ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଆଜି ଅବକାଶ ନୀତି ଆରମ୍ଭ ହୋଇଛି, ଦେଢଦିନ ପରେ ମହାପ୍ରଭୁ ଲିଙ୍ଗରାଜ ଦାନ୍ତ ଘଷିଛନ୍ତି । ଏନେଇ ବ୍ରାହ୍ମଣ ନିଯୋଗ ସଭାପତି ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି। ଜବରଦଖଲରେ ଥିବା ପ୍ରଭୁ ଲିଙ୍ଗରାଜଙ୍କ ବହୁ ମୂଲ୍ୟବାନ ସମ୍ପତ୍ତି ଫେରାଇ ଆଣିବା ପାଇଁ ପୂଜାପଣ୍ଡାମାନେ ନୀତିକାନ୍ତି ବନ୍ଦ କରିଦେଇଥିଲେ । ତେବେ ଆଜି ଦେବୋତ୍ତର କମିଶନଙ୍କ ଲିଖିତ ପ୍ରତିଶୃତି ଦେବା ପରେ ନୀତିକାନ୍ତି ସ୍ୱାଭାବିକ ହୋଇଛି । ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗର ଅସହେଯାଗ ଯୋଗୁଁ ପ୍ରଭୁ ଲିଙ୍ଗରାଜଙ୍କର ନୀତିକାନ୍ତି ହୋଇ ପାରି ନଥିଲା । ଜବରଦଖଲରେ ଥିବା ଲିଙ୍ଗରାଜଙ୍କ ବହୁ ମୂଲ୍ୟବାନ ଜମିକୁ ଫେରାଇ ଆଣିବା ପାଇଁ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବାରୁ ପୂଜାପଣ୍ଡାମାନେ ଏହାକୁ ବିରୋଧ ପ୍ରଦର୍ଶନ କରି କୌଣସୀ ନୀତିକାନ୍ତି କରି ନଥିଲେ । ଉଲ୍ଲେଖଯୋଗ୍ୟ, ଲିଙ୍ଗରାଜ ମହାପ୍ରଭୁଙ୍କୁ ନୂଆଗାଁ ଗଙ୍ଗୁଆ ନଦୀ କୂଳରେ ଥିବା ପ୍ରାୟ ୫୦ କୋଟି ଟଙ୍କାର ଜମି ଜବରଦଖଲ ହୋଇଛି । ଏହି ଜମିରେ ବେଆଇନି ଭାବରେ ଦୋକାନ ସବୁ ଗଢି ଉଠିଛି । ଯାହାକୁ ବ୍ରାହ୍ମଣ ନିଯୋଗ ଏବଂ ପୂଜାପଣ୍ଡାମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଫଳରେ ଗତକାଲି ଠାରୁ ପ୍ରଭୁଙ୍କର ସମସ୍ତ ନୀତିକାନ୍ତି ବନ୍ଦ ଥିଲା । ସେହିପରି ଲିଙ୍ଗରାଜଙ୍କ ପାଇଁ ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟ ଗଠନ ହୋଇଛି । ନୀତିକାନ୍ତ ସ୍ବାଭାବିକ ଓ ଜମି ବିବାଦ ଲାଗି ଏହି ଟ୍ରଷ୍ଟ ଗଠନ ହୋଇଛି ।