ଓଡ଼ିଶାରୁ ମୌସୁମୀ ଫେରିଯାଇଥିବା ବେଳେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଜିଠାରୁ ବର୍ଷା ଆରମ୍ଭ ହୋଇଯାଇଛି . ଆସନ୍ତା ଦୁଇ ଦିନ ଯାଏଁ ସାରା ରାଜ୍ୟ ପୁଣି ବର୍ଷାରେ ଭିଜିବ । ଏହି ଲଘୁଚାପ ଫଳରେ ଅକ୍ଟୋବର ୨୩ରୁ ୨୫ ଯାଏଁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ଆଗୁଆ ପଦକ୍ଷେପ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ବିଶେଷ କରି ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି । ଆଜି ଗଜପତି, ଗଞ୍ଜାମ, ରାୟଗଡା, ପୁରୀ, କନ୍ଧମାଳ, ନୟାଗଡ, ନୂଆପଡା ଓ ବଲାଙ୍ଗିରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୪ତାରିଖ ଅର୍ଥାତ ଆସନ୍ତାକାଲି (ଗୁରୁବାର)ରେ ଗଜପତି, ଗଞ୍ଜାମ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେଓଗଡ, ଅନୁଗୁଳ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନବରଙ୍ଗପୁର ଓ କଟକରେ ପ୍ରବଳ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୨୫ ତାରିଖ (ଶୁକ୍ରବାର)ରେ କେନ୍ଦୁଝର, ମୟୂରଭଞ୍ଜ, କଟକ, ବାଲେଶ୍ୱର, ଢେଙ୍କାନାଳ, ଯାଜପୁର ଓାପ ନୟାଗଡରେ ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ପାଇଁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।