ପାଞ୍ଚ ବର୍ଷ ହେବ କେନ୍ଦ୍ରରେ କ୍ଷମତାଠାରୁ ଦୂରରେ ରହିଥିବା କଂଗ୍ରେସ ପାଖରେ ଏବେ ଅର୍ଥର ଅଭାବ ଦେଖାଯାଇଛି। ୨୦୧୪ରୁ କେନ୍ଦ୍ରରେ କ୍ଷମତା ଠାରୁ ଦୂରରେ ରହିବା ପରେ କଂଗ୍ରେସ ପାଖରେ ପାଣ୍ଠି ହ୍ରାସ ପାଇଛି। ତେଣୁ ପାର୍ଟି ଚା’-ଜଳଖିଆରୁ ଖର୍ଚ୍ଚ କାଟ କରିବାକୁ ନିର୍ଦ୍ଦେଶ ଦେଇଛି। ଦଳୀୟ ପଦାଧିକାରୀ ଓ ନେତାମାନେ ଚା’-ଜଳଖିଆ ଖର୍ଚ୍ଚ ସହିତ ବିମାନ ଯାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିବେ। କଂଗ୍ରେସର ଆକାଉଣ୍ଟ ବିଭାଗ ସହାସଚିବ, ରାଜ୍ୟ ପ୍ରଭାରୀ ଓ ଅନ୍ୟ ପଦାଧିକାରୀଙ୍କୁ କହିଛନ୍ତି, ସମସ୍ତେ ନିଜର ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ। ପାର୍ଟି ପଦାଧିକାରୀଙ୍କୁ କହିଛି, ଚା’-ଜଳଖିଆରେ ମାସକୁ ୩ ହଜାର ପର୍ଯ୍ୟନ୍ତ କରନ୍ତୁ। ଯଦି ଏଥିରୁ ଅଧିକ ଖର୍ଚ୍ଚ ହୁଏ, ତା’ ହେଲେ ସଂପୃକ୍ତ ବ୍ୟକ୍ତି ନିଜ ହାତରୁ ଦିଅନ୍ତୁ।
ସୂଚନାଯୋଗ୍ୟ ପାର୍ଟିର ନେତା ଓ ଅନ୍ୟ ପଦାଧିକାରୀଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର କ୍ୟାଣ୍ଟିନରୁ ଚା’-ଜଳଖିଆ ଦିଆଯାଇଥାଏ। ପଦାଧିକାରୀ ଏଥି ପାଇଁ ବିଲରେ ସ୍ୱାକ୍ଷର କରିଥାନ୍ତି। ଏହି ସବୁ ବିଲ ଆକାଉଣ୍ଟ ବିଭାକୁ ଯାଇଥାଏ। ଅନ୍ୟ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ପାର୍ଟି ନେତାଙ୍କୁ ପାଖ କିମ୍ବା ଅଳ୍ପ ଦୂର ଯିବା ପାଇଁ ଟ୍ରେନର ବ୍ୟବହାର କରନ୍ତୁ। ପାର୍ଟିର ନେତାମାନେ ଯାତ୍ରା ସମୟରେ ରାତିରେ ରହିବା ଆବଶ୍ୟକତା ନ ଥିଲେ ହୋଟେଲ ବୁକ କରନ୍ତୁ ନାହିଁ ବୋଲି ପରାମର୍ଶ ଦିଆଯାଇଛି। ଆସୋସିଏଶନ ଫର ଡେମୋକ୍ରାଟିକ ରିଫମର୍ସ ରିପୋର୍ଟ ଅନୁସାରେ କଂଗ୍ରେସକୁ ୫୫.୩୬ କୋଟି ଟଙ୍କା ଚାନ୍ଦା ମିଳିଛି। ପାର୍ଟିର ସଂପତ୍ତି ୨୦୧୭-୧୮ରେ ୧୫ ପ୍ରତିଶତ ହ୍ରାସ ପାଇଛି। ବର୍ଷ ୨୦୧୭ରେ କଂଗ୍ରେସର ସଂପତ୍ତି ୮୫୪ କୋଟି ଟଙ୍କା ଥିଲା, ଯାହାକି ୨୦୧୮ ବେଳକୁ ୭୫୪ କୋଟି ଟଙ୍କାରେ ପହଂଚିଥିଲା।