ସମୀକ୍ଷା ବ୍ୟୁରୋ
ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ତଥା ଓଡିଶା ବିଜେପିର ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ ଓଡିଶା ଗସ୍ତରେ ଅଛନ୍ତି । ରାଜ୍ୟପାଳ ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ । ଭୁବନେଶ୍ବରରେ ଲିଙ୍ଗରାଜ ମନ୍ଦିର ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ବିଶ୍ବଭୂଷଣ । ଏହି ସମୟରେ ଗଣମାଧ୍ୟମ ଅଧିକାରୀଙ୍କ କିଛି ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ ରାଜ୍ୟପାଳ । ପୋଲାଭରମ ପ୍ରସଙ୍ଗରେ ଆସିଥିବା ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ ରହି ଉଭୟ ରାଜ୍ୟ ମଧ୍ୟରେ ବିବାଦର ସମାଧାନ କରିବାର ଉଦ୍ୟମ କରିବି ।
ଲିଙ୍ଗରାଜଙ୍କ ଦର୍ଶନ ପରେ ରାଜ୍ୟପାଳ ଆସନ୍ତାକାଲି ନିଜର ଜନ୍ମସ୍ଥାନ ବାଣପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ବାଣପୁର ଗସ୍ତ ପାଇଁ ଆସନ୍ତା ୨୩ ତାରିଖ ଅପରାହ୍ନ ୩ଟା ସମୟରେ ତାଙ୍କ ସମ୍ବର୍ଦ୍ଧନାରେ ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ଏହା ସହିତ ରାଜ୍ୟପାଳ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ସୋମବାର ଅପରାହ୍ନ ୪.୩୦ରେ ବାଣପୁରରେ ପହଞ୍ଚି ମା ଭଗବତୀଙ୍କ ଦର୍ଶନ କରିବା ପରେ ୪.୪୫ ରୁ ରାସ ମଣ୍ଡପରେ ଅନୁଷ୍ଠିତ ହେବାକୁ ଥିବା ସମ୍ବର୍ଦ୍ଧନା ସଭାରେ ଯୋଗ ଦେବେ ରାଜ୍ୟପାଳ । ଏହି ସଭା ସମାପନ ପରେ ୭.୪୫ରେ ବିଶ୍ବଭୂଷଣ ହରିଚନ୍ଦନ ନୟାପଲ୍ଲୀ ସ୍ଥିତ ନିଜ ବାସଭବନକୁ ପ୍ରତ୍ୟାବର୍ତ୍ତନ କରିବେ ।