ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଆସେସ୍ ସିରିଜ୍ର ଚତୁର୍ଥ ମ୍ୟାଚ୍ ମାଞ୍ଚେଷ୍ଟରର ଓଲ୍ଡ ଟ୍ରଫୋର୍ଡରେ ଆରମ୍ଭ ହୋଇଛି। ପ୍ରଥମ ଦିନର ଖେଳରେ ବର୍ଷା ବାଧା ସୃଷ୍ଟି କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ୧୭୦/୩ ସଂଗ୍ରହ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ମାର୍ନସ୍ ଲାବୁସ୍ଚାଞ୍ଜେ ଏବଂ ଷ୍ଟିଭ୍ ସ୍ମିଥ୍ ଅର୍ଦ୍ଧଶତକ ହାସଲ କରିଥିଲେ। ଟସ୍ ଜିତ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୮ ରନ୍ରେ ୨ ଟି ଓ୍ବିକେଟ୍ ହରାଇଥିଲା। ପ୍ରଥମ ୭ ଓଭର ମଧ୍ୟରେ ଷ୍ଟୁଆର୍ଟ ବ୍ରଡ୍ ଦୁଇ ଓପ୍ନର ମାର୍କସ୍ ହାରିସ୍(୧୩) ଏବଂ ଡେଭିଡ୍ ଓ୍ବାର୍ଣ୍ଣରଙ୍କୁ ପ୍ୟାଭିଲିୟନ୍ ଫେରାଇଥିଲେ। ଏହାପରେ ଇନ୍ଫର୍ମ ଲାବୁସ୍ଚାଞ୍ଜେ(୬୭) ଏବଂ ସ୍ମିଥ୍ (୬୦*) ୧୧୬ ରନ୍ ଯୋଡିଥିଲେ । ଲାବୁସ୍ଚାଞ୍ଜେ ୧୨୮ ବଲ୍ର ସମ୍ମୁଖୀନ ହୋଇ ୧୦ ଚୌକା ସହାୟତାରେ ୬୭ ରନ୍ ସଂଗ୍ରହ କରିଥିବା ବେଳେ ସ୍ମିଥ୍ ୯୪ ବଲ୍ର ସମ୍ମୁଖୀନ ହୋଇ ୭ ଚୌକା ସହିତ ୬୦ ରନ୍ରେ ଅପରାଜିତ ଅଛନ୍ତି । ଖେଳ ଶେଷ ବେଳକୁ ସ୍ମିଥ୍ ୬୦ ଏବଂ ଟ୍ରାଭିସ୍ ହେଡ୍ ୧୮ ରନ୍ରେ ବ୍ୟାଟିଂ କରୁଥିଲେ। ଇଂଲଣ୍ଡ ପକ୍ଷରୁ ବ୍ରଡ ୩୫ ରନ୍ରେ ୨ ଟି ଏବଂ କ୍ରେଗ୍ ଓଭରଟନ୍ ୪୧ ରନ୍ରେ ଗୋଟିଏ ଓ୍ବିକେଟ୍ ଅକ୍ତିଆର କରିଥିଲେ ।