ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହେବେ ବଲିଉଡ୍ ଅଭିନେତା ନଓ୍ବାଜ୍ ସିଦ୍ଧିକି । ଅଭିନୟରେ ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ନଓ୍ବାଜ୍ । ସବୁ ପ୍ରକାର ଚରିତ୍ରକୁ ବେଶ୍ ନିଖୁଣତାର ସହ ଫୁଟାଇଥା’ନ୍ତି ନଓ୍ବାଜ୍ । ସକାରାତ୍ମକ ହେଉ ଅବା ନକାରାତ୍ମକ ଅବା ପୁଣି ସେ କମେଡ଼ି ଚରିତ୍ର ହେଉ । ସବୁ ଚରିତ୍ରରେ ସେ ଫୁଟି ଉଠନ୍ତି । ଆଉ ଏଭଳି ଜଣେ ଦକ୍ଷ ଅଭିନେତାଙ୍କୁ ୟୁକେର ୱେଲ୍ସରେ ଆୟୋଜିତ ହେବାକୁ ଥିବା କାର୍ଡିଫ୍ ଇଣ୍ଟରନ୍ୟାସ୍ନାଲ୍ ଫିଲ୍ମ ଫେଷ୍ଟିଭାଲ୍ ୨୦୧୯ରେ ସମ୍ମାନିତ କରାଯିବ। ଅକ୍ଟୋବର ୨୪ରୁ ୨୭ ତାରିଖ ମଧ୍ୟରେ ୱେଲ୍ସରେ କାର୍ଡିଫ୍ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅନୁଷ୍ଠିତ ହେବ। ସିନେମା ଜଗତକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ’ଗୋଲ୍ଡେନ୍ ଡ୍ରାଗନ୍’ ସମ୍ମାନରେ ସମ୍ମାନିତ କରାଯିବ । ‘କାହାନୀ’, ‘ପାନ୍ ସିଂହ ତୋମାର୍’, ‘ଗ୍ୟାଙ୍ଗ୍ସ ଅଫ୍ ଓ୍ବେସେପୁର’, ‘ବଦଲାପୁର’, ‘ମାଂଝି- ଦ ମାଉଣ୍ଟେନ୍ ମ୍ୟାନ୍’, ‘କିକ୍’, ‘ବଜରଙ୍ଗୀ ଭାଇଜାନ୍’ ଓ ‘ମମ୍’ ପରି ଫିଲ୍ମରେ ନିଆରା ଅଭିନୟ କରି ଦର୍ଶକଙ୍କୁ ବେଶ୍ ଆକର୍ଷଣ କରିଛନ୍ତି ନଓ୍ବାଜ୍ । କେବଳ ଫିଲ୍ମ ନୁହେଁ ଓ୍ବେବ ସିରିଜ୍ରେ ମଧ୍ୟ ନଜର ଆସିଛନ୍ତି ଏହି ଅଭିନେତା ଜଣକ । ସିକ୍ରେଡ୍ ଗେମ୍ସ ଭଳି ଓ୍ବେବ୍ସିରିଜ୍ରେ ସେ କାମ କରିସାରିଛନ୍ତି । ତାଙ୍କର ଅପ୍କମିଙ୍ଗ୍ ଫିଲ୍ମ ‘ବୋଲେ ଚୁଡିୟାଁ’ର ଶୁଟିଂ ଚାଲିଛି । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନାୟିକା ହୋଇଛନ୍ତି ତମନ୍ନା ଭାଟିଆ ।