Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ରାଜ୍ୟପାଳଙ୍କ ଦ୍ବାରା ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ “ଅକ୍ଷର’ର ଉଦଯାପନ

ଭୁବନେଶ୍ୱର: ବହିର ବିକଳ୍ପ ନାହିଁ। ସମୟର ଆହ୍ୱାନ ଓ ଆବଶ୍ୟକତା ମୁତାବକ ନିଜକୁ ପ୍ରସ୍ତୁତ କରିବାକୁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍ତି। ଆଜି ଭୁବନେଶ୍ୱରରେ ଆୟୋଜିତ ପଂଚମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ “ଅକ୍ଷର’ର ସମାପନ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି ଯେ, ପୁସ୍ତକ ହେଉଛି ଜ୍ଞାନର ଗବାକ୍ଷ।

ଏହା ଅସୀମ ଦୁନିଆକୁ ପ୍ରବେଶ ପଥ। ପୁସ୍ତକ ମାଧ୍ୟମରେ ଚିନ୍ତାଚେତନା ଓ ଭାବଭାବନାର ଅଭିବୃଦ୍ଧି ଘଟିଥାଏ। ବୌଦ୍ଧିକ ପରିସରକୁ ପରିପୁଷ୍ଟ କରିଥାଏ। ପୁସ୍ତକର ଶକ୍ତି ବନ୍ଧୁକର ଗୁଳିଠୁ ବି ଅଧିକ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି।

ପୁସ୍ତକକୁ ଆଦରିବାର ଅର୍ଥ ହେଉଛି ଜ୍ଞାନ ଓ ଧର୍ମକୁ ସମ୍ମାନ କରିବା। ପୁସ୍ତକର ଯାତ୍ରା ମୌଖିକ ମାଧ୍ୟମରୁ ଆରମ୍ଭ କରି ଏଠି ପହଂଚିଛି। ଆଧୁନିକ ଜ୍ଞାନ କୌଶଳର ଉପଯୋଗ କରି ପୁସ୍ତକ ନୂଆ ରୂପ ନେବାରେ ଲାଗିଛି। ଏହାକୁ ଆପଣେଇବା ହିଁ ଆଜିର ବାସ୍ତବତା ବୋଲି ରାଜ୍ୟପାଳ କହିଛନ୍ତି।

ପଠନାଭ୍ୟାସକୁ ଗୁରୁତ୍ୱ ଦେବା ଦରକାର। ବ୍ୟକ୍ତିଗତ ତଥା ସାମାଜିକସ୍ତରରେ ବେଶୀ ପାଠାଗାର ସ୍ଥାପନ ହେବା ଆବଶ୍ୟକ। ଆମ ଦେଶର ସାହିତ୍ୟର ଏକ ଦୀର୍ଘ ଓ ସମୃଦ୍ଧ ପରଂପରା ରହିଛି। ଓଡ଼ିଆ ସାହିତ୍ୟ ସହ ଅନ୍ୟ ଭାଷାର ସାହିତ୍ୟ ମଧ୍ୟରେ ସଂପର୍କକୁ ଗଠନମୂଳକ ଓ କ୍ରିୟାଶୀଳ କରିବାକୁ ରାଜ୍ୟପାଳ ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି।

ଓଡ଼ିଆ ସାହିତ୍ୟ, ଭାଷା ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଯାପନ ସମାରୋହରେ ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଡ.ପ୍ରସନ୍ନ କୁମାର ସ୍ୱାଇଁ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ।

ଏହି ଅବସରରେ ପ୍ରଖ୍ୟାତ କବି ରମାକାନ୍ତ ରଥଙ୍କ କବିତାର ଇଂରାଜୀ ଅନୁବାଦ ଉନ୍ମୋଚିତ ହୋଇଥିଲା। କବି ଶ୍ରୀ ରଥଙ୍କ ସହ ଅନୁବାଦକ ଜିତେନ୍ଦ୍ରନାଥ ମିଶ୍ର ମଂଚରେ ଉପସ୍ଥିତ ଥିଲେ। ବିଭାଗୀୟ ଉପନିର୍ଦ୍ଦେଶକ ଶୁଚିସ୍ମିତା ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଶିଷ୍ଟ ଲେଖିକା ତଥା ରାଜ୍ୟ ସଂଗ୍ରାହାଳୟର ଅଧ୍ୟକ୍ଷା ଭାଗ୍ୟଲିପି ମଲ୍ଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ବିଶେଷ ଖବର ସଂସ୍କୃତି

ସରକାରୀ ପୁସ୍ତକ ମେଳାର ର ନିମନ୍ତ୍ରଣ; ବିଶ୍ଵସ୍ତରୀୟ ଆୟୋଜନରେ ସଫଳ ଓଡିଶା ସରକାର ପୁସ୍ତକମେଳା ଆୟୋଜନରେ ଏତେ ହତାଶିଆ କାହିଁକି ?

