ସମୀକ୍ଷା ବ୍ୟୁରୋ
ବାଣପୁର ବ୍ଲକ୍ରେ ବରିଷ୍ଠ ଅଧିକାରୀଙ୍କୁ ଆକ୍ରମଣ କରିବା ଘଟଣା ବେଶ୍ ମହଙ୍ଗା ପଡିଛି ନାଚୁଣୀ କୃଷି ଅଧିକାରୀ ପ୍ରଶାନ୍ତ ମହାପାତ୍ରଙ୍କୁ। କୃଷି ବିଭାଗର ବରିଷ୍ଠ ଅଧିକାରୀଙ୍କୁ ସରକାରୀ କାର୍ଯ୍ୟାଳୟ ମଧ୍ୟରେ ଆକ୍ରମଣ କରିବା ତଥା ଗାଳିଗୁଲଜ କରିବା ଅଭିଯୋଗରେ ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ଦାୟିତ୍ବରୁ ଅବ୍ୟାହତି ଦିଆଯାଇଛି । ତାଙ୍କ ଉପରେ ନ୍ୟସ୍ତ ଥିବା ସମସ୍ତ ପ୍ରଶାସନିକ ଦାୟିତ୍ୱରୁ ତାଙ୍କୁ ଅବ୍ୟାହତି ଦିଆଯିବା ସହିତ ତାଙ୍କୁ ତାଙ୍କ ସମସ୍ତ ପ୍ରଶାସନିକ ଦାୟିତ୍ବକୁ ଯଥାଶୀଘ୍ର ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ରହିଛି। ନାଚୁଣୀ ସହକାରୀ କୃଷି ଅଧିକାରୀ ଭାବରେ ତାଙ୍କର ବ୍ୟବହାର ସହକର୍ମୀଙ୍କ ପାଇଁ ବିପଦପୂର୍ଣ୍ଣ ରହିବା ସହିତ ଚାଷୀମାନଙ୍କ ପ୍ରତି ତାଙ୍କ କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କୁ ଏହି ଦାୟିତ୍ବରୁ ଅବ୍ୟାହତି ଦିଆଯାଇଛି।
ସୂଚନାଅନୁସାରେ ଗତ ୨୮ତାରିଖରେ ଡିଏଓ ବିଜୟ କୁମାର ମହାନ୍ତିଙ୍କୁ ନାଚୁଣୀର ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ର କାର୍ଯ୍ୟାଳୟରେ ଅନ୍ୟ କର୍ମଚାରୀଙ୍କ ସମ୍ମୁଖରେ ଗାଳିଗୁଲଜ କରିବା ସହିତ ଚାପୁଡା ମାରିଥିବାର ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ଡିଏଓଙ୍କ ପକ୍ଷରୁ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା କୃଷି ନିର୍ଦ୍ଦେଶକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।