ଚଳିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ୨୮୮ଟି ଆସନର ଫଳାଫଳ ସାମ୍ନାକୁ ଆସିଛି। ୨୦୧୪ ତୁଳନାରେ ବିଜେପି କମ୍ ବହୁମତ ହାସଲ କରିଛି। ରାଜ୍ୟରେ ବିଜେପି – ଶିବସେନା ମେଣ୍ଟ ୧୬୧ଟି ଆସନ ଜିତିଛି । ଏଥିରେ ବିଜେପି ୧୦୫ ଓ ଶିବସେନା ୫୬ ସେହିପରି କଂଗ୍ରେସ ଓ ଏନ୍ସିପି ମେଣ୍ଟ ୯୮ଟି ଆସନ ପାଇଥିବାବେଳେ କଂଗ୍ରେସ ୪୪ ଓ ଏନ୍ସିପି ୫୪ଟି ଆସନ ପାଇଛି । ତେବେ ଠାକରେ ପରିବାର ପାଇଁ ଇତିହାସ ସୃଷ୍ଟି କରିଛନ୍ତି ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ। ଦୀର୍ଘ ବର୍ଷ ଧରି ମହାରାଷ୍ଟ୍ର ରାଜନୀତିରେ ନିଜର ଦବଦବା ଦେଖାଇ ଆସିଥିବା ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଆଦିତ୍ୟ ଠାକରେ ଚଳିତ ବର୍ଷ ନିର୍ବାଚନ ଲଢ଼ିଥିଲେ। ଆଦିତ୍ୟ ୱର୍ଲି ଆସନରୁ ପ୍ରାର୍ଥୀ ହୋଇଥିଲେ। ପାଖାପାଖି ୭୦ହଜାର ଭୋଟରେ ବିଜୟ ଲାଭ କରିଛନ୍ତି ଆଦିତ୍ୟ। ଇତି ମଧ୍ୟରେ ରାଜ୍ୟରେ ମହାରାଷ୍ଟ୍ର-ଶିବସେନାର ସମର୍ଥକ ଆଦିତ୍ୟ ଠାକରେଙ୍କ ପୋଷ୍ଟରରେ ଭାବି ମୁଖ୍ୟମନ୍ତ୍ରୀ ଲେଖି ମାରିଛନ୍ତି। ଯାହାକୁ ନେଇ ଏବେ ମହାରାଷ୍ଟ୍ର ରାଜନୀତିରେ ବେଶ୍ ଚର୍ଚ୍ଚା ସୃଷ୍ଟି ହୋଇଛି ।