ପଞ୍ଜାବର ଗୁରୁଦାସପୁର ବାଟାଲାରେ ଏକ ବାଣ କାରଖାନାରେ ନିଆଁ ଲାଗି ଏକ ବଡ ଧରଣର ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୫ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଘଟଣାରେ ଦୁଃଖ ପ୍ରକାଶ କରି ପୀଡିତଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା, ଗୁରୁତର ଆହତମାନଙ୍କୁ ୫୦ ହଜାର ଟଙ୍କା ଏବଂ ଆହତ ମାନଙ୍କୁ ୨୫ହଜାର ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏହା ସହ ଏହି ଘଟଣାର ମାଜିଷ୍ଟ୍ରେଟ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଏହି ଦୁର୍ଘଟଣାରେ କାରଖାନା ମାଲିକଙ୍କ ପରିବାରର ୬ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ନିଆଁକୁ ଆୟତ କରିବା ପାଇଁ ଘଟଣାସ୍ଥଳରେ ୧୦ରୁ ଅଧିକ ଦମକଳ ଗାଡି ମୁତୟନ ହେବା ସହ ଏନଡ଼ିଆରଏଫ ଟିମ ମଧ୍ୟ ଉପସ୍ଥିତ ରହିଛନ୍ତି।