ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କ ସହ ଦ୍ବିତୀୟ ଦିବସରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି । ଏହି ଅନୌପଚାରିକ ଶିଖର ସମ୍ମେଳନରେ ଦୁଇ ରାଷ୍ଟ୍ର ପ୍ରମୁଖଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପରେ ଏହା ଭାରତ ଓ ଚୀନ ସହଯୋଗକୁ ଏକ ନୂତନ ଦିଶା ଦେବ ବୋଲି ଜଣାପଡିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବକ୍ତବ୍ୟରେ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ରହିଥିବା ମତଭେଦକୁ ଆଗାମୀ ଦିନରେ ବିବାଦର ରୂପ ଦିଆଯିବ ନାହିଁ । ପାଖାପାଖି ଦେଢଘଣ୍ଟା ବାର୍ତ୍ତାଳାପ ହୋଇଛି। ଏହି ଆଲୋଚନାରେ ଭାରତର ଅର୍ଥମନ୍ତ୍ରୀ ଏସ୍. ଜୟଶଙ୍କର ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଉଭୟ ଦେଶ ପରସ୍ପରକୁ ଆଗାମୀ ଦିନରେ ସହଯୋଗ କରିବେ। ଦୀର୍ଘ ୨ ହଜାର ବର୍ଷ ହେବ ଭାରତ ଏବଂ ଚାଇନା ଦୁନିଆର ପ୍ରମୁଖ ଆର୍ଥିକ ଶକ୍ତିଶାଳୀ ଦେଶ ମଧ୍ୟରେ ଅନ୍ୟତମ। ଏବେ ପୁଣିଥରେ ଦୁଇ ଦେଶ ମଧ୍ୟରେ ଏହି ବ୍ୟବସାୟିକ ସମ୍ପର୍କ ଆହୁରି ମଜବୁତ ହେବାକୁ ଯାଉଛି। ଗତବର୍ଷ ଚାଇନାର ବୁହାନରେ ଦୁଇ ଦେଶ ମଧ୍ୟରେ ବୈଠକ ହୋଇଥିଲା। ଏହି ବୈଠକ ଭାରତ ପାଇଁ ଗେମ ଚେଞ୍ଜର୍ସ ସାବ୍ୟସ୍ତ ହୋଇଥିଲା। ଉଭୟ ଦେଶ ପରସ୍ପରର ମତକୁ ସମ୍ମାନ ଦେବେ। ଦୁଇ ଦେଶର ସମ୍ୱେଦନଶୀଳ ମାମଲାରେ ପରସ୍ପର ଚିନ୍ତା କରିବେ। ଏମିତିକି ଏହି ସମ୍ପର୍କ ଆଗାମୀ ଦିନରେ ବିଶ୍ୱ ଶାନ୍ତି ଏବଂ ସ୍ଥିରତା ଉପରେ ବାର୍ତ୍ତା ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେହିପରି ଭାରତ ତରଫରୁ ଦିଆଯାଇଥିବା ଆତିଥ୍ୟରେ ଅଭିହୂତ ପ୍ରକାଶ କରିଛନ୍ତି ଚାଇନା ରାଷ୍ଟ୍ରପତି ଜିନପିଙ୍ଗ୍। ତାଙ୍କୁ ଓ ତାଙ୍କର ପ୍ରତିନିଧିଙ୍କ ଯେଉଁଭଳି ଭାରତ ତରଫରୁ ଆତିଥ୍ୟ ଦିଆଯାଇଛି ସେଥିରେ ସେମାନେ ଖୁସି ଜାହିର କରିଛନ୍ତି। ଦୁଇ ଦେଶର ସମ୍ପର୍କକୁ ଆହୁରି ଆଗକୁ ନେବ ବୋଲି ଜିନପିଙ୍ଗ କହିଛନ୍ତି। ଏହା ଦୁଇ ଦେଶ ମଧ୍ୟରେ କଥାବର୍ତ୍ତା ନଥିଲା ବରଂ ବନ୍ଧୁତ୍ବର ଆଉ ଏକ ଯୁଗ ଆରମ୍ଭ ହୋଇଛି ବୋଲି ଜିନପିଙ୍ଗ୍ କହିଛନ୍ତି। ଏହି ସାକ୍ଷାତକାର ଅବସରରେ ଚୀନ୍ ରାଷ୍ଟ୍ରପତି ଜିନ୍ପିଙ୍ଗ୍ଙ୍କୁ ଏକ ଶାଲ୍ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।