ରାଜ୍ୟରେ ଅକ୍ଟୋବର ୦୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଯାଉଛି “ମୋ ସରକାର” କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଜରିଆରେ ଥାନା ଓ ଚିକିତ୍ସାଳୟରେ ଆସୁଥିବା ବ୍ୟକ୍ତିଙ୍କ ଠାରୁ ମତାମତ ନିଆଯିବ । ଥାନା ଓ ମେଡିକାଲ ଲୋକଙ୍କୁ କେମିତି ସୁବିଧା ସୁଯୋଗ ମିଳୁଛି ସେନେଇ ପ୍ରତିକ୍ରିୟା ନିଆଯିବ । ପୋଲିସ ବିଭାଗ ଏହି କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ଜୋରଦାର କରିଛି । ଏହି ଆଧାରରେ ଆଜି ଖୋଦ ପୋଲିସ ଡିଜି ଆଜି ବିଭିନ୍ନ ଥାନାର ଅଭିଯୋଗକାରୀଙ୍କ ସହ କଥା ହେଲେ । ଷ୍ଟେଟ୍ କଲ୍ ସେଣ୍ଟରରୁ ଅଭିଯୋଗକାରୀଙ୍କ ସହ କଥା ହୋଇ ଥାନାରେ ବ୍ୟବହାର ଓ ତଦନ୍ତ ସମ୍ପର୍କରେ ପଚାରି ବୁଝିଲେ ବି.କେ. ଶର୍ମା । ଉଲ୍ଲେଖଯୋଗ୍ୟ ଯେ , ସେପ୍ଟେମ୍ବର ୧୪ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ସେହି ବୈଠକରେ ବିଭିନ୍ନ ଜିଲ୍ଲାର ୬୩୫ଟି ଥାନା ଆଇଆଇସିଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫେରେନ୍ସିରେ ଆଲୋଚନା କରି “ମୋ ସରକାର” କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିଥିଲେ । ଏହା ସହ ସେ ଥାନାରୁ ଲୋକଙ୍କୁ ମିଳୁଥିବା ସେବା ସମ୍ପର୍କରେ ପଚାରି ବୁଝିବାକୁ ଆଇଆଇସିଙ୍କୁ ଅବଗତ କରାଯାଇଥିଲା । ୫ଟିରେ ଭଲ କାମ କରିଲେ ଆଇଆଇସିଙ୍କୁ ଆଗୁଆ ପଦୋନ୍ନତି ପ୍ରଦାନ କରାଯିବ ବୋଲି ମଧ୍ୟ ସେ ଘୋଷଣା କରିଥିଲେ ।