Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୁସ୍ତକମେଳା: ଜଣେ ପ୍ରତିବଦ୍ଧ ପାଠିକାଙ୍କ ସହ ଏକ ବିରଳ ଅନୁଭୂତି
ବିଶେଷ ଖବର

ପୁସ୍ତକମେଳା: ଜଣେ ପ୍ରତିବଦ୍ଧ ପାଠିକାଙ୍କ ସହ ଏକ ବିରଳ ଅନୁଭୂତି

January 17, 2019No Comments5 Mins Read
Share Facebook Twitter LinkedIn Email WhatsApp Copy Link

ଅସିତ ମହାନ୍ତି

ଏଇ ମକର ସଂକ୍ରାନ୍ତି, (୧୪ ଜାନୁଆାରୀ)ଦିନ “ରାଜଧାନୀ ପୁସ୍ତକମେଳା’ ଉଦ୍‍ଯାପିତ ହେଲା । ଏଥରର ଏ ମେଳା ଥିଲା ଦଶଦିନିଆ । ୫ ଜାନୁଆରୀ, ଯେଉଁଦିନ ଦିଲ୍ଲୀରେ ଏନ୍‍ବିଟି  ବିଶ୍ୱ ପୁସ୍ତକମେଳା ଆରମ୍ଭ ହୋଇଥିଲା, ସେହିଦିନ ଭୁବନେଶ୍ୱରରେ ଏ ମେଳା ବି ଉଦ୍‍ଘାଟନ ହୋଇଥିଲା । ଏହା ଥିଲା ଏ ମେଳାର ଊନବିଂଶ ସଂସ୍କରଣ । ଆଗାମୀ ବର୍ଷ ଏହା ଦୁଇ ଦଶନ୍ଧି ପୂର୍ଣ୍ଣ କରିବ ।

ଉଦ୍‍ଯାପନୀ ଉତ୍ସବରେ, ମେଳା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗୋଟିଏ ହିସାବ ପ୍ରକାଶ ପାଇଛି ଯେ ଏଥର ଏ ମେଳାକୁ ୧୨ ଲକ୍ଷ ଲୋକ ଆସିଥିଲେ । ଦଶ ଦିନରେ ବିକାକିଣା ୧୦ କୋଟି ଛୁଇଁଛି ।

କିନ୍ତୁ ଏ ମେଳାର ଗୋଟିଏ ସଂଧ୍ୟାରେ ମୁଁ ଯେଉଁ ବିରଳ ଅନୁଭୂତି ଲାଭକଲି, ଯେଉଁ ବ୍ୟକ୍ତିଙ୍କୁ ଭେଟିଲି- ତାହା ମୋ ପାଇଁ ଏସବୁ ଅପେକ୍ଷା ଅଧିକ ମହତ୍ତ୍ୱପୂର୍ଣ୍ଣ ମନେହେଉଛି ।

ସେଦିନ ଥିଲା ଜାନୁଆରୀ ୧୨ ତାରିଖ । ଏମିତିରେ, ଆରମ୍ଭ ଦିନଠାରୁ ହିଁ ମୁଁ ପ୍ରାୟ ପ୍ରତିଦିନ ପୁସ୍ତକମେଳା ଯାଏ- ସାରା ଦିନର କାମ ପରେ, ରାତି ପ୍ରାୟ ସାତଟା ବେଳକୁ । ପ୍ରାୟ ମେଳା ଶେଷ ହେବା ଯାଏ “ଆମ ଓଡ଼ିଶା’ ଷ୍ଟଲରେ ବସେ । ତାହା ଏକ ଆନନ୍ଦଦାୟକ ଅନୁଭୂତି । ଯତ୍ନରେ ପ୍ରସ୍ତୁତ ହୋଇଥିବା ବହିଗୁଡ଼ିକୁ ପାଠକ ପାଠିକା ଆଦରରେ କିଣି ନେଉଥିବା ଦେଖି ଆମ ଭାଷା-ସାହିତ୍ୟ ପ୍ରତି ପ୍ରତିବଦ୍ଧତା ଆହୁରି ଦୃଢ଼ ହୁଏ । ପୁଣି ସେସବୁ ଭିତରେ ନିଜ ବହି ଥିଲେ ଆନନ୍ଦ ବହୁଗୁଣରେ ବଢ଼ିଯାଏ ।

