ଅସିତ ମହାନ୍ତି
ଏଇ ମକର ସଂକ୍ରାନ୍ତି, (୧୪ ଜାନୁଆାରୀ)ଦିନ “ରାଜଧାନୀ ପୁସ୍ତକମେଳା’ ଉଦ୍ଯାପିତ ହେଲା । ଏଥରର ଏ ମେଳା ଥିଲା ଦଶଦିନିଆ । ୫ ଜାନୁଆରୀ, ଯେଉଁଦିନ ଦିଲ୍ଲୀରେ ଏନ୍ବିଟି ବିଶ୍ୱ ପୁସ୍ତକମେଳା ଆରମ୍ଭ ହୋଇଥିଲା, ସେହିଦିନ ଭୁବନେଶ୍ୱରରେ ଏ ମେଳା ବି ଉଦ୍ଘାଟନ ହୋଇଥିଲା । ଏହା ଥିଲା ଏ ମେଳାର ଊନବିଂଶ ସଂସ୍କରଣ । ଆଗାମୀ ବର୍ଷ ଏହା ଦୁଇ ଦଶନ୍ଧି ପୂର୍ଣ୍ଣ କରିବ ।
ଉଦ୍ଯାପନୀ ଉତ୍ସବରେ, ମେଳା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗୋଟିଏ ହିସାବ ପ୍ରକାଶ ପାଇଛି ଯେ ଏଥର ଏ ମେଳାକୁ ୧୨ ଲକ୍ଷ ଲୋକ ଆସିଥିଲେ । ଦଶ ଦିନରେ ବିକାକିଣା ୧୦ କୋଟି ଛୁଇଁଛି ।
କିନ୍ତୁ ଏ ମେଳାର ଗୋଟିଏ ସଂଧ୍ୟାରେ ମୁଁ ଯେଉଁ ବିରଳ ଅନୁଭୂତି ଲାଭକଲି, ଯେଉଁ ବ୍ୟକ୍ତିଙ୍କୁ ଭେଟିଲି- ତାହା ମୋ ପାଇଁ ଏସବୁ ଅପେକ୍ଷା ଅଧିକ ମହତ୍ତ୍ୱପୂର୍ଣ୍ଣ ମନେହେଉଛି ।
ସେଦିନ ଥିଲା ଜାନୁଆରୀ ୧୨ ତାରିଖ । ଏମିତିରେ, ଆରମ୍ଭ ଦିନଠାରୁ ହିଁ ମୁଁ ପ୍ରାୟ ପ୍ରତିଦିନ ପୁସ୍ତକମେଳା ଯାଏ- ସାରା ଦିନର କାମ ପରେ, ରାତି ପ୍ରାୟ ସାତଟା ବେଳକୁ । ପ୍ରାୟ ମେଳା ଶେଷ ହେବା ଯାଏ “ଆମ ଓଡ଼ିଶା’ ଷ୍ଟଲରେ ବସେ । ତାହା ଏକ ଆନନ୍ଦଦାୟକ ଅନୁଭୂତି । ଯତ୍ନରେ ପ୍ରସ୍ତୁତ ହୋଇଥିବା ବହିଗୁଡ଼ିକୁ ପାଠକ ପାଠିକା ଆଦରରେ କିଣି ନେଉଥିବା ଦେଖି ଆମ ଭାଷା-ସାହିତ୍ୟ ପ୍ରତି ପ୍ରତିବଦ୍ଧତା ଆହୁରି ଦୃଢ଼ ହୁଏ । ପୁଣି ସେସବୁ ଭିତରେ ନିଜ ବହି ଥିଲେ ଆନନ୍ଦ ବହୁଗୁଣରେ ବଢ଼ିଯାଏ ।
ସେଦିନ କିନ୍ତୁ ଥିଲା ଏକ ବ୍ୟତିକ୍ରମ । ଅପରା୍ହଣ ପ୍ରାୟ ୪ଟା ବେଳକୁ ମେଳାକୁ ଯାଇଥିଲି । ସଂଧ୍ୟାରେ କିଛି ବ୍ୟକ୍ତିଗତ କାମ ଥିବାରୁ, ୬ଟା ଆଗରୁ ମେଳାରୁ ଫେରିଆସିବି ବୋଲି ଭାବିଥିଲି । କିନ୍ତୁ ସେଇ ସମୟ ଭିତରେ ମୋ ପାଇଁ ଯେ ଏକ ପରମ ଆନନ୍ଦଦାୟକ ଅନୁଭୂତି ଅଦୃଷ୍ଟ ସାଇତି ରଖିଥିଲା, ତାହା ଜାଣି ନଥିଲି ।
ଅପରାହ୍ଣର ସୂର୍ଯ୍ୟ ଅସ୍ତାଚଳକୁ ପ୍ରାୟ ଛୁଇଁବା ବେଳକୁ, ଜଣେ ମହିଳା ଆସି ପହଞ୍ଚିଲେ । ମୁଣ୍ଡର କେଶ ସଂପୂର୍ଣ୍ଣ ଧଳା ହୋଇଯାଇଛି । କିନ୍ତୁ ମୁହଁ ଓ ଆଖିରେ ଅଭ୍ଭୁତ ଦୀପ୍ତି । ସଂପୂର୍ଣ୍ଣ ସଂଭ୍ରାନ୍ତ ପରିଧାନ ଓ ହାବଭାବ । ଆସି, ଆମ ଷ୍ଟଲ୍ ଆଗରେ, ମୋ ସାମ୍ନାରେ ଠିଆହୋଇ କହିଲେ- କେତେ ଖୋଜି ଖୋଜି ଆସିଛି । ଅସିତ ମହାନ୍ତିଙ୍କ “ନବକଳେବର’ ବହି ଖଣ୍ଡିଏ ଦିଅନ୍ତୁ !