ଜ୍ୟୋତି ନନ୍ଦ

ଯେହେତୁ ବର୍ତ୍ତମାନ ଭୁବନେଶ୍ଵରରେ ଚାଲିଥିବା ପୁସ୍ତକମେଳା ଏକ ସରକାରୀ କାର୍ଯ୍ୟକ୍ରମ ସେଦୃଷ୍ଟିରୁ ସେଠିକି ସମସ୍ତ ସରକାରୀ କର୍ମଚାରୀ ଯେଉଁମାନେ ଭୁବନେଶ୍ଵରରେ ଅଛନ୍ତି ସେମାନଙ୍କୁ ପ୍ରଦର୍ଶନୀ ପଡିଆରେ ପ୍ରତ୍ୟହ ସଂଧ୍ୟା ଛଅଟା ପରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଉ।ଯାହା ଫଳରେ ପୁସ୍ତକମେଳା ପରିସର ଆଉ ଯାହାହେଉ ନା କାହିଁକି ଟିକିଏ ଅଧିକ ଗହଳଚହଳ ଥିଲା ଭଳି ଲାଗିବ।

ତାହା ସହିତ ଯଦି ପୁସ୍ତକ ମେଳା ପରିସରରେ ପ୍ରାତ୍ୟହିକ  ଅଭଢାର ସୁବନ୍ଦୋବସ୍ତ ହୁଅନ୍ତା ତେବେ ତାହା ଆମର( ପୁସ୍ତକ) କ୍ଷୁଧାକୁ ଅନେକ ପରିମାଣରେ ବି ପ୍ରଶମିତ କରି ପାରନ୍ତା। କହିବା କଥା ହେଉଛି
ଯେତେବେଳେ ଏଇଟି ଏକ ସରକାରୀ ପ୍ରାୟୋଜିତ କାର୍ଯ୍ୟକ୍ରମ ସେତେବେଳେ ଅନ୍ୟ ସମସ୍ତ ସେହିଭଳି କାର୍ଯ୍ୟକ୍ରମ ରେ  ଭୀଡ-ଉତ୍ପାଦନ ଲକ୍ଷ୍ୟାର୍ଥେ ଯେଉଁ ବ୍ୟବସ୍ଥାମାନ ଥାଏ ତାହା ଏଠାରେ ମଧ୍ୟ ଉପଲବ୍ଧ ରହିବା ବିଧେୟ।

ବିଶେଷ କରି ସମସ୍ତ ସରକାରୀ , ବେସରକାରୀ,ତଥା ଅବସରପ୍ରାପ୍ତ (ବେଶି ଏଇ ଶ୍ରେଣୀକୁ)କର୍ମଚାରୀଙ୍କୁ ଓ  ସମସ୍ତ ବିପିଏଲ୍ ଏପିଏଲ୍ କାର୍ଡ ଧାରୀଙ୍କୁ, ଛାତ୍ରଛାତ୍ରୀଙ୍କୁ ଏହି ସରକାରୀ ପୁସ୍ତକମେଳାରୁ ଶତକଡା ଷାଠିଏ ରିହାତି ରେ ବହି କିଣିବାର ସୁବନ୍ଦୋବସ୍ତ କରାଯାଉ ।ଏହି ରିହାତି ସବସିଡି ଆକାରରେ ସରକାରଙ୍କ ତରଫରୁ ପ୍ରତ୍ୟେକ ପ୍ରକାଶକର ଏକାଉଣ୍ଟକୁ ସିଧାସଳଖ ଟ୍ରାନ୍ସଫର କରିଦିଆ ଯାଉ।

ବାଃ।ନିଜର ଏମିତି ପ୍ରସ୍ତାବରେ ଅନ୍ୟକେହି ନହୁଅନ୍ତୁ ପଛକେ ନିଜେ ଆଗ ସ୍ୱୟଂ ଆନନ୍ଦିତ ହେବା ଉଚିତ।

ଆଗରୁ ହ୍ୱାଟସ୍ ଅପ୍ ରେ ଏହି ପୁସ୍ତକ ମେଳା ସଂପର୍କିତ ନିମନ୍ତ୍ରଣ ପତ୍ରଟିଏ ପାଇବାର ସୁଯୋଗ ହୋଇଛି। ସେମିତି ନିମନ୍ତ୍ରଣ ପତ୍ରଟିଏ ନପାଇ ଥିଲେ ବହୁତ ଆନନ୍ଦିତ ହୋଇଥାନ୍ତି।କାରଣ ସେହି ନିମନ୍ତ୍ରଣ ପତ୍ର ଯୋଗୁ ଉପସ୍ଥିତ ଲେଖକ ଅବଗତ ହେଲା ଅନ୍ୟ ସମସ୍ତ ସରକାରୀ ବ୍ୟବସ୍ଥା ଭଳି ପୁସ୍ତକ ମେଳା ବି ଏକ ବ୍ୟବସ୍ଥା।ଯେଉଁ ବ୍ୟବସ୍ଥା ପଛରେ ରହିଛି ଔପଚାରିକତା ବେଶି ମାତ୍ର ପୁସ୍ତକ ତ ଆଉ ପିଠା କାଳିଆ ଭଳି ଯୋଜନା ନୁହଁ ଯେ ହିତାଧିକାରୀମାନେ ସ୍ଵୟଂ ଆସି ପହଂଚିଯିବେ।ପୁସ୍ତକର ଯେଉଁ ହିତାଧିକାରୀମାନେ ରହିଥାନ୍ତି ବା ପୁସ୍ତକ ସହ ଯେଉଁ ହିତାଧିକାରୀମାନଙ୍କୁ ଯୋଡାଯାଇଥାଏ ସେଥିପାଇଁ ପୁସ୍ତକର ରଚନା,ପ୍ରସ୍ତୁତି ଓ ବିପଣନ ସଂପର୍କରେ ଗଂଭୀର ପରିଚର୍ଚ୍ଚା ଆବଶ୍ୟକ ଏହି ଭଳି ପୁସ୍ତକମେଳାର ପରିସରରରେ।

କିନ୍ତୁ ସରକାରୀ କାର୍ଯ୍ୟକ୍ରମ  ଭଳି ଏକ ଦାପ୍ତରିକ ନିର୍ଦ୍ଦେଶ ସମ ଆନ୍ତରିକତାହୀନ ବ୍ୟବସ୍ଥାକୁ ଏହି ବୟସ୍କ ଲେଖକର ଘୋର ଅପସନ୍ଦ।

