ସମୀକ୍ଷା ବ୍ୟୁରୋ
ବାଣପୁର ବ୍ଲକ୍ ଗମ୍ଭାରୀମୁଣ୍ଡା ପଞ୍ଚାୟତର ଖଜୁରିଆ ଗ୍ରାମର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ବ୍ୟାଙ୍କ ଠକେଇ ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ଶିକ୍ଷକ ଜଣକ ହେଉଛନ୍ତି କୈଳାସ ଚନ୍ଦ୍ର ସାମନ୍ତସିଂହାର। ମିଳିଥିବା ସୂଚନା ଅନୁସାରେ – ଗତବର୍ଷ ଶିକ୍ଷକତାରୁ ଅବସର ନେଇଛନ୍ତି କୈଳାସ। ତାଙ୍କ ସାଲେରୀ ଆକାଉଣ୍ଟ (ପିଏନ୍ବି)ରୁ ସମୁଦାୟ ୨୭, ୦୦୦ ଟଙ୍କା ଉଠାଯାଇଥିବା ନେଇ ସେ ବ୍ୟାଙ୍କରେ ସୂଚନା ଦେଇଥିଲେ। ଏନେଇ ସେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଉତ୍ତରପ୍ରଦେଶ ସୁଲତାନପୁରର ଷ୍ଟେଟବ୍ୟାଙ୍କ ଏଟିଏମ୍ରୁ ଏହି ଟଙ୍କାକୁ ଉଠାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି। ମୋଟ ୪ଟି ପର୍ଯ୍ୟାୟରେ ଏହି ଟଙ୍କା ଉଠାଯାଇଥିବାର ବ୍ୟାଙ୍କ ସୂଚନା ଦେଇଛି।
ସେ ଓଡ଼ିଶାରେ ରହୁଥିବାବେଳେ ଉତ୍ତରପ୍ରଦେଶ ସୁଲତାନପୁରରୁ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବା କିପରି ସମ୍ଭବ ବୋଲି ବ୍ୟାଙ୍କ ଅଧିକାରୀଙ୍କୁ ସେ ପ୍ରଶ୍ନ କରିଛନ୍ତି। ଏନେଇ ସେ ସମ୍ପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଆଗରେ ପ୍ରତିବାଦ କରିବାରୁ ବ୍ୟାଙ୍କ ଅଧିକାରୀ ମୁଖ୍ୟ କାର୍ଯ୍ୟାଳୟ ସହିତ ଆଲୋଚନା କରିବା ପାଇଁ କହିଛନ୍ତି। ଏନେଇ ସେ ଗମ୍ଭାରୀମୁଣ୍ଡା ଫାଣ୍ଡିରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ସମ୍ପୃକ୍ତ ଠକାମିର ଶିକାର ହୋଇଥିବା ଶିକ୍ଷକ ଜଣକ ଏନେଇ ବାରମ୍ବାର ବ୍ୟାଙ୍କରେ ଅଭିଯୋଗ କରିବା ପରେ ମଧ୍ୟ ବ୍ୟାଙ୍କ ତରଫରୁ ତାଙ୍କୁ ଏ ଦିଗରେ କୌଣସି ସାହାଯ୍ୟ ମିଳିପାରିନାହିଁ। ସେହିପରି ପୋଲିସ୍ ମଧ୍ୟ ଏ ଦିଗରେ ନିରବ ରହିଛି। ଉଭୟ ବ୍ୟାଙ୍କ ଓ ପୋଲିସ୍ ପାଖରୁ କିଛି ସାହାଯ୍ୟ ନପାଇ କ୍ଷୋଭ ପ୍ରକାଶ କରିଛନ୍ତି ଶିକ୍ଷକ ଜଣକ।