ଶାରଦା ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ କଲକାତାର ପୂର୍ବତନ ପୁଲିସ କମିଶନର ତଥା ପଶ୍ଚିମବଙ୍ଗ ସିଆଇଡି ମହାନିର୍ଦେଶକ ରାଜୀବ କୁମାରଙ୍କୁ ମଙ୍ଗଳବାର ଆଗୁଆ ଜାମିନ ମିଳିଛି। କଲକାତା ହାଇକୋର୍ଟ ତାଙ୍କୁ ୫୦ ହଜାର ଟଙ୍କାର ମୁଚାଲିକା ବଦଳରେ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜରେ ଜେରା କରାଯିବାର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ସିବିଆଇ ଯେତେବେଳେ ତାଙ୍କୁ ସମନ ଜାରି କରିବ ସେତେବେଳେ ସେ ଜେରା ପାଇଁ ହାଜର ହେବେ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ତେବେ ରାଜୀବଙ୍କୁ ଆଗୁଆ ଜାମିନ ମିଳିବା ଫଳରେ ସିବିଆଇ ପାଇଁ ଅଡୁଆ ବଢ଼ିଯାଇଛି। ରାଜୀବ କ୍ଷମତାର ଦୁରୁପୋଯୋଗ କରି ପ୍ରମାଣ ନଷ୍ଟ କରିବେ ବୋଲି ସିବିଆଇ ଅଭିଯୋଗ କରିଛି। ୧୯୮୯ ବ୍ୟାଚ୍ର ଆଇପିଏସ୍ ଅଫିସର ରାଜୀବ କୁମାର ସାରଦା ଚିଟ୍ଫଣ୍ଡ ଘଟଣାର ତଦନ୍ତ ପାଇଁ ଗଠିତ ଏସ୍ଆଇଟିର ମୁଖ୍ୟ ରହିଥିଲେ। ଏହି ସମୟରେ ସେ ଘଟଣାର ଅଭିଯୁକ୍ତ ମାନଙ୍କ ବିରୋଧରେ ଥିବା ପ୍ରମାଣକୁ ନଷ୍ଟ କରିଥିବା ଅଭିଯୋଗ ହୋଇଛି।