ଏହି ଭଳି ଆୟୋଜନରେ ଆମର ପ୍ରଶାସନିକ ବାବୁ ମାନେ କେତେ ସଚେତନ ତାହା ଗୋଟିଏ ମାତ୍ର କଥାରୁ ବୁଝାଯାଇପାରିବ।ପୁସ୍ତକମେଳା ପରିସରରେ   ୨୦ ତାରିଖରୁ ୨୮ ତାରିଖ ଯାଏ ସବୁଦିନ ସଂଧ୍ୟା  ଛଅଟା ବେଳେ “ସାରସ୍ବତ ସଭା” ର ଆୟୋଜନ ହୋଇଛି।ଏହି ସବୁ ସାରସ୍ବତ ସଭା ମାନ କହିବାକୁ ଗଲେ ବିରଳ ସଭା।ବିରଳ ଏଇଥିପାଇଁ ଯେ ପୃଥିବୀର ଅନ୍ୟ କେଉଁ ପୁସ୍ତକମେଳା ପରିସରରେ ଏମିତି ସଭା ହୁଏ ନାହିଁ ଯେଉଁଠି  ନିର୍ଦ୍ଦିଷ୍ଟ କୌଣସି ବିଷୟବସ୍ତୁ ବା ପ୍ରସଂଗ ଅନୁପସ୍ଥିତ ।ମାତ୍ର ସବୁଦିନ ଏଇଠି ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ତାହାର ବିଧିବଦ୍ଧ ତାଲିକା ଏହି ନିମନ୍ତ୍ରଣପତ୍ରରେ ରହିଅଛି।

ପୁସ୍ତକମେଳା ପରିସରରେ ସଭାମାନଙ୍କରେ ପୁସ୍ତକଚର୍ଚ୍ଚା, ସାହିତ୍ୟଚର୍ଚ୍ଚା ଭଳି ଗଂଭୀର ଚର୍ଚ୍ଚା ପରିବର୍ତ୍ତେ ତାହାକୁ ‘ଯାହା ଜାଣ ତାହା’ ଭଳି ଔପଚାରିକ ସଭାରେ ପରିଣତ କରି ନାଚଗୀତକୁ ମୁଖ୍ୟ ଆକର୍ଷଣ ହିସାବରେ ଉପସ୍ଥାପନ କରିବାର ବୌଦ୍ଧିକ ତଥା ସାଂସ୍କୃତିକ ଅପାରଗତା କୁ ଉପସ୍ଥିତ ଲେଖକ ପ୍ରତିବାଦ କରୁଛି।

ତାହା ସହିତ ଆପଣଙ୍କ ଗୋଚରାର୍ଥେ ନିବେଦନ କରିବାକୁ ଚାହିଁବି ସେହି ପୁସ୍ତକ ମେଳାରେ ୨୦ ତାରିଖରୁ ୨୮ ତାରିଖ ଯାଏଁ ସବୁଦିନ ନିୟମିତ ସଂଧ୍ୟା ଛଅଟା ପରର ସଭାରେ ସଭାମୂଖ୍ୟ ବା ସମ୍ମାନୀତ ଅତିଥି ଭାବରେ ଯେଉଁ ମହାନୁଭବ ନିଜର ଉପସ୍ଥିତିକୁ ଜାହିର୍ କରିବେ ବୋଲି ନିମନ୍ତ୍ରଣରେ ଲେଖାଅଛି, ସେ ମହାଶୟଙ୍କର ଅବସରପ୍ରାପ୍ତ ପ୍ରଶାସକ ତଥା ସଂସ୍କୃତି ବିଦ୍ବାନ ଶ୍ରୀଯୁକ୍ତ ବାଳକୃଷ୍ଣନ ଭଳି ଓଡିଶାର ସାମାଜିକ ଜୀବନ ଓ ସାହିତ୍ୟ ଓ ସଂସ୍କୃତି ଉପରେ ସେମିତି କୌଣସି ଉଲ୍ଲେଖଯୋଗ୍ୟ ବିଦ୍ୱତା ନାହିଁ।ତାଙ୍କୁ ଅନ୍ୟକେହି ଶୁଣିବାରେ ଆଗ୍ରହ ରଖିଥାଇ ପାରନ୍ତି କିନ୍ତୁ ଉପସ୍ଥିତ ଲେଖକ ସେଥିରେ ନିଜ ସମୟର ନିର୍ଘାତ୍ ଅପଚୟ ବୋଲି ମନେ କରିବ।ନିମନ୍ତ୍ରଣ ପତ୍ରରେ ନାଆଁ ରହିଥିବା କାରଣରୁ ସେ ମହାନୁଭବ ଜଣକ ସରକାରୀଭାବେ ନିଶ୍ଚିତ  ପ୍ରଖର ପୁସ୍ତକ ପ୍ରେମୀ ଓ ବିଦ୍ବାନ ହୋଇଥିବେ। ସେ ହେଉଛନ୍ତି ଶ୍ରୀଯୁକ୍ତ ପ୍ରମୁଖ ସଚିବ,ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ।