ସେଦିନ କିନ୍ତୁ ଥିଲା ଏକ ବ୍ୟତିକ୍ରମ । ଅପରା୍‍ହଣ ପ୍ରାୟ ୪ଟା ବେଳକୁ ମେଳାକୁ ଯାଇଥିଲି । ସଂଧ୍ୟାରେ କିଛି ବ୍ୟକ୍ତିଗତ କାମ ଥିବାରୁ, ୬ଟା ଆଗରୁ ମେଳାରୁ ଫେରିଆସିବି ବୋଲି ଭାବିଥିଲି । କିନ୍ତୁ ସେଇ ସମୟ ଭିତରେ ମୋ ପାଇଁ ଯେ ଏକ ପରମ ଆନନ୍ଦଦାୟକ ଅନୁଭୂତି ଅଦୃଷ୍ଟ ସାଇତି ରଖିଥିଲା, ତାହା ଜାଣି ନଥିଲି ।

ଅପରାହ୍‍ଣର ସୂର୍ଯ୍ୟ ଅସ୍ତାଚଳକୁ ପ୍ରାୟ ଛୁଇଁବା ବେଳକୁ, ଜଣେ ମହିଳା ଆସି ପହଞ୍ଚିଲେ । ମୁଣ୍ଡର କେଶ ସଂପୂର୍ଣ୍ଣ ଧଳା ହୋଇଯାଇଛି । କିନ୍ତୁ ମୁହଁ ଓ ଆଖିରେ ଅଭ୍ଭୁତ ଦୀପ୍ତି । ସଂପୂର୍ଣ୍ଣ ସଂଭ୍ରାନ୍ତ ପରିଧାନ ଓ ହାବଭାବ । ଆସି, ଆମ ଷ୍ଟଲ୍‍ ଆଗରେ, ମୋ ସାମ୍ନାରେ ଠିଆହୋଇ କହିଲେ- କେତେ ଖୋଜି ଖୋଜି ଆସିଛି । ଅସିତ ମହାନ୍ତିଙ୍କ “ନବକଳେବର’ ବହି ଖଣ୍ଡିଏ ଦିଅନ୍ତୁ !

ବହି ଖଣ୍ଡିଏ କିଣିଲେ । କହିଲେ, ଏଯାଏ ଚାଲି ଚାଲି ଆସିଛି । ଠିକରେ  ଠିଆ ହୋଇପାରୁନି । ଚଉକି ଖଣ୍ଡିଏ ଦେବେ!

ମୁଁ ଆଗ୍ରହରେ ଚଉକିଟିଏ ଷ୍ଟଲ୍‍ ଆଗରେ ପକାଇଦେଲି । କହିଲି- ବସନ୍ତୁ !

ସେ ସେଇଠି ବସି ବସି ଆଉ କେତୋଟି ବହି ଆଗ୍ରହରେ ଦେଖିଲେ ।

ସେଇ ସୁଯୋଗରେ ମୁଁ ତାଙ୍କୁ ମୋର ପରିଚୟ ଦେଲି । ସେ ଏବେ ଏବେ କିଣିଥିବା “ନବକଳେବର କଥା’ର ଲେଖକ ମୁଁ ବୋଲି ଜାଣି, ସେ ମୋ’ ହାତ ମୁଠା ଆଉଁସି କେତେ ଆଶୀର୍ବାଦ କଲେ । କହିଲେ, ତୁମେ ଜଣେ ଖୁବ୍‍ ବୟସ୍କ ଲୋକ ହୋଇଥିବ ବୋଲି ଭାବିଥିଲି । ହେଲେ, ତୁମେ ତ ମୋ’ ପୁଅ ପରି! ଅନେକ ଦିନ ହେଲା ତୁମକୁ ଖୋଜୁଥିଲି । କେତେଜଣଙ୍କୁ ବହି ଖଣ୍ଡିଏ ଆଣି ଦିଅ ବୋଲି କେତେଥର କହିଛି । କିନ୍ତୁ ପାଇ ନାହିଁ । ଥରେ ତୁମ ଫେ ।ନ୍‍ ନମ୍ୱର ଟିପି ରଖିଥିଲି । ହେଲେ, କେମିତି କେଜାଣି ତାକୁ ହଜାଇ ଦେଲି । ଯା’ହଉ ! ଆଜି ବହିଟି ମିଳିଗଲା! ଆଉ ତୁମ ସାଙ୍ଗେ ବି ଦେଖାହୋଇଗଲା!!

