ବଲିଉଡ୍ ଅଭିନେତା ଆୟୁଷ୍ମାନ୍ ଖୁରାନାଙ୍କ ଫିଲ୍ମ ‘ବାଲା’କୁ ନେଇ ଉଠିଥିବା ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି। ‘ଉଜଡା ଚମନ୍’ ଫିଲ୍ମର ନିର୍ଦ୍ଦେଶକ ଅଭିଷେକ ପାଠକ ସୁପ୍ରିମ କୋର୍ଟରେ ‘ବାଲା’ ଫିଲ୍ମ ରିଲିଜ୍କୁ ରୋକିବା ପାଇଁ ଏକ ପିଟିସନ୍ ଦାୟର୍ କରିଛନ୍ତି। ଯେଉଁ ପିଟିସନ୍ରେ ସେ ଲେଖିଛନ୍ତି, ‘ବାଲା’ ଫିଲ୍ମର ନିର୍ଦ୍ଦେଶକ ଦିନେଶ ବିଜାନ୍ କପି ରାଇଟସ୍ର ଉଲ୍ଲଙ୍ଘନ କରିଛନ୍ତି। ଏହି ମାମଲାକୁ ନେଇ ସୁପ୍ରିମ କୋର୍ଟ ୪ ନଭେମ୍ୱରରେ ଶୁଣାଣି କରିବେ। ସୂଚନାଯୋଗ୍ୟ, ଫିଲ୍ମ ‘ଉଜଡା ଚମନ୍’ର ନିର୍ମାତା ‘ବାଲା’ ଫିଲ୍ମ ଉପରେ କପି ରାଇଟସ୍ ଉଲ୍ଲଙ୍ଘନର ଅଭିଯୋଗ ଲଗାଇଛନ୍ତି। ନିର୍ମାତାଙ୍କ କହିବା ଅନୁସାରେ କନ୍ନଡ ଫିଲ୍ମ ‘ ଓଣ୍ଡୁ ମୋଟ୍ଟେ କାଥେ’ର ରିମେକ୍ ହେଉଛି ‘ଉଜଡା ଚମନ୍’। ତାଙ୍କ ପାଖରେ ଓରିଜିନାଲ୍ ଫିଲ୍ମର କପି ରାଇଟ୍ ରହିଛି। ଏହି ଫିଲ୍ମର ରିଲିଜ୍ ଡେଟ୍ ନଭେମ୍ବର ୮ ତାରିଖ ରହିଥିବାବେଳେ ବାଲାର ରିଲିଜ୍ ନଭେମ୍ବର ୭ ତାରିଖ ରହିଛି ।