ସଭାମୁଖ୍ୟ ବା ସମ୍ମାନୀତ ଅତିଥି ନୁହଁ, ସଭାପରେ ସେ ମହାଶୟ ସରକାରୀ କାର୍ଯ୍ୟକ୍ରମ ହେତୁ ଔପଚାରିକ ଧନ୍ୟବାଦ ପ୍ରଦାନ କରିବାରେ କୌଣସି ଅସୁବିଧା ନାହିଁ।ସେହି କାମଟି ସେ କରିବା ଉଚିତ।ସାହିତ୍ୟଚର୍ଚ୍ଚା/ପୁସ୍ତକଚର୍ଚ୍ଚା କାହିଁକି ?ଯଦି ଶ୍ରୀଯୁକ୍ତ ପ୍ରମୁଖ ସଚିବଙ୍କ ସାହିତ୍ୟଚର୍ଚ୍ଚା/ପୁସ୍ତକ ଚର୍ଚ୍ଚା ରେ ମତି ରହିଛି ତେବେ ତାଙ୍କ ପାଇଁ ବାହାରେ ଅନ୍ୟମାନଙ୍କ ଭଳି ପ୍ରଶସ୍ତ କ୍ଷେତ୍ର ଉପଲବ୍ଧ ରହିଛି।ସେଇଠି ସେ ଇଚ୍ଛାମୁତାବକ ବୃହଦାକାର ଗ୍ରନ୍ଥାବଳୀମାନ ଲେଖନ୍ତୁ ଆଉ ଆମ ସାହିତ୍ୟର ଶ୍ରୀବୃଦ୍ଧି କରନ୍ତୁ ।ମାତ୍ର ପାଣ୍ଡିତ୍ୟ ପ୍ରଦର୍ଶନର ଏଇ ସର୍ଟକର୍ଟ ଟିର ଆୟୁଷ ଅତ୍ୟନ୍ତ କ୍ଷଣସ୍ଥାୟୀ ଆମ ବିଚାରରେ। ଆଉ ତାହା କାହିଁକି ?

ଏବେ ଶ୍ରୀଯୁକ୍ତ ପ୍ରମୁଖ ସଚିବ ଓଡିଶାର ଜଣେ ପ୍ରମୁଖ ଜନପ୍ରିୟ ଔପନ୍ୟାସିକଙ୍କର ନାଟକମାନ ପଢିଛନ୍ତି ବୋଲି କହିଥିବାର ଚର୍ଚ୍ଚା ହେଉଛି । ଏଥିରେ କୌଣସି ଅସ୍ୱାଭାବିକତା ନାହିଁ। ସମ୍ଭବତଃ ଏହିଭଳି କେତେକଙ୍କ ଦୃଷ୍ଟି ହେଉଛି ବିରଳ ନାଟକ-ଦୃଷ୍ଟି,ଯାହାକୁ ପ୍ରାଞ୍ଜଳ ଭାବରେ କହିବାର ପ୍ରୟୋଜନ ନାହିଁ।

ଯଦି ଶ୍ରୀଯୁକ୍ତ ପ୍ରମୁଖ ସଚିବ ମହୋଦୟ ପ୍ରତିଦିନ  ଶେଷରେ ନିଜ ସ୍ବାକ୍ଷରିତ ବିଜ୍ଞପ୍ତି ଟିଏ ଦିଅନ୍ତେ ଯେ ଆଜି ଏତିକି ଲୋକ ମେଳା ପରିସରକୁ ଆସିଛନ୍ତି ତାହାହେଲେ ଆମର ଅର୍ଥ କେତେ ପରିମାଣରେ ସଦୁପଯୋଗ ହୋଇଛି ତାହାର ଏକ ବିସ୍ତୃତ ଚିତ୍ର ଆମ ସାମ୍ନାରେ ରହିପାରନ୍ତା। ଆଉ ଯାହା  ପରେ ଯେତେ ଯେତେ ପୁସ୍ତକ ମେଳା ଏଠାରେ ଆୟୋଜନ ହେବ ତାହା  ପାଇଁ  ଏହା ଏକ ଇଣ୍ଡେକ୍ସ ଭଳି କାମ କରିପାରନ୍ତା।ତେଣୁ ସେଠାରେ ସାହିତ୍ୟ ସଭାରେ ବସି କୌଣସି ବିଷୟ ବା ପ୍ରସଂଗ ନଥିବା କାରଣରୁ  ନିଜର ପାଣ୍ଡିତ୍ୟ ର ସହଜ ପ୍ରଦର୍ଶନ କରିବା ଅପେକ୍ଷା ପୁସ୍ତକମେଳା ର ପରିଚାଳନାରେ ସେ  ଅଧିକ ଗଂଭୀର ଭାବରେ ମନଯୋଗୀ ହେଲେ ଅଧିକ ଭଲ ହେବ।

ଆଶା  ମଂଚରୁ ଓହ୍ଲାଇ ଆସିବା ପରେ ଶେଷରେ ଶ୍ରୀଯୁକ୍ତ ପ୍ରମୁଖ ସଚିବ ଆମକୁ ହୁଏତ କହିବେ ତାଙ୍କର ଦକ୍ଷ ପରିଚାଳନାରେ ସମାହିତ ଏହି ପୁସ୍ତକମେଳା ର ବିଶେଷତ୍ବ ଟି କ’ଣ ଓ ଏହା କାହିଁକି ଅନ୍ୟ ଯେତିକି ପୁସ୍ତକମେଳା ଭୁବନେଶ୍ଵରରେ ହେଉଛି ବା ହୋଇ ଆସିଛି ତାହାଠାରୁ ଏହି ବିଶେଷ ପୁସ୍ତକମେଳା “ଅକ୍ଷର” କେଉଁ ଦୃଷ୍ଟିରେ ଶ୍ରେଷ୍ଠ ହେବ ?