ତାଙ୍କ ସ୍ୱର ଶୁଭୁଥିଲା ଖୁସିରେ ବିହ୍ୱଳ । ଆଖି ଓ ମୁହଁର ତେଜ ସତେ ଯେମିତି ଅାହୁରି ବଢ଼ି ଯାଇଥିଲା ।

ପଚାରି ବୁଝିଲି, ତାଙ୍କର ବୟସ ୮୭ ବର୍ଷ । ନାଁ କମଳା କୁମାରୀ ସାମନ୍ତରାୟ । ଓଡ଼ିଶାର ଜଣାଶୁଣା ଶିକ୍ଷକନେତା ତଥା “ଶିକ୍ଷକ ଦର୍ପଣ’ ପତ୍ରିକାର ସ୍ୱନାମଧନ୍ୟ ସଂପାଦକ, ସ୍ୱର୍ଗତ ବନମାଳୀ ବ୍ରହ୍ମଚାରୀଙ୍କ ଝିଅ । ଦି’ ପୁଅ ସୁଶିକ୍ଷିତ, ସୁପ୍ରତିଷ୍ଠିତ । ରହୁଛନ୍ତି ବିଦେଶରେ । ଏଠି, ଭୁବନେଶ୍ୱରରେ ଝିଅ ମଞ୍ଜୁଶ୍ରୀ ସହିତ ସେ ରହୁଛନ୍ତି । ମଞ୍ଜୁଶ୍ରୀ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ କ୍ୟୁରେଟର ଥିଲେ । ତିନିବର୍ଷ ତଳେ ସୁପରିଣ୍ଟେନ୍ଦେଣ୍ଟ ହୋଇ ଅବସର ନେଲେ ।

ତାଙ୍କ ସହିତ ଏସବୁ କଥା ହେବାବେଳେ ଭାସ୍ୱତୀ (ବସୁ) ତାଙ୍କ ଝିଅ ସହିତ ଆମ ଷ୍ଟଲ୍‍କୁ ଆସିଥିଲେ । ମୁଁ ତାଙ୍କୁ କହିଲି- ଦେଖ, ୮୭ ବର୍ଷ ବୟସ, ତଥାପି ଖୋଜି ଖୋଜି ମୋ ବହି କିଣିବାକୁ ଆସିଛନ୍ତି!

ସ ଚୁପ୍‍ କରି ମତେ ପଚାରିଲେ- ଆପଣଙ୍କ ସହିତ ତାଙ୍କର ଫଟୋ ନେବି? ମୋବାଇଲ୍‍ ଦିଅନ୍ତୁ! ମୁଁ କହିଲି- ନା, ଥାଉ !

ଭାସ୍ୱତୀ ଝିଅ ପାଇଁ ବହି କିଣିବାକୁ ମେଳାର ଅନ୍ୟ ଷ୍ଟଲ୍‍ଅାଡ଼କୁ ଚାଲିଗଲେ ।

ପାଖରେ ଠିଆା ହୋଇଥିବା ତାଙ୍କ ଝିଅ ମଞ୍ଜୁଶ୍ରୀ କହିଲେ- ମା’ ବହୁତ ପଢ଼ନ୍ତି । ଉଭୟ ଓଡ଼ିଆ  ଓ ବଙ୍ଗଳା ।

ସେଇ ସୁଯୋଗରେ ମୁଁ ତାଙ୍କୁ ପଚାରିଲି- କେଉଁ ବଙ୍ଗଳା ବହି ଆପଣଙ୍କର ପ୍ରିୟ?