ବହି ଖଣ୍ଡିଏ କିଣିଲେ । କହିଲେ, ଏଯାଏ ଚାଲି ଚାଲି ଆସିଛି । ଠିକରେ ଠିଆ ହୋଇପାରୁନି । ଚଉକି ଖଣ୍ଡିଏ ଦେବେ!
ମୁଁ ଆଗ୍ରହରେ ଚଉକିଟିଏ ଷ୍ଟଲ୍ ଆଗରେ ପକାଇଦେଲି । କହିଲି- ବସନ୍ତୁ !
ସେ ସେଇଠି ବସି ବସି ଆଉ କେତୋଟି ବହି ଆଗ୍ରହରେ ଦେଖିଲେ ।
ସେଇ ସୁଯୋଗରେ ମୁଁ ତାଙ୍କୁ ମୋର ପରିଚୟ ଦେଲି । ସେ ଏବେ ଏବେ କିଣିଥିବା “ନବକଳେବର କଥା’ର ଲେଖକ ମୁଁ ବୋଲି ଜାଣି, ସେ ମୋ’ ହାତ ମୁଠା ଆଉଁସି କେତେ ଆଶୀର୍ବାଦ କଲେ । କହିଲେ, ତୁମେ ଜଣେ ଖୁବ୍ ବୟସ୍କ ଲୋକ ହୋଇଥିବ ବୋଲି ଭାବିଥିଲି । ହେଲେ, ତୁମେ ତ ମୋ’ ପୁଅ ପରି! ଅନେକ ଦିନ ହେଲା ତୁମକୁ ଖୋଜୁଥିଲି । କେତେଜଣଙ୍କୁ ବହି ଖଣ୍ଡିଏ ଆଣି ଦିଅ ବୋଲି କେତେଥର କହିଛି । କିନ୍ତୁ ପାଇ ନାହିଁ । ଥରେ ତୁମ ଫେ ।ନ୍ ନମ୍ୱର ଟିପି ରଖିଥିଲି । ହେଲେ, କେମିତି କେଜାଣି ତାକୁ ହଜାଇ ଦେଲି । ଯା’ହଉ ! ଆଜି ବହିଟି ମିଳିଗଲା! ଆଉ ତୁମ ସାଙ୍ଗେ ବି ଦେଖାହୋଇଗଲା!!
ତାଙ୍କ ସ୍ୱର ଶୁଭୁଥିଲା ଖୁସିରେ ବିହ୍ୱଳ । ଆଖି ଓ ମୁହଁର ତେଜ ସତେ ଯେମିତି ଅାହୁରି ବଢ଼ି ଯାଇଥିଲା ।
ପଚାରି ବୁଝିଲି, ତାଙ୍କର ବୟସ ୮୭ ବର୍ଷ । ନାଁ କମଳା କୁମାରୀ ସାମନ୍ତରାୟ । ଓଡ଼ିଶାର ଜଣାଶୁଣା ଶିକ୍ଷକନେତା ତଥା “ଶିକ୍ଷକ ଦର୍ପଣ’ ପତ୍ରିକାର ସ୍ୱନାମଧନ୍ୟ ସଂପାଦକ, ସ୍ୱର୍ଗତ ବନମାଳୀ ବ୍ରହ୍ମଚାରୀଙ୍କ ଝିଅ । ଦି’ ପୁଅ ସୁଶିକ୍ଷିତ, ସୁପ୍ରତିଷ୍ଠିତ । ରହୁଛନ୍ତି ବିଦେଶରେ । ଏଠି, ଭୁବନେଶ୍ୱରରେ ଝିଅ ମଞ୍ଜୁଶ୍ରୀ ସହିତ ସେ ରହୁଛନ୍ତି । ମଞ୍ଜୁଶ୍ରୀ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ କ୍ୟୁରେଟର ଥିଲେ । ତିନିବର୍ଷ ତଳେ ସୁପରିଣ୍ଟେନ୍ଦେଣ୍ଟ ହୋଇ ଅବସର ନେଲେ ।
ତାଙ୍କ ସହିତ ଏସବୁ କଥା ହେବାବେଳେ ଭାସ୍ୱତୀ (ବସୁ) ତାଙ୍କ ଝିଅ ସହିତ ଆମ ଷ୍ଟଲ୍କୁ ଆସିଥିଲେ । ମୁଁ ତାଙ୍କୁ କହିଲି- ଦେଖ, ୮୭ ବର୍ଷ ବୟସ, ତଥାପି ଖୋଜି ଖୋଜି ମୋ ବହି କିଣିବାକୁ ଆସିଛନ୍ତି!