ଶ୍ରେଷ୍ଠତ୍ବ ର ପ୍ରଶ୍ନ ଏଇଥିପାଇଁ ଉଠାଯାଉଛି ଯେ ଏହାର ପ୍ରଯୋଜକ ରହିଛନ୍ତି ଆମ ସରକାର। ନିକଟରେ ସଂପନ୍ନ ବିଶ୍ଵ କପ୍ ହକି ଆୟୋଜନ ଭଳି ଏହି ଆୟୋଜନର ସଫଳତା ଓ ଶ୍ରେଷ୍ଠତ୍ୱ ନିହାତି ଆବଶ୍ୟକ।

ଯେଉଁମାନେ ସବୁକଥାକୁ ସମ୍ଭାବିତ ଭୋଟଗଣିତରେ
ଦେଖିଥାନ୍ତି ସେମାନଙ୍କ ପାଇଁ ଏଇ କଥାଟି ମନେ ରଖିବାକୁ ହେବ ଯେ ପୁସ୍ତକମେଳାର ବା ପୁସ୍ତକର ସିଧା ସଳଖ ଭୋଟ ରାଜନୀତି ସହିତ କୌଣସି ସଂପର୍କ ନାହିଁ।ମାତ୍ର ପୁସ୍ତକ ପ୍ରେମୀ ମାନେ ଅପ୍ରତ୍ୟକ୍ଷ ଭାବରେ ଭୋଟଗଣିତକୁ ପ୍ରଭାବିତ କରିପାରିବାର କ୍ଷମତା ରଖିଥାନ୍ତି। ପୁସ୍ତକପ୍ରେମୀଟିଏ ସିଧା ସଳଖ ହୁଏତ ଭୋଟ ଦାନ ସଂପର୍କ ନିଷ୍ପୃହ ରହିଥାଇପାରେ ମାତ୍ର ସେ ସବୁବେଳେ ହିଁ ସବୁ ଭୋଟ୍ ର ପଛରେ ଥିବା ଓପିନିଅନ୍ ମେକର ହିସାବରେ ଅବତୀର୍ଣ୍ଣ ହୋଇଥାଏ।ତେଣୁ ପୁସ୍ତକପ୍ରେମୀ ମାନେ କୌଣସି ଦଳର ଅସଂଲଗ୍ନ ମୁଖପାତ୍ର ହିସାବରେ କାର୍ଯ୍ୟ କରିଥାନ୍ତି। ଏମାନେ ଚା’ ଦୋକାନରେ ବା ବିଭିନ୍ନ ପବଲିକ ସ୍ପେସ୍ ରେ ପୁସ୍ତକର ଚର୍ଚ୍ଚା କରିବା ଭିତରେ ଗୋଟିଏ ଦଳ ପ୍ରତି ପଜିଟିଭ ଜନମତ ନିଜ ଅଜାଣତରେ ତିଆରି କରିଥାନ୍ତି।ଏହାକୁ ମାନେ ପୁସ୍ତକମେଳା ଭଳି କାର୍ଯ୍ୟକ୍ରମକୁ ଯଦି କେହି ସେମିତି ଗୁରୁତ୍ୱହୀନ ଏବଂ ଜନ ମଂଗଳ ର ଅପରିହାର୍ଯ୍ୟ ତାଲିକାରେ ନିମ୍ନସ୍ଥାନ ଦେଉଥାଏ ତେବେ  ତାହା ଦୁର୍ଭାଗ୍ୟ।ଏହା ପିଠା,କାଳିଆ ଭଳି  ଜନମତକୁ ଅଧିକ ପ୍ରଭାବିତ କରିବାର ସାମର୍ଥ୍ୟ ରଖିଛି।

ସେ ଯାହାହେଉ ପରିଶେଷରେ ଆମେ ଜାଣୁ ଯେ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଜଣେ ଲେଖକ ଓ ପ୍ରଖର ପୁସ୍ତକପ୍ରେମୀ।ପୁସ୍ତକର ମର୍ଯ୍ୟଦା ସେ ଯଥେଷ୍ଠ ଅଧିକ ବୁଝନ୍ତି।ଆଶା ଏହି ଆୟୋଜନର ସଂଗତି ଆଉ ବିସଂଗତିର  ସେ ଏକ ସମୀକ୍ଷା କରି ଉପଯୁକ୍ତ ପଦକ୍ଷେପ ନେବେ।

Categories
ବିଶେଷ ଖବର ସଂସ୍କୃତି

ପୁସ୍ତକମେଳା: ଜଣେ ପ୍ରତିବଦ୍ଧ ପାଠିକାଙ୍କ ସହ ଏକ ବିରଳ ଅନୁଭୂତି

ଅସିତ ମହାନ୍ତି

ଏଇ ମକର ସଂକ୍ରାନ୍ତି, (୧୪ ଜାନୁଆାରୀ)ଦିନ “ରାଜଧାନୀ ପୁସ୍ତକମେଳା’ ଉଦ୍‍ଯାପିତ ହେଲା । ଏଥରର ଏ ମେଳା ଥିଲା ଦଶଦିନିଆ । ୫ ଜାନୁଆରୀ, ଯେଉଁଦିନ ଦିଲ୍ଲୀରେ ଏନ୍‍ବିଟି  ବିଶ୍ୱ ପୁସ୍ତକମେଳା ଆରମ୍ଭ ହୋଇଥିଲା, ସେହିଦିନ ଭୁବନେଶ୍ୱରରେ ଏ ମେଳା ବି ଉଦ୍‍ଘାଟନ ହୋଇଥିଲା । ଏହା ଥିଲା ଏ ମେଳାର ଊନବିଂଶ ସଂସ୍କରଣ । ଆଗାମୀ ବର୍ଷ ଏହା ଦୁଇ ଦଶନ୍ଧି ପୂର୍ଣ୍ଣ କରିବ ।

ଉଦ୍‍ଯାପନୀ ଉତ୍ସବରେ, ମେଳା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗୋଟିଏ ହିସାବ ପ୍ରକାଶ ପାଇଛି ଯେ ଏଥର ଏ ମେଳାକୁ ୧୨ ଲକ୍ଷ ଲୋକ ଆସିଥିଲେ । ଦଶ ଦିନରେ ବିକାକିଣା ୧୦ କୋଟି ଛୁଇଁଛି ।

