ସମୀକ୍ଷା ବ୍ୟୁରୋ
ଭୁବନେଶ୍ବରରେ ମଧ୍ୟ ଆପଣମାନେ ପାଇପାରିବେ ରୋବର୍ଟ ୱେଟର ସେବା। ଅର୍ଥାତ ଆପଣ ହୋଟେଲ ଭିତରେ ପଶିଲେ ଆପଣଙ୍କୁ ପ୍ରଥମେ ଦୁଇ ଜଣ ରୋବର୍ଟ ୱେଟର ସ୍ବାଗତ କରିବେ। ଏହିପରି ଏକ ସୁବିଧା ପ୍ରଥମ ଥର ପାଇଁ ଆଣିଛନ୍ତି ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଥିବା ରୋବୋ ସେଫ୍ ହୋଟେଲ। ଆପଣ ସେହି ହୋଟେଲ ଭିତରେ ପଶିଗଲେ ପ୍ରଥମେ ରୋବର୍ଟ ଆପଣଙ୍କୁ ଏକ ସ୍ବାଗତ କରି କହିବ, ଆଜ୍ଞା ନମସ୍କାର, ମୋ ନାଁ ହେଉଛି ଚମ୍ପା, ଆଉ ଏକ ରୋବର୍ଟ କହିବ ମୋ ନାଁ ହେଉଛି ଚମେଲୀ। ଏହାପରେ ଆପଣଙ୍କ ଅର୍ଡର ମୁତାବକ ସେମାନେ ଆପଣଙ୍କ ଟେବୁଲରେ ପରଷି ଦେବେ ଖାଦ୍ୟ ପଦାର୍ଥ। ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏହିପରି ଏକ ବ୍ୟବସ୍ଥାକୁ ଲାଗୁ କରିଛନ୍ତି ହୋଟେଲ କର୍ତ୍ତୁପକ୍ଷ।
ହୋଟେଲରେ ରୋବର୍ଟ ଖାଦ୍ୟ ପରଷିବା ବିଦେଶରେ ଦେଖାଯାଇଥିଲା। ହେଲେ ବର୍ତ୍ତମାନ ଭୁବନେଶ୍ବରରେ ଏହି ସୁବିଧା ଆଣିବା ନିଶ୍ଚିତ ସ୍ବାଗତ ଯୋଗ୍ୟ ପଦକ୍ଷେପ। ତେବେ ଏହା କେବଳ ଓଡିଶାରେ ପ୍ରଥମ ନୁହେଁ, ପୁରା ପୂର୍ବ ଭାରତରେ ଏହି ରୋବର୍ଟ ସେବା ପ୍ରଥମ ବୋଲି କୁହାଯାଇଛି। ବିଦେଶ ହୋଟେଲରେ ରୋବର୍ଟ ସବୁକିଛି କରୁଥିବା ବେଳେ ଭୁବନେଶ୍ବରର ରୋବର୍ଟ କେବଳ ୱେଟର ଭୂମିକାରେ କାମ କରିବ।
ତେବେ ସବୁଠାରୁ ମଜାଦାର କଥା ହେଲା ଯେ, ଆପଣ ଖାଇ ସାରି ହୋଟେଲରୁ ବାହାରିବା ପରେ ଏହି ଦୁଇ ରୋବର୍ଟ ଆପଣଙ୍କ ମତାମତ ନେବେ। ସେଥିପାଇଁ ସେମାନେ ଆପଣଙ୍କୁ ପଚାରିବେ..”ଆମ ସେବାରେ , ଆପଣ ଖୁସି ତ “।