ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମାନଙ୍କର ବିକାଶ ପାଇଁ ପ୍ରସ୍ତୁତ ଯୋଜନା ଜମ୍ମୁ କାଶ୍ମୀରରେ ଲାଗୁ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂ ପ୍ରକାଶ କରିଛନ୍ତି । ମନ୍ତ୍ରାଳୟର ବିଭିନ୍ନ କର୍ମଚାରୀ ଗୁରୁବାର ଦିନ ଜମ୍ମୁ ଏବଂ କାଶ୍ମୀରର ବିଭିନ୍ନ ଅଞ୍ଚଳ ଭ୍ରମଣ କରିଛନ୍ତି । ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରାଳୟ (ଡୋନର)ର ବିଭାଗୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂ ଗୁରୁବାର ମତ ଦେଇ କହିଛନ୍ତି, ସରକାର ଜମ୍ମୁ କାଶ୍ମୀରରେ ଏହି ବିକାଶ ମଡେଲ ଲାଗୁ କରିବା ନେଇ ବିଚାର କରୁଛନ୍ତି । କମିଟି ଜମ୍ମୁ କାଶ୍ମୀର ଗସ୍ତ ପରେ ନିଜର ରିପୋର୍ଟ ପ୍ରଦାନ କରିବା ପରେ ଏ ସମ୍ପର୍କିତ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ବିଗତ 5 ବର୍ଷ ମଧ୍ୟରେ ଏହି ଯୋଜନାରେ ଉତ୍ତର ପୂର୍ବୀୟ ରାଜ୍ୟ ଗୁଡିକର ବିକାଶ ସମ୍ଭବ ହୋଇଛି । ବର୍ତ୍ତମାନ ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ହୋଇ ସାରିଥିବାରୁ ଏହି ମଡେଲ ଲାଗୁ କରାଯାଇ ପାରିବ ବୋଲି ଜିତେନ୍ଦ୍ର ସିଂ କହିଛନ୍ତି ।