କିନ୍ତୁ ଏ ମେଳାର ଗୋଟିଏ ସଂଧ୍ୟାରେ ମୁଁ ଯେଉଁ ବିରଳ ଅନୁଭୂତି ଲାଭକଲି, ଯେଉଁ ବ୍ୟକ୍ତିଙ୍କୁ ଭେଟିଲି- ତାହା ମୋ ପାଇଁ ଏସବୁ ଅପେକ୍ଷା ଅଧିକ ମହତ୍ତ୍ୱପୂର୍ଣ୍ଣ ମନେହେଉଛି ।

ସେଦିନ ଥିଲା ଜାନୁଆରୀ ୧୨ ତାରିଖ । ଏମିତିରେ, ଆରମ୍ଭ ଦିନଠାରୁ ହିଁ ମୁଁ ପ୍ରାୟ ପ୍ରତିଦିନ ପୁସ୍ତକମେଳା ଯାଏ- ସାରା ଦିନର କାମ ପରେ, ରାତି ପ୍ରାୟ ସାତଟା ବେଳକୁ । ପ୍ରାୟ ମେଳା ଶେଷ ହେବା ଯାଏ “ଆମ ଓଡ଼ିଶା’ ଷ୍ଟଲରେ ବସେ । ତାହା ଏକ ଆନନ୍ଦଦାୟକ ଅନୁଭୂତି । ଯତ୍ନରେ ପ୍ରସ୍ତୁତ ହୋଇଥିବା ବହିଗୁଡ଼ିକୁ ପାଠକ ପାଠିକା ଆଦରରେ କିଣି ନେଉଥିବା ଦେଖି ଆମ ଭାଷା-ସାହିତ୍ୟ ପ୍ରତି ପ୍ରତିବଦ୍ଧତା ଆହୁରି ଦୃଢ଼ ହୁଏ । ପୁଣି ସେସବୁ ଭିତରେ ନିଜ ବହି ଥିଲେ ଆନନ୍ଦ ବହୁଗୁଣରେ ବଢ଼ିଯାଏ ।

ସେଦିନ କିନ୍ତୁ ଥିଲା ଏକ ବ୍ୟତିକ୍ରମ । ଅପରା୍‍ହଣ ପ୍ରାୟ ୪ଟା ବେଳକୁ ମେଳାକୁ ଯାଇଥିଲି । ସଂଧ୍ୟାରେ କିଛି ବ୍ୟକ୍ତିଗତ କାମ ଥିବାରୁ, ୬ଟା ଆଗରୁ ମେଳାରୁ ଫେରିଆସିବି ବୋଲି ଭାବିଥିଲି । କିନ୍ତୁ ସେଇ ସମୟ ଭିତରେ ମୋ ପାଇଁ ଯେ ଏକ ପରମ ଆନନ୍ଦଦାୟକ ଅନୁଭୂତି ଅଦୃଷ୍ଟ ସାଇତି ରଖିଥିଲା, ତାହା ଜାଣି ନଥିଲି ।

ଅପରାହ୍‍ଣର ସୂର୍ଯ୍ୟ ଅସ୍ତାଚଳକୁ ପ୍ରାୟ ଛୁଇଁବା ବେଳକୁ, ଜଣେ ମହିଳା ଆସି ପହଞ୍ଚିଲେ । ମୁଣ୍ଡର କେଶ ସଂପୂର୍ଣ୍ଣ ଧଳା ହୋଇଯାଇଛି । କିନ୍ତୁ ମୁହଁ ଓ ଆଖିରେ ଅଭ୍ଭୁତ ଦୀପ୍ତି । ସଂପୂର୍ଣ୍ଣ ସଂଭ୍ରାନ୍ତ ପରିଧାନ ଓ ହାବଭାବ । ଆସି, ଆମ ଷ୍ଟଲ୍‍ ଆଗରେ, ମୋ ସାମ୍ନାରେ ଠିଆହୋଇ କହିଲେ- କେତେ ଖୋଜି ଖୋଜି ଆସିଛି । ଅସିତ ମହାନ୍ତିଙ୍କ “ନବକଳେବର’ ବହି ଖଣ୍ଡିଏ ଦିଅନ୍ତୁ !

ବହି ଖଣ୍ଡିଏ କିଣିଲେ । କହିଲେ, ଏଯାଏ ଚାଲି ଚାଲି ଆସିଛି । ଠିକରେ  ଠିଆ ହୋଇପାରୁନି । ଚଉକି ଖଣ୍ଡିଏ ଦେବେ!

ମୁଁ ଆଗ୍ରହରେ ଚଉକିଟିଏ ଷ୍ଟଲ୍‍ ଆଗରେ ପକାଇଦେଲି । କହିଲି- ବସନ୍ତୁ !