ସ ଚୁପ୍ କରି ମତେ ପଚାରିଲେ- ଆପଣଙ୍କ ସହିତ ତାଙ୍କର ଫଟୋ ନେବି? ମୋବାଇଲ୍ ଦିଅନ୍ତୁ! ମୁଁ କହିଲି- ନା, ଥାଉ !
ଭାସ୍ୱତୀ ଝିଅ ପାଇଁ ବହି କିଣିବାକୁ ମେଳାର ଅନ୍ୟ ଷ୍ଟଲ୍ଅାଡ଼କୁ ଚାଲିଗଲେ ।
ପାଖରେ ଠିଆା ହୋଇଥିବା ତାଙ୍କ ଝିଅ ମଞ୍ଜୁଶ୍ରୀ କହିଲେ- ମା’ ବହୁତ ପଢ଼ନ୍ତି । ଉଭୟ ଓଡ଼ିଆ ଓ ବଙ୍ଗଳା ।
ସେଇ ସୁଯୋଗରେ ମୁଁ ତାଙ୍କୁ ପଚାରିଲି- କେଉଁ ବଙ୍ଗଳା ବହି ଆପଣଙ୍କର ପ୍ରିୟ?
ସେ ଉତ୍ତର ଦେବା ଆଗରୁ ମଞ୍ଜୁଶ୍ରୀ କହିଲେ, “ପ୍ରଥମ ପ୍ରତିଶ୍ରୁତି’ । ଆଶାପୂର୍ଣ୍ଣା ଦେବୀଙ୍କ ଉପନ୍ୟାସ ।
ସେ ପଚାରିଲେ- “ପ୍ରଥମ ପ୍ରତିଶ୍ରୁତି’ର ଓଡ଼ିଆା ଅନୁବାଦ ଏଠି ମିଳିବ ? କିଏ ଛାପିଛି?
ମୁଁ ପଚାରିଲି- ଆପଣ ତ ପଢ଼ିସାରିଛନ୍ତି । ପୁଣି କାଇଁକି ଖୋଜୁଛନ୍ତି?
ସେ କହିଲେ- ମୁଁ ବହୁ ଆଗରୁ ପଢ଼ିଛି । ମୂଳ ବଙ୍ଗଳାରେ । ଓଡ଼ିଆ ଅନୁବାଦ ପିଲାଙ୍କ ପାଇଁ ଖୋଜୁଛି ।
ତାଙ୍କୁ କହିଲି- ଯେତିକି ଜାଣେ, ଚିତ୍ତରଂଜନ ଦାସ ତାହାର ଅନୁବାଦ କରିଛନ୍ତି । ପ୍ରକାଶକ- କଟକର “ବିଦ୍ୟାପୁରୀ’ । କିନ୍ତୁ ସେ ସଂସ୍ଥା ଏ ପୁସ୍ତକମେଳାକୁ ଆସିନାହିଁ । ଆଉ ଗୋଟିଏ ମେଳା ବୋଧେ ଆରମାସ ୨୦ ତାରିଖ ବେଳକୁ ହେବ । ସେ ମେଳାକୁ ଆସନ୍ତୁ । ମିଳିଯିବ ।
ସେ ମୋତେ ଆଖିଟେକି କିଛି ବେଳ ଚାହିଁଲେ । କିଛି କହିଲେ ନାହିଁ । ମୁହଁରେ ଯେମିତି ଏକ ହାଲୁକା ଉଦାସିର ଛାଇ ।
କଥାଯୋଡ଼ି ମୁଁ ପୁଣି ପଚାରିଲି- କେଉଁ ଓଡ଼ିଆ ଲେଖକ ଆପଣଙ୍କର ପ୍ରିୟ ?