ସେ ଉତ୍ତର ଦେବା ଆଗରୁ ମଞ୍ଜୁଶ୍ରୀ କହିଲେ, “ପ୍ରଥମ ପ୍ରତିଶ୍ରୁତି’ । ଆଶାପୂର୍ଣ୍ଣା ଦେବୀଙ୍କ ଉପନ୍ୟାସ ।

ସେ ପଚାରିଲେ- “ପ୍ରଥମ ପ୍ରତିଶ୍ରୁତି’ର ଓଡ଼ିଆା ଅନୁବାଦ ଏଠି ମିଳିବ ? କିଏ ଛାପିଛି?

ମୁଁ ପଚାରିଲି- ଆପଣ ତ ପଢ଼ିସାରିଛନ୍ତି । ପୁଣି କାଇଁକି ଖୋଜୁଛନ୍ତି?

ସେ କହିଲେ- ମୁଁ ବହୁ ଆଗରୁ ପଢ଼ିଛି । ମୂଳ ବଙ୍ଗଳାରେ । ଓଡ଼ିଆ ଅନୁବାଦ ପିଲାଙ୍କ ପାଇଁ ଖୋଜୁଛି ।

ତାଙ୍କୁ କହିଲି- ଯେତିକି ଜାଣେ, ଚିତ୍ତରଂଜନ ଦାସ ତାହାର ଅନୁବାଦ କରିଛନ୍ତି । ପ୍ରକାଶକ- କଟକର “ବିଦ୍ୟାପୁରୀ’ । କିନ୍ତୁ ସେ ସଂସ୍ଥା ଏ ପୁସ୍ତକମେଳାକୁ ଆସିନାହିଁ । ଆଉ ଗୋଟିଏ ମେଳା ବୋଧେ ଆରମାସ ୨୦ ତାରିଖ ବେଳକୁ ହେବ । ସେ ମେଳାକୁ ଆସନ୍ତୁ । ମିଳିଯିବ ।

ସେ ମୋତେ ଆଖିଟେକି କିଛି ବେଳ ଚାହିଁଲେ । କିଛି କହିଲେ ନାହିଁ । ମୁହଁରେ ଯେମିତି ଏକ ହାଲୁକା ଉଦାସିର ଛାଇ ।

କଥାଯୋଡ଼ି ମୁଁ ପୁଣି ପଚାରିଲି- କେଉଁ ଓଡ଼ିଆ  ଲେଖକ ଆପଣଙ୍କର ପ୍ରିୟ ?

ତାଙ୍କର ମୁହଁ, ଆଖି ପୁଣି ଉଜ୍ଜ୍ୱଳି ଉଠିଲା । ଟିକିଏ ହସିଦେଇ ସେ କହିଲେ- ଅନେକ । କାହା କାହା ନାଁ ତୁମକୁ କହିବି ?

ସେତେବେଳକୁ ତାଙ୍କ ହାତ ଆମ ପ୍ରକାଶନ ଛାପିଥିବା ଅଖିଳ ଗଳ୍ପ ସମଗ୍ର “ଅଖିଳାୟନ’ ଓ ସୁରେନ୍ଦ୍ର ମହାନ୍ତିଙ୍କ  “ଶେଷସ୍ତମ୍ଭ’ ପରି ପୁସ୍ତକ ଉପରେ ବୁଲିଯାଉଥିଲା । ମହୀମୋହନ ତ୍ରିପାଠୀଙ୍କ “ଶ୍ରୀଜଗନ୍ନାଥ’ ବହିରୁ ଜଗନ୍ନାଥେ ସତେ ଯେମିତି ତାଙ୍କୁ ଚାହିଁ ରହିଥିଲେ!