ସେ ସେଇଠି ବସି ବସି ଆଉ କେତୋଟି ବହି ଆଗ୍ରହରେ ଦେଖିଲେ ।

ସେଇ ସୁଯୋଗରେ ମୁଁ ତାଙ୍କୁ ମୋର ପରିଚୟ ଦେଲି । ସେ ଏବେ ଏବେ କିଣିଥିବା “ନବକଳେବର କଥା’ର ଲେଖକ ମୁଁ ବୋଲି ଜାଣି, ସେ ମୋ’ ହାତ ମୁଠା ଆଉଁସି କେତେ ଆଶୀର୍ବାଦ କଲେ । କହିଲେ, ତୁମେ ଜଣେ ଖୁବ୍‍ ବୟସ୍କ ଲୋକ ହୋଇଥିବ ବୋଲି ଭାବିଥିଲି । ହେଲେ, ତୁମେ ତ ମୋ’ ପୁଅ ପରି! ଅନେକ ଦିନ ହେଲା ତୁମକୁ ଖୋଜୁଥିଲି । କେତେଜଣଙ୍କୁ ବହି ଖଣ୍ଡିଏ ଆଣି ଦିଅ ବୋଲି କେତେଥର କହିଛି । କିନ୍ତୁ ପାଇ ନାହିଁ । ଥରେ ତୁମ ଫେ ।ନ୍‍ ନମ୍ୱର ଟିପି ରଖିଥିଲି । ହେଲେ, କେମିତି କେଜାଣି ତାକୁ ହଜାଇ ଦେଲି । ଯା’ହଉ ! ଆଜି ବହିଟି ମିଳିଗଲା! ଆଉ ତୁମ ସାଙ୍ଗେ ବି ଦେଖାହୋଇଗଲା!!

ତାଙ୍କ ସ୍ୱର ଶୁଭୁଥିଲା ଖୁସିରେ ବିହ୍ୱଳ । ଆଖି ଓ ମୁହଁର ତେଜ ସତେ ଯେମିତି ଅାହୁରି ବଢ଼ି ଯାଇଥିଲା ।

ପଚାରି ବୁଝିଲି, ତାଙ୍କର ବୟସ ୮୭ ବର୍ଷ । ନାଁ କମଳା କୁମାରୀ ସାମନ୍ତରାୟ । ଓଡ଼ିଶାର ଜଣାଶୁଣା ଶିକ୍ଷକନେତା ତଥା “ଶିକ୍ଷକ ଦର୍ପଣ’ ପତ୍ରିକାର ସ୍ୱନାମଧନ୍ୟ ସଂପାଦକ, ସ୍ୱର୍ଗତ ବନମାଳୀ ବ୍ରହ୍ମଚାରୀଙ୍କ ଝିଅ । ଦି’ ପୁଅ ସୁଶିକ୍ଷିତ, ସୁପ୍ରତିଷ୍ଠିତ । ରହୁଛନ୍ତି ବିଦେଶରେ । ଏଠି, ଭୁବନେଶ୍ୱରରେ ଝିଅ ମଞ୍ଜୁଶ୍ରୀ ସହିତ ସେ ରହୁଛନ୍ତି । ମଞ୍ଜୁଶ୍ରୀ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ କ୍ୟୁରେଟର ଥିଲେ । ତିନିବର୍ଷ ତଳେ ସୁପରିଣ୍ଟେନ୍ଦେଣ୍ଟ ହୋଇ ଅବସର ନେଲେ ।

ତାଙ୍କ ସହିତ ଏସବୁ କଥା ହେବାବେଳେ ଭାସ୍ୱତୀ (ବସୁ) ତାଙ୍କ ଝିଅ ସହିତ ଆମ ଷ୍ଟଲ୍‍କୁ ଆସିଥିଲେ । ମୁଁ ତାଙ୍କୁ କହିଲି- ଦେଖ, ୮୭ ବର୍ଷ ବୟସ, ତଥାପି ଖୋଜି ଖୋଜି ମୋ ବହି କିଣିବାକୁ ଆସିଛନ୍ତି!

ସ ଚୁପ୍‍ କରି ମତେ ପଚାରିଲେ- ଆପଣଙ୍କ ସହିତ ତାଙ୍କର ଫଟୋ ନେବି? ମୋବାଇଲ୍‍ ଦିଅନ୍ତୁ! ମୁଁ କହିଲି- ନା, ଥାଉ !

ଭାସ୍ୱତୀ ଝିଅ ପାଇଁ ବହି କିଣିବାକୁ ମେଳାର ଅନ୍ୟ ଷ୍ଟଲ୍‍ଅାଡ଼କୁ ଚାଲିଗଲେ ।

ପାଖରେ ଠିଆା ହୋଇଥିବା ତାଙ୍କ ଝିଅ ମଞ୍ଜୁଶ୍ରୀ କହିଲେ- ମା’ ବହୁତ ପଢ଼ନ୍ତି । ଉଭୟ ଓଡ଼ିଆ  ଓ ବଙ୍ଗଳା ।

ସେଇ ସୁଯୋଗରେ ମୁଁ ତାଙ୍କୁ ପଚାରିଲି- କେଉଁ ବଙ୍ଗଳା ବହି ଆପଣଙ୍କର ପ୍ରିୟ?

ସେ ଉତ୍ତର ଦେବା ଆଗରୁ ମଞ୍ଜୁଶ୍ରୀ କହିଲେ, “ପ୍ରଥମ ପ୍ରତିଶ୍ରୁତି’ । ଆଶାପୂର୍ଣ୍ଣା ଦେବୀଙ୍କ ଉପନ୍ୟାସ ।

ସେ ପଚାରିଲେ- “ପ୍ରଥମ ପ୍ରତିଶ୍ରୁତି’ର ଓଡ଼ିଆା ଅନୁବାଦ ଏଠି ମିଳିବ ? କିଏ ଛାପିଛି?

ମୁଁ ପଚାରିଲି- ଆପଣ ତ ପଢ଼ିସାରିଛନ୍ତି । ପୁଣି କାଇଁକି ଖୋଜୁଛନ୍ତି?