ତାଙ୍କର ମୁହଁ, ଆଖି ପୁଣି ଉଜ୍ଜ୍ୱଳି ଉଠିଲା । ଟିକିଏ ହସିଦେଇ ସେ କହିଲେ- ଅନେକ । କାହା କାହା ନାଁ ତୁମକୁ କହିବି ?
ସେତେବେଳକୁ ତାଙ୍କ ହାତ ଆମ ପ୍ରକାଶନ ଛାପିଥିବା ଅଖିଳ ଗଳ୍ପ ସମଗ୍ର “ଅଖିଳାୟନ’ ଓ ସୁରେନ୍ଦ୍ର ମହାନ୍ତିଙ୍କ “ଶେଷସ୍ତମ୍ଭ’ ପରି ପୁସ୍ତକ ଉପରେ ବୁଲିଯାଉଥିଲା । ମହୀମୋହନ ତ୍ରିପାଠୀଙ୍କ “ଶ୍ରୀଜଗନ୍ନାଥ’ ବହିରୁ ଜଗନ୍ନାଥେ ସତେ ଯେମିତି ତାଙ୍କୁ ଚାହିଁ ରହିଥିଲେ!
ସେ ଆସ୍ତେ ଉଠିଲେ । ମୁଁ ମୋର ସେଇ ଅନୁତ୍ତରିତ ଥିବା ପ୍ରଶ୍ନଟିକୁ ଆଉ ଥରେ ଆଗ୍ରହରେ ଦୋହରାଇଲି । ପଚାରିଲି- “ପ୍ରଥମ ପ୍ରତିଶ୍ରୁତି’ ନେବାପାଇଁ ଆରମାସ ମେଳାକୁ ଆସିବେ !
ଏଥର କିନ୍ତୁ ସେ ଆଉ ନିରବ ରହିଲେ ନାହିଁ, କହିଲେ- ନା । ଏଇ ବୋଧେ ଶେଷ । ୮୭ ହେଲାଣି ।ଆଉ କ’ଣ ପାଦରେ ଚାଲି ଆସିପାରିବି!
ମୁଁ କହିଲି- ନିଶ୍ଚେ ପାରିବେ! ଏଇଠି ପୁଣି ଆମର ଦେଖା ହେବ!! ପୁଣି ବି ତାଙ୍କୁ ଲୋଭ ଦେବା ପରି କହିଲି- ମୋ’ “ରଥକଥା’ ବହି ବୋଧେ ସେତେବେଳକୁ ବାହାରି ସାରିଥିବ!!!
ସେ ମୋ’ ଫୋନ୍ ନମ୍ୱର ମାଗିଲେ । ମୁଁ କହିଲି । ତାଙ୍କ ପାଇଁ ତାଙ୍କ ଝିଅ ମଞ୍ଜୁଶ୍ରୀ ଟିପିନେଲେ । ମୋ ମୋବାଇଲ୍ରେ ଆମେ ଏକାଠି ଫଟୋଉଠାଇଲୁ ।
ସେ ଆମ ଷ୍ଟଲ୍ ଛାଡ଼ି ଯିବା ଆଗରୁ, ମୁଁ ଆଉଥରେ ଆଉରି ଆଗ୍ରହରେ ପଚାରିଲି- ଆର ମେଳାକୁ ଆସିବେ!!!
ସେ କହିଲେ- କେଜାଣି !!
ସେଦିନ ରାଜଧାନୀ ପୁସ୍ତକ ମେଳା ଆଉ ମାତ୍ର ଦୁଇଦିନ ଥିଲା । ସେ ମେଳା ମକର ସଂକ୍ରାନ୍ତି ରାତିରେ ସରିଗଲା । କିନ୍ତୁ ତାଙ୍କର ସେଇ “କେଜାଣି’ ଶବ୍ଦଟି ସେଦିନଠୁ ଏଯାଏ ମୋ’ କାନରେ କମ୍ପନ ସୃଷ୍ଟି କରି ଚାଲିଛି ।
ଏବେ କିନ୍ତୁ ମୁଁ ତାଙ୍କଠୁ’ ଅତି କମ୍ରେ ଫେ ।ନ୍ଟିଏ ପାଇବାକୁ ଏବଂ ଆର ପୁସ୍ତକ ମେଳାରେ ତାଙ୍କୁ ଆଉଥରେ ଭେଟିବାକୁ ଆଗ୍ରହରେ ଅପେକ୍ଷା କରି ରହିଛି !!