କଳାହାଣ୍ଡି ଜୁନାଗଡ଼ ଦୁଷ୍କର୍ମ ମାମଲାକୁ ନେଇ ଏବେ ବିଜେଡ଼ି ଓ ବିଜେପି ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଚାଲିଛି । ଡ୍ରାଇଭର ଲଳିନ୍ଦ୍ର ଶବରକୁ ଖସାଇ ଦେବାରେ ବିଜେଡ଼ି ମନ୍ତ୍ରୀ ଓ ନେତାଙ୍କ ହାତ ଥିବା ବିଜେପି ଅଭିଯୋଗ କରିଛି । ସେ ବିଜେଡ଼ି ନେତାଙ୍କ ବସ୍ ଡ୍ରାଇଭର ବୋଲି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି। ପୋଲିସ କାହିଁକି ଡ୍ରାଇଭରକୁ ଛାଡ଼ି ଦିଆଯାଇଛି ତାହାର ଜବାବ ମାଗିଛନ୍ତି । ଅନ୍ୟପକ୍ଷରେ ଏହାକୁ ରାଜନୀତିକରଣ ନ କରିବାକୁ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। ଲେଖାଶ୍ରୀଙ୍କ ଅଭିଯୋଗ ମୁତାବକ, ଲଳିନ୍ଦ୍ର ଓରଫ୍ ନରେନ୍ଦ୍ର ଶବର ହେଉଛି ପ୍ରବୋଧ ରଥଙ୍କ ବସ୍ ଡ୍ରାଇଭର। ସେ ହେଉଛନ୍ତି କଳାହାଣ୍ଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି । ତାଙ୍କୁ କିଛି ଦିନ ତଳେ ନିଯୁକ୍ତି ଦିଆଯାଇଛି । ଲଳିନ୍ଦ୍ର ତାଙ୍କର ସୁଭଦ୍ରା ନାମରେ ଘରୋଇ ବସ୍ ଚଲାଏ । ସେ ହିଁ ଘଟଣାର ମୁଖ୍ୟ ଅଭିଯୁକ୍ତ । ଅପରପକ୍ଷରେ ପୀଡ଼ିତା ଜଣକ ଲଳିନ୍ଦ୍ରଙ୍କୁ ତାଙ୍କୁ ମୁଖ୍ୟ ଅଭିଯୁକ୍ତ କହିଥିବାବେଳେ ଯଦି ତାଙ୍କୁ ଛଡାଯାଏ, ତେବେ ସେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି । ତେବେ ବିଜେପିର ଏପରି ଅଭିଯୋଗକୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହାକୁ ରାଜନୀତିକରଣ ନ କରିବାକୁ କହିଥିବାବେଳେ ପୋଲିସ୍ ତା’ର କାର୍ଯ୍ୟ ଠିକ୍ ରୂପେ କରୁଛି ଓ ଅଭିଯୁକ୍ତ ନିଶ୍ଚିତ ଦଣ୍ଡ ପାଇବ ବୋଲି କହିଛନ୍ତି ।