ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଥିବା ଅନୌପଚାରିକ ବୈଠକରେ କାଶ୍ମୀର ପ୍ରସଙ୍ଗ ଉଠିନି ବୋଲି କହିଛନ୍ତି ଭାରତୀୟ ବୈଦେଶିକ ସଚିବ ବିଜୟ ଗୋଖଲେ । ଆତଙ୍କବାଦକୁ ନେଇ ଆଲୋଚନା ହୋଇଥିବାବେଳେ କାଶ୍ମୀର ପ୍ରସଙ୍ଗକୁ ନେଇ କିଛି ଆଲୋଚନା ହୋଇନି କହିଛନ୍ତି ବୈଦେଶିକ ସଚିବ । ଏହି ବୈଠକ ସରିବା ପରେ ବୈଦେଶିକ ସଚିବ ବିଜୟ ଗୋଖଲେ ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇ କହିଛନ୍ତି ଯେ, କାଶ୍ମୀର ପ୍ରସଙ୍ଗ ହେଉଛି ଭାରତର ନିଜସ୍ବ ବ୍ୟାପାର । ସେହିପରି ଚୀନ୍ ରାଷ୍ଟ୍ରପତି ପରବର୍ତ୍ତୀ ବୈଠକ ପାଇଁ ଚୀନ୍ ଯିବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ଜଣାଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ କେବେ ଯିବେ, ଏହାନେଇ ତାରିଖ ପରେ ନିର୍ଦ୍ଧାରଣ ହେବ ବୋଲି ସୂଚନା ଦେଇଛନ୍ତି ବୈଦେଶିକ ସଚିବ ।