ସମୀକ୍ଷା ବ୍ୟୁରୋ
ରାଜଧାନୀର ବିଭିନ୍ନ ବସ୍ତି ଅଂଚଳରେ ରହୁଥିବା ପିଲାମାନଙ୍କୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରିବାପାଇଁ ଏକ ଅଭିନବ ଉଦ୍ୟମ ଆରମ୍ଭ କରିଛନ୍ତି ଭୁବନେଶ୍ବରର ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ। ଆଜି ଚନ୍ଦ୍ରଶେଖରପୁରରେ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ଆଇନଜୀବୀ ଶ୍ରୀ ମଧୁମାଧବ ଜେନା ଓ ଅନ୍ୟ ବରିଷ୍ଠ ବ୍ୟକ୍ତିଙ୍କ ଉପସ୍ଥିତିରେ ‘ଆସ ଶିଖିବା’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ମୁଖ୍ୟତଃ ବସ୍ତିରେ ରହୁଥିବା ପିଲାମାନଙ୍କୁ ଯୋଗ, ନାଚ, ଗୀତ, ଚିତ୍ରାଙ୍କନ, କାହାଣୀକୁହା ପରି ଜୀବନଶୈଳୀ କଳାପ୍ରତି ଆକୃଷ୍ଟ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ବିଭିନ୍ନ କଳାକାର ଓ ବିଶାରଦମାନେ ବିନା ପାରିଶ୍ରମିକରେ ଏହି ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିବେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ବରର କେତକ ବଛା ବଛା ବସ୍ତିରେ କାମ ଆରମ୍ଭ କରାଯିବ। ପରବର୍ତ୍ତି ସମୟରେ ଅଧିକ ବସ୍ତି ଅଂଚଳରେ ଇଛୁକ ଥିବା ଗୋଷ୍ଠୀ ଗୁଡିକୁ ସ୍ବେଛାସେବୀମାନଙ୍କ ସହାୟତାରେ ଏ କାର୍ଯ୍ୟକ୍ରମକୁ ସମ୍ପ୍ରସାରିତ କରାଯିବ ବୋଲି ପ୍ରୀତିନନ୍ଦା କହିଛନ୍ତି।