ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଗତକାଲି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଉଗ୍ର ଆଚରଣ ଦେଖିବାକୁ ମିଳିଥିଲା। ମଞ୍ଚ ଉପରେ ସେ ଜଣେ ଯୁବକଙ୍କୁ ଚାପୁଡ଼ା ମାରିଥିଲେ। ଉକ୍ତ ଯୁବକ ହେଉଛନ୍ତି ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସଂଗ୍ରାମ ସାହୁ। ବିଜେଡିରେ ଯୋଗ ଦେବା ପାଇଁ ସେ ସଂଗ୍ରାମ ଗତକାଲି ସେହି ବୈଠକରେ ଯୋଗ ଦେଇଥିଲେ। ସେ ମଞ୍ଚ ଉପରେ ସାଂସଦଙ୍କୁ ଉପଢ଼ୌକନ ଦେଉଥିବା ସମୟରେ ଏହି ଘଟଣା ଘଟିଥିଲା। ଏ ଘଟଣା ସେଠାରେ ଉପସ୍ଥିତ ସମସ୍ତେ ନେତା ଓ କର୍ମୀଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ସାଂସଦ ତାଙ୍କୁ କାହିଁକି ଚାପୁଡ଼ା ମାରିଲେ, ତାହା ସ୍ପଷ୍ଟ ହୋଇପାରି ନଥିବା ବେଳେ ଏବେ ଏହା ପାରଳାଖେମୁଣ୍ଡି ଓ ସମଗ୍ର ଗଜପତି ଜିଲ୍ଲାରେ ଚର୍ଚ୍ଚା ବିଷୟ ପାଲଟିଛି। ଏପରିକି ସାଂସଦ ଚାପୁଡ଼ା ମାରିବାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି । ତେବେ ସଂଗ୍ରାମ ସାହୁ ଏହି ଘଟଣାରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେ ଗାଲକୁ ମାରିନାହାନ୍ତି, କେବଳ ଛୁଇଁ ଦେଇଛନ୍ତି । ସୂଚନାଯୋଗ୍ୟ, ଚନ୍ଦ୍ରଶେଖର ପୂର୍ବରୁ କଂଗ୍ରେସରେ ଥିଲେ। ସେ ବିଜେଡିରେ ଯୋଗ ଦେଇ ଚଳିତ ବର୍ଷ ବ୍ରହ୍ମପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଚନ୍ଦ୍ରଶେଖର ସାହୁଙ୍କ ଭଳି ଜଣେ ବରିଷ୍ଠ ସାଂସଦଙ୍କ ଏଭଳି ଆଚରଣଙ୍କୁ ସମସ୍ତେ ସମାଲୋଚନା କରୁଛନ୍ତି।