ଇଲେକ୍ଟ୍ରୋନିକ୍ ଏବଂ ସୂଚନା ପ୍ରଯୁକ୍ତି ବିଭାଗର ଉପଦେଷ୍ଟା ଭାବରେ ଦାୟିତ୍ବଗ୍ରହଣ କରିଛନ୍ତି ଅନୁଭବ ପଟ୍ଟନାୟକ। ବିଭାଗୀୟ ସଚିବ ମନୋଜ କୁମାର ମିଶ୍ର ଉପଦେଷ୍ଟା ଭାବରେ ପଟ୍ଟନାୟକଙ୍କୁ ସ୍ବାଗତ ଜଣାଇବା ସହିତ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଦାୟିତ୍ବ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ୫ଟି ବ୍ୟବସ୍ଥାକୁ ଆଇଟି ବିଭାଗ ସହିତ ଯୋଡିବା ମୋର ପ୍ରଥମ ଲକ୍ଷ୍ୟ ରହିବ ବୋଲି ସେ ପ୍ରକାଶ କରିଛନ୍ତି। ଆଇଟି କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି ଏବଂ ମୋ ସରକାର ବ୍ୟବସ୍ଥାରେ ଆଇଟିର ଅଧିକ ବ୍ୟବହାର ଉପରେ ଜୋର ଦେଇଥିଲେ ଶ୍ରୀ ପଟ୍ଟନାୟକ। ଅନୁଭବ ପଟ୍ଟନାୟକଙ୍କ ଏହି ଦାୟିତ୍ବ ଗ୍ରହଣ କାର୍ଯ୍ୟକ୍ରମରେ ଯୁଗ୍ମ ସଚିବ ଆଦିତ୍ୟ ମହାପାତ୍ର, ଉପ ସଚିବ ଲକ୍ଷ୍ମୀପ୍ରସାଦ ଭୂୟାଁ, ବିଚିତ୍ର ମିଶ୍ର, ଓକାକ୍ର ଜେନେରାଲ୍ ମ୍ୟାନେଜର ମଧୁସ୍ମିତା ରଥ, ଓ ପ୍ରଶାସନିକ ଅଧିକାରୀ ପ୍ରବୋଧ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।