତ୍ୟାଦି ଇତ୍ୟାଦି। ଏ ସବୁ ଆଦୌ ଗ୍ରହଣୀୟ ନୁହେଁ। ହେଲେ ଏଥିପାଇଁ ହାଡିବନ୍ଧୁ କହଁର ଯଦି ୪୭,୫୦୦ ଟଙ୍କାର ଜରିମାନା ଗଣିବେ, ତାପରେ ସେ ବଞ୍ଚିବେ କେମିତି? ମଣିଷ ମାରୁଥିବା ବା ଚୋରୀ କରୁଥିବା ଲୋକ ସହିତ ବନ୍ଧୁ କହଁରଙ୍କ ଅପରାଧ ସମାନ କି? ବଡ କଷ୍ଟରେ ଧାର ଉଧାର କରି ସେ ଲୋକ ହୁଏତ ଅଟୋ ରିକ୍ସା କିଣିଥିବ। ହୁଏତ ସେଟା ପୁରୁଣା ଅଟୋ ମଧ୍ୟ ହୋଇଥାଇପାରେ। ହୁଏତ ସେ ଏଥି ଲାଗି ଋଣ ମଧ୍ୟ କରିଥାଇ ପାରନ୍ତି। ଚାଳକଙ୍କ କହିବା କଥା ସେ ୨୫ ହଜାର ଟଙ୍କା ଦେଇ ଗାଡି କିଣିଛନ୍ତି। ଗାଡି ୨୫ ହଜାରକୁ ଜରିମାନା ସାଢେ ସତଚାଳିଶ ହଜାର।
ହଠାତ ଆଜି ସେ ଲୋକ ଯଦି ୪୭,୫୦୦ ଟଙ୍କା ସରକାରକୁ ଜରିମାନା ଦେବ, ତାହେଲେ ତା ସଂସାର ଇ ଜୀବନ ଚଳିବ ତ! ଗାଡି ଚଲାଇବାର ଅପରାଧରେ ସେ ଲୋକର ଜୀବନ ଓ ଜୀବିକା ଉଜାଡି ଦେବାର ଇଏ କି ଆଇନ? ମଦ ପିଇ ଗାଡି ଚଳାଇବାର ଅପରାଧରେ ତାଙ୍କୁ ଦଣ୍ଡିତ କରିବା ଠିକ। ହେଲେ ଅମାନବୀୟ ଭାବରେ ଜରିମାନା ଅର୍ଥରାଶି ଅନେକଙ୍କ ଜୀବନ ଓ ଜୀବିକା ବୁଡେଇଦେବା। ସମାନ ଅପରାଧ ଲାଗି ଭିନ୍ନ ଭିନ୍ନ ଧାରାରେ ଜଣେ ଗରିବ ଅଟୋ ରିକ୍ସା ଡ୍ରାଇଭର କୁ ଶୋଷଣ କରୁଥିବା ଏ ପ୍ରକାର ଆଇନ ଆମର ଗଣତାନ୍ତ୍ରିକ ଶାସନରେ ସବୁଠୁ କଳା ଓ କଳଙ୍କିତ ଆଇନ ଭାବରେ ବିବେଚିତ ହେବ।