ନ୍ୟାସନାଲ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ଶରଦ ପାଓ୍ଵାର ନିଜ ଉପରେ ଲାଗିଥିବା ମହାରାଷ୍ଟ୍ର କପେରେଟିଭ ବ୍ୟାଙ୍କ ଦୁର୍ନୀତି ଆରୋପ ଉପରେ ଜବାବ ରଖିଛନ୍ତି। ସେ ମୁମ୍ଵାଇରେ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ କରିଛନ୍ତି ଯେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବେ। ଏହା ସହିତ ସେପ୍ଟେମ୍ବର ୨୭ରେ ଖୋଦ୍ ଇଡି ଦପ୍ତରରେ ହାଜର ହେବେ ବୋଲି କହିଛନ୍ତି। ଇଡି ଶରଦ ପାଓ୍ଵାର ସମେତ ୭୦ ଅନ୍ୟ ଲୋକଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ସହିତ ଅନ୍ୟ ମାମଲାରେ କେସ୍ ରୁଜୁ କରିଛି। ପ୍ରାୟ ୨୫ ହଜାର କୋଟି ଟଙ୍କାର ଏହି ଦୁର୍ନୀତିରେ ମୁମ୍ବାଇ ପୋଲିସ ପକ୍ଷରୁ ଏଫଆଇଆର ରୁଜୁ କରାଯାଇଥଲା। ପାଓ୍ଵାର କହିଛନ୍ତି ଯେ ସେ ମିଡିଆରୁ ଜାଣିବାକୁ ପାଇଲି ଯେ କେନ୍ଦ୍ର ସରକାରଙ୍କ ଇଡି ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୋତେ କହିବାରେ ଏହା କୌଣସି ଅସୁବିଧା ନାହିଁ ଯେ ଆଜି ପର୍ଯ୍ୟନ୍ତ ମୁଁ କୌଣସି କପୋରେଟିଭ କିମ୍ବା ବ୍ୟାଙ୍କର ସଂସ୍ଥାଗତ ସଦସ୍ୟ ରହି ନାହିଁ। ଏବେ ଯେଉଁ ବିଷୟରେ ତଦନ୍ତ ଆରମ୍ଭ ହୋଇଛି, ତାହା କରିବା ତଦନ୍ତକାରୀ ସଂସ୍ଥାର ଅଧିକାରର ପରିସରଭୁକ୍ତ। ତଦନ୍ତରେ ମୁଁ ସଂପୂର୍ଣ୍ଣ ସହଯୋଗ କରିବି ବୋଲି ଶରଦ ପାଓ୍ଵାର କହିଛନ୍ତି। ଉଲ୍ଲେଖଯୋଗ୍ୟ, ବମ୍ବେ ହାଇକୋର୍ଟ ମହାରାଷ୍ଟ୍ର ରାଜ୍ୟ କପୋରେଟିଭ ଘୋଟାଲା ମାମଲାରେ କୋର୍ଟରେ ଉପସ୍ଥାପିତ ତଥ୍ୟ ଆଧାରରେ ଶରଦ ପାଓ୍ଵାର ଓ ଅନ୍ୟ ଆରୋପିଙ୍କ ଉପରେ ଏଫଆଇଆର ରୁଜୁ କରିବାକୁ ଆଦେଶ ଦେଇଥିଲେ। ପ୍ରାୟ ୨୫ ହଜାର କୋଟି ଟଙ୍କା ଦୁର୍ନୀତିର ଏହି ମାମଲାରେ ମୁମ୍ବାଇ ପୋଲିସ ଗତ ମାସରେ ଏଫଆଇଆର ରୁଜୁ କରିଥିଲା।