ମହାରାଷ୍ଟ୍ରରେ ସରକାର ଗଠନ ନେଇ ଛକାପଞ୍ଝା ଚାଲିଥିବା ଭିତରେ ଆଜି ଶିବସେନାର ବିଧାୟକ ଦଳର ବୈଠକ ହୋଇଛି । ଏହି ବୈଠକରେ ଏକନାଥ ସିନ୍ଦେଙ୍କୁ ବିଧାନସଭାର ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି । ପୂର୍ବରୁ ଆଦିତ୍ୟ ଠାକ୍ରେଙ୍କୁ ନେତା କରିବା ନେଇ ଅନୁମାନ କରାଯାଉଥିଲା । ଓ୍ବର୍ଲି ଆସନରୁ ବିଜୟୀ ହୋଇଥିବା ଆଦିତ୍ୟ ଠାକ୍ରେ ଏକନାଥ ସିନ୍ଦେଙ୍କ ନାମକୁ ପ୍ରସ୍ତାବ ରଖିଥିଲେ । ଏତଦ୍ବ୍ୟତୀତ ଦଳ ତରଫରୁ ସୁନୀଲ୍ ପ୍ରଭୁଙ୍କୁ ବିଧାନସଭାର ଚିଫ୍ ହ୍ବିପ୍ ରୂପେ ମଧ୍ୟ ମନୋନୀତ ହୋଇଛନ୍ତି। ବୈଠକ ପରେ ଶିବସେନାର ବିଧାୟକମାନେ ରାଜ୍ୟପାଳଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ବୈଠକ ପରେ ଶିବସେନାର ସଞ୍ଜୟ ରାଉତ କହିଛନ୍ତି ଯେ, ଆମେ ଆମ ଦାବିରୁ ପଛକୁ ହଟିନାହୁଁ , କିନ୍ତୁ ଆମର ବନ୍ଧୁ (ବିଜେପି) ନିଜ ପ୍ରତିଶ୍ରୁତିରୁ ପଛକୁ ହଟିଛନ୍ତି । ନିର୍ବାଚନର ପରିଣାମ ପରେ ଶିବସେନା ବିଜେପି ସହିତ ୫୦-୫୦ ଫର୍ମୁଲାକୁ ନେଇ ଦୃଢ ରହିଛି ।