ସେ ଆସ୍ତେ ଉଠିଲେ । ମୁଁ ମୋର ସେଇ ଅନୁତ୍ତରିତ ଥିବା ପ୍ରଶ୍ନଟିକୁ ଆଉ ଥରେ ଆଗ୍ରହରେ ଦୋହରାଇଲି । ପଚାରିଲି- “ପ୍ରଥମ ପ୍ରତିଶ୍ରୁତି’ ନେବାପାଇଁ ଆରମାସ ମେଳାକୁ ଆସିବେ !

ଏଥର କିନ୍ତୁ ସେ ଆଉ ନିରବ ରହିଲେ ନାହିଁ, କହିଲେ- ନା । ଏଇ ବୋଧେ ଶେଷ । ୮୭ ହେଲାଣି ।ଆଉ କ’ଣ ପାଦରେ ଚାଲି ଆସିପାରିବି!

ମୁଁ କହିଲି- ନିଶ୍ଚେ ପାରିବେ! ଏଇଠି ପୁଣି ଆମର ଦେଖା ହେବ!! ପୁଣି ବି ତାଙ୍କୁ ଲୋଭ ଦେବା ପରି କହିଲି- ମୋ’ “ରଥକଥା’ ବହି ବୋଧେ ସେତେବେଳକୁ ବାହାରି ସାରିଥିବ!!!

ସେ ମୋ’ ଫୋନ୍‍ ନମ୍ୱର ମାଗିଲେ । ମୁଁ କହିଲି । ତାଙ୍କ ପାଇଁ ତାଙ୍କ ଝିଅ ମଞ୍ଜୁଶ୍ରୀ ଟିପିନେଲେ । ମୋ ମୋବାଇଲ୍‍ରେ ଆମେ ଏକାଠି ଫଟୋଉଠାଇଲୁ ।

ସେ ଆମ ଷ୍ଟଲ୍‍ ଛାଡ଼ି ଯିବା ଆଗରୁ, ମୁଁ ଆଉଥରେ ଆଉରି ଆଗ୍ରହରେ ପଚାରିଲି- ଆର ମେଳାକୁ ଆସିବେ!!!

ସେ କହିଲେ- କେଜାଣି !!

ସେଦିନ ରାଜଧାନୀ ପୁସ୍ତକ ମେଳା ଆଉ ମାତ୍ର ଦୁଇଦିନ ଥିଲା । ସେ ମେଳା ମକର ସଂକ୍ରାନ୍ତି ରାତିରେ ସରିଗଲା । କିନ୍ତୁ ତାଙ୍କର ସେଇ “କେଜାଣି’ ଶବ୍ଦଟି ସେଦିନଠୁ ଏଯାଏ ମୋ’ କାନରେ କମ୍ପନ ସୃଷ୍ଟି କରି ଚାଲିଛି ।

ଏବେ କିନ୍ତୁ ମୁଁ ତାଙ୍କଠୁ’ ଅତି କମ୍‍ରେ ଫେ ।ନ୍‍ଟିଏ ପାଇବାକୁ ଏବଂ ଆର ପୁସ୍ତକ ମେଳାରେ ତାଙ୍କୁ ଆଉଥରେ ଭେଟିବାକୁ ଆଗ୍ରହରେ ଅପେକ୍ଷା କରି ରହିଛି !!

bookfair odianews
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇସ୍ରାଏଲରେ ଭବ୍ୟ ସ୍ୱାଗତ: ବିମାନବନ୍ଦରରେ ମିଳିଲା ଗାର୍ଡ ଅଫ୍ ଅନର

February 25, 2026

“ଆମେ ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ଦେବୁ ନାହିଁ…”: NCERT ପୁସ୍ତକ ଉପରେ CJI କ୍ଷୁବ୍ଧ

February 25, 2026
Latest News

ଆଜି ଫେବୃୟାରୀ ୨୬ ଗୁରୁବାର ଦିନ ଏହି ରାଶିର ବ୍ୟକ୍ତିମାନେ ସକାଳୁ ପାଇବେ ଶୁଭ ଖବର

February 26, 2026

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.