ସଂଶୋଧିତ ନୂତନ ମୋଟର ଯାନ ଆଇନ୍କୁ ନେଇ ଏବେ ସାରା ରାଜ୍ୟରେ ଧରପଗଡ଼ । ବିନା ଲାଇସେନ୍ସରେ ଗାଡ଼ି ଚାଳକଙ୍କଠାରୁ ଜରିମାନା ଆଦାୟ ତଥା ଦଣ୍ଡର ପ୍ରାବଧାନ ରହିଥିବାରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଲମ୍ବା ଲାଇନ ଲାଗି ରହୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଖୋଲିବ ୫ଟି ଅତିରକ୍ତ କେନ୍ଦ୍ର ଖୋଲାଯିବା ବୋଲି ସୂଚନା ମିଳିଛି । ଭୁବନେଶ୍ବରଠାରେ ୪ଟି ଓ ଖୋର୍ଦ୍ଧାଠାରେ ଗୋଟିଏ କେନ୍ଦ୍ର ଖୋଲିବ । ଆରଟିଓ-୧, ଆରଟିଓ-୨ ବାଦ୍ ମୋଟ ୫ଟି ଅତିରିକ୍ତ କେନ୍ଦ୍ର ଖୋଲିବ ବୋଲି ସୂଚନା ଦେଇଛନ୍ତି ପରିବହନ ସଚିବ ଜି. ଶ୍ରୀନିବାସ । ଅତିରିକ୍ତ କେନ୍ଦ୍ରରେ କେବଳ ଲର୍ଣ୍ଣର୍ ଲାଇସେନ୍ସ ଦିଆଯିବ ବୋଲି ସୂଚନା ରହିଛି । ଭିଡ଼ ଦୃଷ୍ଟିରୁ ପ୍ରଥେମ ଭୁବନେଶ୍ବର ଓ ଖୋର୍ଦ୍ଧାରେ ଅତିରିକ୍ତ କେନ୍ଦ୍ର ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ପରେ ଅନ୍ୟ ସହରେ ଭିଡ଼କୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ପରିବହନ ସଚିବ । ସେହିପରି ସମସ୍ତ ଛୁଟି ଦିନରେ ଆରଟିଓ ଅଫିସ୍ ଖୋଲା ରହିବ ବୋଲି ସୂଚନା ରହିଛି । ନୂତନ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ଆରଟିଓ ଅଫିସ୍ରେ ବେଶ୍ ଭିଡ ପରିଲକ୍ଷିତ ହେଉଛି । ସୂଚନାଯୋଗ୍ୟ, ଓଡ଼ିଶା ସରକାର ଏହି ନୂତନ ମୋଟର ଯାନ ଆଇନକୁ ୩ ମାସ କୋହଳ କରିଥିବାବେଳେ ଏହି ସମୟ ମଧ୍ୟରେ ସମସ୍ତ କାଗଜପତ୍ର କରିବାକୁ ଜନସାଧାରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।