ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବରେ ଦାୟିତ୍ବ ଗ୍ରହଣ କରିବେ ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ । ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୋବଡେଙ୍କୁ ନିଯୁକ୍ତି ଦେଇଛନ୍ତି । ଆସନ୍ତା ନଭେମ୍ବର 18 ତାରିଖରେ ବୋବଡେ ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ମୁଖ୍ୟ ବିଚାରପତି ରହିଥିବା ରଞ୍ଜନ ଗୋଗୋଇ ଆସନ୍ତା ନଭେମ୍ବର 17 ତାରିଖରେ ଅବସର ଗ୍ରହଣ କରୁଛନ୍ତି । ପରମ୍ପରା ଅନୁଯାୟୀ ପୂର୍ବତନ ମୁଖ୍ୟ ବିଚାରପତି ନିଜର ଉତ୍ତରାଧିକାରୀଙ୍କ ନାମ ପ୍ରସ୍ତାବ କରିଥାନ୍ତି । ଅକ୍ଟୋବର 18 ତାରିଖରେ ଗୋଗୋଇ ଆଇନ୍ ଏବଂ ନ୍ୟାୟ ମନ୍ତ୍ରାଳୟକୁ ଲେଖିଥିବା ଚିଠିରେ ବର୍ତ୍ତମାନର ବରିଷ୍ଠ ବିଚାରପତି ଏସ୍ ଏ ବୋବଡେଙ୍କ ନାମ ପ୍ରସ୍ତାବ କରିଥିଲେ । 2000 ମସିହାରେ ବମ୍ବେ ହାଇକୋର୍ଟରେ ସହକାରୀ ବିଚାରପତି ଭାବରେ ଯୋଗ ଦେଇଥିଲେ ବୋବଡେ । ଅକ୍ଟୋବର 2012ରେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ କରିବା ସହିତ 2013ରେ ସୁପ୍ରିମୋକୋର୍ଟରେ ବିଚାରପତି ଦାୟିତ୍ବ ନିର୍ବାହ କରିଥିଲେ । ବୋବଡେ ମୁଖ୍ୟ ବିଚାରପତିଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲାର ବିଚାର କରିଥିବା ବେଳେ ବାବ୍ରୀ ମସ୍ଜିଦ୍ ମାମଲା ପାଇଁ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠରେ ମଧ୍ୟ ସାମିଲ ଅଛନ୍ତି । ପ୍ରକାଶଯୋଗ୍ୟ ଯେ, ନଭେମ୍ବର 18ରେ ଦାୟିତ୍ବ ଗ୍ରହଣ କରିବା ସହିତ ଆସନ୍ତା ଏପ୍ରିଲ 2021 ପର୍ଯ୍ୟନ୍ତ ବୋବଡେ ସିଜେଆଇ ରହିବେ ।