ସେ କହିଲେ- ମୁଁ ବହୁ ଆଗରୁ ପଢ଼ିଛି । ମୂଳ ବଙ୍ଗଳାରେ । ଓଡ଼ିଆ ଅନୁବାଦ ପିଲାଙ୍କ ପାଇଁ ଖୋଜୁଛି ।

ତାଙ୍କୁ କହିଲି- ଯେତିକି ଜାଣେ, ଚିତ୍ତରଂଜନ ଦାସ ତାହାର ଅନୁବାଦ କରିଛନ୍ତି । ପ୍ରକାଶକ- କଟକର “ବିଦ୍ୟାପୁରୀ’ । କିନ୍ତୁ ସେ ସଂସ୍ଥା ଏ ପୁସ୍ତକମେଳାକୁ ଆସିନାହିଁ । ଆଉ ଗୋଟିଏ ମେଳା ବୋଧେ ଆରମାସ ୨୦ ତାରିଖ ବେଳକୁ ହେବ । ସେ ମେଳାକୁ ଆସନ୍ତୁ । ମିଳିଯିବ ।

ସେ ମୋତେ ଆଖିଟେକି କିଛି ବେଳ ଚାହିଁଲେ । କିଛି କହିଲେ ନାହିଁ । ମୁହଁରେ ଯେମିତି ଏକ ହାଲୁକା ଉଦାସିର ଛାଇ ।

କଥାଯୋଡ଼ି ମୁଁ ପୁଣି ପଚାରିଲି- କେଉଁ ଓଡ଼ିଆ  ଲେଖକ ଆପଣଙ୍କର ପ୍ରିୟ ?

ତାଙ୍କର ମୁହଁ, ଆଖି ପୁଣି ଉଜ୍ଜ୍ୱଳି ଉଠିଲା । ଟିକିଏ ହସିଦେଇ ସେ କହିଲେ- ଅନେକ । କାହା କାହା ନାଁ ତୁମକୁ କହିବି ?

ସେତେବେଳକୁ ତାଙ୍କ ହାତ ଆମ ପ୍ରକାଶନ ଛାପିଥିବା ଅଖିଳ ଗଳ୍ପ ସମଗ୍ର “ଅଖିଳାୟନ’ ଓ ସୁରେନ୍ଦ୍ର ମହାନ୍ତିଙ୍କ  “ଶେଷସ୍ତମ୍ଭ’ ପରି ପୁସ୍ତକ ଉପରେ ବୁଲିଯାଉଥିଲା । ମହୀମୋହନ ତ୍ରିପାଠୀଙ୍କ “ଶ୍ରୀଜଗନ୍ନାଥ’ ବହିରୁ ଜଗନ୍ନାଥେ ସତେ ଯେମିତି ତାଙ୍କୁ ଚାହିଁ ରହିଥିଲେ!

ସେ ଆସ୍ତେ ଉଠିଲେ । ମୁଁ ମୋର ସେଇ ଅନୁତ୍ତରିତ ଥିବା ପ୍ରଶ୍ନଟିକୁ ଆଉ ଥରେ ଆଗ୍ରହରେ ଦୋହରାଇଲି । ପଚାରିଲି- “ପ୍ରଥମ ପ୍ରତିଶ୍ରୁତି’ ନେବାପାଇଁ ଆରମାସ ମେଳାକୁ ଆସିବେ !

ଏଥର କିନ୍ତୁ ସେ ଆଉ ନିରବ ରହିଲେ ନାହିଁ, କହିଲେ- ନା । ଏଇ ବୋଧେ ଶେଷ । ୮୭ ହେଲାଣି ।ଆଉ କ’ଣ ପାଦରେ ଚାଲି ଆସିପାରିବି!

ମୁଁ କହିଲି- ନିଶ୍ଚେ ପାରିବେ! ଏଇଠି ପୁଣି ଆମର ଦେଖା ହେବ!! ପୁଣି ବି ତାଙ୍କୁ ଲୋଭ ଦେବା ପରି କହିଲି- ମୋ’ “ରଥକଥା’ ବହି ବୋଧେ ସେତେବେଳକୁ ବାହାରି ସାରିଥିବ!!!

ସେ ମୋ’ ଫୋନ୍‍ ନମ୍ୱର ମାଗିଲେ । ମୁଁ କହିଲି । ତାଙ୍କ ପାଇଁ ତାଙ୍କ ଝିଅ ମଞ୍ଜୁଶ୍ରୀ ଟିପିନେଲେ । ମୋ ମୋବାଇଲ୍‍ରେ ଆମେ ଏକାଠି ଫଟୋଉଠାଇଲୁ ।

ସେ ଆମ ଷ୍ଟଲ୍‍ ଛାଡ଼ି ଯିବା ଆଗରୁ, ମୁଁ ଆଉଥରେ ଆଉରି ଆଗ୍ରହରେ ପଚାରିଲି- ଆର ମେଳାକୁ ଆସିବେ!!!

ସେ କହିଲେ- କେଜାଣି !!

ସେଦିନ ରାଜଧାନୀ ପୁସ୍ତକ ମେଳା ଆଉ ମାତ୍ର ଦୁଇଦିନ ଥିଲା । ସେ ମେଳା ମକର ସଂକ୍ରାନ୍ତି ରାତିରେ ସରିଗଲା । କିନ୍ତୁ ତାଙ୍କର ସେଇ “କେଜାଣି’ ଶବ୍ଦଟି ସେଦିନଠୁ ଏଯାଏ ମୋ’ କାନରେ କମ୍ପନ ସୃଷ୍ଟି କରି ଚାଲିଛି ।

ଏବେ କିନ୍ତୁ ମୁଁ ତାଙ୍କଠୁ’ ଅତି କମ୍‍ରେ ଫେ ।ନ୍‍ଟିଏ ପାଇବାକୁ ଏବଂ ଆର ପୁସ୍ତକ ମେଳାରେ ତାଙ୍କୁ ଆଉଥରେ ଭେଟିବାକୁ ଆଗ୍ରହରେ ଅପେକ୍ଷା କରି ରହିଛି !!