ସମୀକ୍ଷା ବ୍ୟୁରୋ
ପୁରୀ:-ଚଳିତ ବର୍ଷ ଶ୍ରୀକ୍ଷେତ୍ର ପୁରୀରେ ଭକ୍ତମାନେ ବଡବଡିଆ ସଂପୂର୍ଣ୍ଣ ସିଂହଦ୍ବାର ସମ୍ମୁଖରେ ଏବଂ ମନ୍ଦିର ଚାରିପଟେ ଡାକିବାର ସୌଭାଗ୍ୟ ପାଇ ପାରିଛନ୍ତି। ପୂର୍ବରୁ ସିଂହଦ୍ବାର ସମ୍ମୁଖରେ ପର୍ଯ୍ୟାପ୍ତ ସ୍ଥାନ ନ ଥିବାରୁ ଅଳ୍ପ ଭକ୍ତ ରହିଲେ ଭିଡ ହୋଇ ଯାଉଥିଲା। ଫଳରେ ଭକ୍ତମାନେ ମନ୍ଦିରର ବହୁ ଦୂରରେ ବଡବଡିଆ ଡାକୁଥିଲେ। ହେଲେ ଚଳିତ ବର୍ଷ ମଠ ଉଚ୍ଛେଦ ପରେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ପଯ୍ୟାପ୍ତ ସ୍ଥାନ ମିଳିବାରୁ ସବୁ ଭକ୍ତ ଏକାଠି ବଡବଡିଆ ଡାକିବାର ସମର୍ଥ ହୋଇଛନ୍ତି। ମୁଖ୍ୟତଃ ଦ୍ବୀପାବଳୀ ଦିନ ପୂର୍ବପୁରୁଷଙ୍କୁ ସ୍ମରଣ କରି ବଡବଡିଆ ଡାକିବା ପାଇଁ ପୁରୀରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଓ଼ଡିଶାର ପୁରପଲ୍ଲୀରେ ଲୋକମାନେ କାଉଁରିଆ କାଠି ଜାଳି ବଡବଡିଆ ଡାକୁଥିଲେ ମଧ୍ୟ ପୂର୍ବପୁରୁଷଙ୍କ ସ୍ମରଣ କରିବାରେ ପୁରୀ ହେଉଛି ଉପଯୁକ୍ତ କ୍ଷେତ୍ର। ସେଥିପାଇଁ ପ୍ରତିବର୍ଷ ଏହି ଦ୍ବୀପାବଳୀରେ ଭକ୍ତମାନେ ଦୂରଦୂରାନ୍ତରୁ ଆସି ବଡବଡିଆ ଡାକି, ବାଇଶି ପାହାଚରେ ଶ୍ରାଦ୍ଧ ଦେଇଥାନ୍ତି। ତେବେ ଏଥର ସିଂହଦ୍ବାର ସମ୍ମୁଖରେ ପ୍ରସସ୍ଥ ସ୍ଥାନ ମିଳିବାରୁ ଭକ୍ତମାନଙ୍କ ପାଇଁ ସୁବିଧା ହୋଇଛି।