ସୃଜନ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମରେ ରହିଥିଲା ପ୍ରଖ୍ୟାତ ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ଗାୟିକା ଶ୍ରମୀତୀ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଦ୍ବାରା ହିନ୍ଦୁସ୍ତାନୀ ସଙ୍ଗୀତ ପରିବେଷଣ । ତାଙ୍କର ପ୍ରଥମ ପ୍ରସ୍ତୁତିରେ ଥିଲା ରାଗ କେଦାର ଉପରେ ନିବଦ୍ଧ ଖେୟାଲ ଯାହା ବିଲମ୍ବିତ ଏକତାଳ, ମଧ୍ୟମ ତିନତାଲ ଉପରେ ପର୍ଯ୍ୟବସିତ ଥିଲା ପରେ ପରେ ପଣ୍ଡିତ ରାମଶ୍ରେୟା ଝାଙ୍କ ଦ୍ୱାରା ରଚିତ ତରାନା ପରିବେଷିତ ହୋଇଥିଲା ।
ତାଙ୍କର ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ରାଗ ପିଲୁରୁ ଉଦ୍ଧୃତ କଜରୀ କେହେନବା ମାନୋ ଓ ରାଧା ରାଣୀ । ଶେଷରେ ଭଜନ ଯାହା ରାଗ ହେମନ୍ତ ଉପରେ ନିବନ୍ଧ ଥିଲା । ତାଙ୍କୁ ତବଲାରେ ଅପୁର୍ବ ମୁଖାର୍ଜୀ, ହାରମୋନିୟମରେ ଗୌରବ ଚାଟାର୍ଜୀ ଓ ତାନପୁରାରେ ସଚ୍ଚୀଦାନନ୍ଦ ସାହୁ ସହଯୋଗ କରିଥିଲେ । ନିଖୁଣ ଓ ସୁନ୍ଦର ରାଗ ବିସ୍ତାର, ତାନ ଓ ସରଗମ୍ର ବିଭିନ୍ନ କ୍ରିୟାତ୍ମକ ପରିବେଷଣ, ସୁଲଳିତ କଣ୍ଠରେ ବିଭିନ୍ନ କଳାକୌଶଳ ପ୍ରୟୋଗ ଇତ୍ୟାଦି ଦ୍ୱାରା ସେ ଉପସ୍ଥିତ ବିଦଗ୍ଧ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।
ସନ୍ଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମରେ ରହିଥିଲା ଗୁରୁ ଜୋତ୍ସାରାଣୀ ସାହୁଙ୍କ ସୁର ମନ୍ଦିର ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ । ସେମାନଙ୍କର ପ୍ରସ୍ତୁତିରେ ଥିଲା ରସାନୁରାଗ ଯାହା ରାଗ ରାଗମାଳୀକା ଓ ତାଳ ତାଳମାଳୀକା ଉପରେ ନିବଦ୍ଧ ଥିଲା । ପ୍ରେମ ଓ ବର୍ଷାର ଗଭୀର ସଂଯୋଗ ସହିତ ତାର ବିଭିନ୍ନ ସମ୍ବନ୍ଧକୁ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ବଖାଣିଥିଲେ ସୁର ମନ୍ଦିରର ଶିଳ୍ପୀମାନେ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଜୋତ୍ସାରାଣୀ ସାହୁ, ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଅଗ୍ନିମିତ୍ର ବେହେରା ଏବଂ ତାଳ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ।
ସେହିପରି ସଂଧ୍ୟାର ଅନ୍ତିମ ପରିବେଷଣରେ ରହିଥିଲା ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ତ୍ରିଧାରା ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ।
ଏହି ଉତ୍ସବର ଅତିଥି ଥିଲେ ଭାରତୀୟ ବିଦ୍ୟା ଭବନ ଭୁବନେଶ୍ୱର କେନ୍ଦ୍ରର ଉପସଭାଧ୍ୟକ୍ଷ ଡ଼ଃ ଏସ.କେ. ତାମୋଟିଆ, ଖ୍ୟାତିସମ୍ପନ୍ନ କଳା ଓ ନୃତ୍ୟ ସମୀକ୍ଷକ ତଥା ଲେଖକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମଲିଆ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର । କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଡ଼ଃ ଶ୍ରୀନିବାସ ଘଟୁଆରୀ ଏବଂ ଆଲୋକ ସଂଚାଳନ କରିଥିଲେ ଦେବୀପ୍ରସାଦ ମିଶ୍ର ।