ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହାତୀ ମୃତ୍ୟୁ ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସାଧାରଣ ଜନତା ଓ ନେତା । ଜଟଣୀ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ନେତୃତ୍ୱରେ ଆଜି ବିକ୍ଷୋଭ ଓ ଧାରଣା ଦିଆଯାଇଛି । ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ଉଚ୍ଛେଦ କରିବାକୁ ଦାବି କରିଛନ୍ତି । ଉତ୍ତେଜନା ପରିସ୍ଥିତିକୁ ନଜରରେ ରଖି ନନ୍ଦନକାନନ କର୍ତ୍ତୁପକ୍ଷ ତାଲା ପକାଇ ଦେଇଛନ୍ତି । ହର୍ପିସ୍ ଭୂତାଣୁରେ ସଂକ୍ରମିତ ହୋଇ ନନ୍ଦନକାନନରେ ମାସକ ମଧ୍ୟରେ ୪ଟି ହାତୀର ମୃତ୍ୟୁ ହୋଇଛି । ଯାହାକୁ କେନ୍ଦ୍ର କରି ପଶୁ ପକ୍ଷୀ ସୁରକ୍ଷା କମିଟି ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି । ଏଥିରେ ବିଧାୟକ ସୁର ରାଉତ ମଧ୍ୟ ସାମିଲ ହୋଇଛନ୍ତି । ଆଜି ଶତାଧିକ କର୍ମୀ ନନ୍ଦନକାନନ ଗେଟ୍ ସମ୍ମୁଖରେ ବିକ୍ଷୋଭ ସହିତ ନାରାବାଜି କରିଛନ୍ତି । ଦାରୁଠେଙ୍ଗ ଡମ୍ପିଂୟାର୍ଡର ଆବର୍ଜନା ଯୋଗୁଁ ନନ୍ଦନକାନନରେ ରୋଗ ବ୍ୟାପୁଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ଏହାକୁ ଉଚ୍ଛେଦ କରିବାକୁ ଦାବି କରାଯାଇଛି । ଯଦି ଡମ୍ପିଂୟାର୍ଡ ଉଠା ନ ଯାଏ ତାହା ବିଏମ୍ସି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସୁର ରାଉତ ଚେତାବନୀ ଦେଇଛନ୍ତି ।