ଗୋରଖପୁରରେ ଥିବା ଚଉରୀଚଉରା ଥାନାରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ସେହି ଥାନାର ହେଡ କନେଷ୍ଠବଳ ତାଙ୍କ ନିଜ ପୁଅକୁ ଗୁଳି କରି ହତ୍ୟା କରିଛନ୍ତି। ଏହାକୁ ନେଇ ସେହି ଅଞ୍ଚଳରେ ଏକ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣାରୁ ପ୍ରକାଶ ଯେ, ଚଉରୀଚଉରା ଥାନାକୁ ଅଳ୍ପଦିନ ତଳେ ହେଡ କନେଷ୍ଠବଳ ଭାବେ ଅରବିନ୍ଦ ଯାଦବ ଯୋଗ ଦେଇଥିଲେ। ତାଙ୍କୁ ଦେଖା କରିବା ପାଇଁ ତାଙ୍କର ପ୍ରଥମ ସ୍ତ୍ରୀଙ୍କ ପୁତ୍ର 18 ବର୍ଷ ବୟସ୍କ ବିକାଶ ଯାଦବ ଥାନାକୁ ଆସିଥିଲେ। ଥାନା ଭିତରେ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ ଲାଗିଥିଲା। କଥା ବହୁ ଉଚ୍ଚକୁ ଚାଲିଯିବାରୁ ହେଡ କନେଷ୍ଠବଳ ଯାଦବ ନିଜକୁ ସମ୍ଭାଳି ପାରି ନ ଥିଲେ। ଫଳରେ ତାଙ୍କ ସର୍ଭିସ ପିସ୍ତଲରୁ ଥାନା ଭିତରେ ପୁଅକୁ ଗୁଳି କରି ହତ୍ୟା କରିଥିଲେ। ସେ ସେଠାରୁ ଖସି ପଳାଇବାକୁ ଚେଷ୍ଠା କରୁଥିବା ବେଳେ ସାଥୀ ପୋଲିସ ତାଙ୍କୁ କାବୁ କରିଥିଲେ। ଘଟଣା ସଂପର୍କରେ ଖବର ପାଇବା ପରେ ଗୋରଖପୁର ଡିଏସପି ସୁମିତ ଶୁକ୍ଲା ଥାନାକୁ ଯାଇ ଘଟଣା ସଂପର୍କରେ ଅନୁଧ୍ୟାନ କରିଥିଲେ। ପରେ ସେ ଗଣମାଧ୍ୟମକୁ କହିଥିଲେ ଯେ, ଅରବିନ୍ଦ ଯାଦବଙ୍କ ପାରିବାରିକ ବିଶୃଙ୍ଖଳା ଥିବାରୁ ଏପରି ଅଭାବନୀୟ ଘଟଣା ଘଟିଗଲା। ହେଡ କନେଷ୍ଠବଳ ଅରବିନ୍ଦଙ୍କୁ ଗୋରଖପୁର ପୋଲିସ ଗିରଫ କରି ଜେଲ ପଠାଇ ଦେଇଛନ୍ତି।