ସମୀକ୍ଷା ବ୍ୟୁରୋ
ଏଣିକି ଜିଲ୍ଲାର ଯେତେସବୁ ବୈଠକ ହେଉ କିମ୍ବା ସେମିନାର, ଏଥିରେ ଆଉ ପ୍ଲାଷ୍ଟକ କିମ୍ବା ଅନ୍ୟ ପ୍ଲେଟରେ ସ୍ନାକ୍ସ ପ୍ରଦାନ କରାଯିବ ନାହିଁ। ତା ବଦଳରେ ଜିଲ୍ଲାରେ ମିଳୁଥିବା ଶାଳପତ୍ର ପ୍ଲେଟ ବ୍ୟବହାର କରାଯିବ। ଜିଲ୍ଲାରେ ପ୍ଲାଷ୍ଟିକ ପଦାର୍ଥ ବ୍ୟବହାର ରୋକିବା ପାଇଁ କେଉଁଝର ଜିଲ୍ଲା ପ୍ରଶାସନ ତରଫରୁ ଏହି ନିଷ୍ପତି ନିଆଯାଇଛି। ସେହି ଅନୁସାରେ ଜିଲ୍ଲାପାଳ, ତହସିଲଦାର, ବିଡିଓ କାର୍ଯ୍ୟାଳୟରେ ଯେତେ ବୈଠକ ହେବ ସେଥିରେ ଏହି ଶାଳପ୍ଲେଟ ବ୍ୟବହାର କରାଯିବ। ଏହାଦ୍ବାରା ଆଦିବାସୀଙ୍କ ଦ୍ବାରା ତିଆରି ଏହି ପ୍ଲେଟର ଭଲ ବିକ୍ରି ହେବା ସହିତ ସେମାନଙ୍କର ଦୁଇ ପଇସା ରୋଜଗାର ହୋଇପାରିବ। ଅନ୍ୟପକ୍ଷରେ ପ୍ଲାଷ୍ଟକ ବ୍ୟବହାର ନେଇ ଯେଉଁ ସମସ୍ୟା ଉପୁଜୁଛି ଏହା ଦ୍ବାରା ସମାଧାନ ହୋଇପାରିବ ବୋଲି ପ୍ରଶାସନ ଆଶା କରିଛି। କେଉଁଝର ଜିଲ୍ଲା ଏକ ପ୍ରାକୃତିକ ସଂପଦର ଜିଲ୍ଲା ହୋଇଥିବାରୁ ସେଠାରେ ପ୍ଲାଷ୍ଟିକ ପଦାର୍ଥ ପରିବେଶକୁ ନଷ୍ଟ କରିବାରେ ଲାଗିଛି। ସେଥିପାଇଁ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତି ନେଇଛି। ପ୍ରଶାସନର ଏପରି ନିଷ୍ପତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।