ଭାରତ ଏବଂ ଦ. ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜ୍ର ତୃତୀୟ ମ୍ୟାଚ୍ ରାଞ୍ଚିରେ ଆରମ୍ଭ ହୋଇଛି। ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୩ ଓ୍ବିକେଟ୍ ହରାଇ ୨୪୨ ରନ୍ ସଂଗ୍ରହ କରିଛି। ଭାରତ ପକ୍ଷରୁ ରୋହିତ ଶର୍ମା ଚଳିତ ସିରିଜ୍ର ତୃତୀୟ ଶତକ ହାସଲ କରିବା ସହିତ ଭାରତକୁ ସଙ୍କଟରୁ ଉଦ୍ଧାର କରିଥିଲେ। ଟସ୍ ଜିତି ବିରାଟ କୋହଲି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ଇନ୍ଫର୍ମ ଓପ୍ନର ମୟଙ୍କ ଅଗ୍ରଓ୍ବାଲ ମାତ୍ର ୧୦ ରନ୍ କରି ଆଉଟ ହୋଇଥିଲେ। ଏହା ପରେ ନିର୍ଭରଯୋଗ୍ୟ ଚେତେଶ୍ବର ପୂଜାରା ଖାତା ଖୋଲିବା ପୂର୍ବରୁ ରବାଡାଙ୍କ ଶିକାର ହୋଇଥିଲେ। ଆନିର୍ଚ୍ଚ ନୋର୍ଟ୍ଜେ ବିରାଟ କୋହଲି(୧୨)ଙ୍କୁ ଲେଗ୍ ବିଫୋର୍ କରିବା ପରେ ଭାରତ ୩୯ ରନ୍ରେ ତୃତୀୟ ଓ୍ବିକେଟ୍ ହରାଇ ସଙ୍କଟରେ ପଡିଥିଲା। ଏହାପରେ ଆଜିଙ୍କ୍ୟ ରାହାଣେ(୮୩) ରୋହିତଙ୍କ ସହିତ ଯୋଗ ଦେଇ ଅବିଭାଜିତ ୨୦୩ ରନ୍ ଯୋଗ କରିଛନ୍ତି। ରୋହିତ ଶର୍ମା ନିଜ କ୍ୟାରିୟରର ଷଷ୍ଠ ଶତକ ହାସଲ କରିଥିଲେ। ରୋହିତ ୧୬୪ ବଲ୍ର ସମ୍ମୁଖୀନ ହୋଇ ୧୪ଟି ଚୌକା ଏବଂ ୪ଟି ଛକ୍କା ସହିତ ୧୧୭ ରନ୍ ସଂଗ୍ରହ କରିଥିଲେ। ଅନ୍ୟ ପକ୍ଷରେ ରାହାଣେ ୧୩୫ ବଲ୍ର ସମ୍ମୁଖୀନ ହୋଇ ୧୧ଟି ଚୌକା ଏବଂ ୧ ଛକ୍କା ସହାୟତାରେ ୮୩ ରନ୍ ସଂଗ୍ରହ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ରବାଡା ଦୁଇଟି ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ନୋର୍ଜେ ଅନ୍ୟ ଗୋଟିଏ ଓ୍ବିକେଟ ଅକ୍ତିଆର କରିଥିଲେ।