ନିକଟରେ ସ୍ୱାଧୀନତା ସଂଗ୍ରାମୀ ବୀର ସବରକରଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ଦେବା ନେଇ ଉଭୟ ସରକାର ଓ ବିରୋଧୀଙ୍କ ବାକ୍ଯୁଦ୍ଧ ଚାଲିଥିବାବେଳେ ଏବେ ସ୍ୱାଧୀନତା ସଂଗ୍ରାମୀର କ୍ରାନ୍ତିକାରୀ ନେତା ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କୁ ମଧ୍ୟ ଭାରତ ରତ୍ନ ମିଳିବା ନେଇ କଂଗ୍ରେସ ସାଂସଦ ମନୀଷ ତିଓ୍ୱାରୀ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଏ ନେଇ ଏକ ଚିଠି ଲେଖିଛନ୍ତି। ସେ କହିଛନ୍ତି, ସହିଦ ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବ ବିଟ୍ରିଶ ସରକାରକୁ ବିରୋଧ କରି ଦେଶରେ ଆନ୍ଦୋଳନକୁ ପ୍ରେରିତ କରିଥିଲେ । ଏହାପରେ ଏହି ତିନି ଜଣ ନିଜର ଦେଶ ପାଇଁ ୧୯୩୧ ମାର୍ଚ୍ଚ ୨୩ ତାରିଖରେ ବଳିଦାନ ଦେଇଥିଲେ । ତେଣୁ ଆଗାମୀ ସାଧାରଣତନ୍ତ୍ର ଦିବସରେ ଏହି ତିନି ସ୍ୱାଧୀନତା ସଂଗ୍ରାମୀଙ୍କୁ ଭାରତ ରତ୍ନ ଦିଆଯାଉ ବୋଲି ସେ ଉଲ୍ଲେଖ କରିଛନ୍ତି। ପୂର୍ବରୁ ଏହି ତିନି ସ୍ୱାଧନୀତା ସଂଗ୍ରାମୀଙ୍କୁ ସହିଦ-ଏ-ଆଜାମ ସମ୍ମାନରେ ସମ୍ମାନିତ କରାଯାଇଛି। ଏବେ ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଗଲେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଉଚିତ୍ ସମ୍ମାନ ମିଳିବ ବୋଲି ସେ କହିଛନ୍ତି। ନିକଟରେ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ଅଭିଷେକ ମନୁ ସିଂଘଭୀ ସବର୍କରଙ୍କୁ ଜଣେ କୁଶଳ ବ୍ୟକ୍ତି କହିବା ସହିତ ବ୍ୟକ୍ତିଗତ ସ୍ତରରେ ସବର୍କରଙ୍କ ବିଚାରଧାରା ସହିତ ସେ ସହମତ ନୁହଁନ୍ତି କିନ୍ତୁ ସେ ଜଣେ କୁଶଳ ବ୍ୟକ୍ତି ଥିଲେ ଓ ସ୍ବାଧୀନତା ସଂଗ୍ରାମରେ ଭାଗ ନେବା ସହିତ ଦଳିଙ୍କ ପାଇଁ ଲଢେଇ କରିଥିଲେ । ବିଜେପି ମହାରାଷ୍ଟ୍ର ବିଧାନସଭା ନିର୍ବାଚନୀ ଘୋଷଣାନାମାରେ ସବରକରଙ୍କୁ ଭାରତ ରତ୍ନ ସମ୍ମାନ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା । ଯାହାକୁ କଂଗ୍ରେସ ଦୃଢ ବିରୋଧ କରିଛି ।