ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରିଣାମ ଆସିବାର ଆଠ ଦିନ ହୋଇଗଲାଣି। କିନ୍ତୁ ଏଠାରେ ସରକାର ଗଠନ କରିବାକୁ ନେଇ ସଂଶୟ ଏବେବି ରହିଛି। ଏଠାରେ ଶିବସେନା – ବିଜେପି ମେଣ୍ଟ ସରକାର ଗଠନ ହେବାକୁ ଥିବାବେଳେ ମେଣ୍ଟରେ ମତପାର୍ଥକ୍ୟ ଦେଖାଦେଇଛି। ଶିବସେନା ନିଜ ସର୍ତ୍ତ ମୁତାବକ ୫୦ -୫୦ ଫର୍ମୁଲାକୁ ନେଇ ଅଡି ବସିଛନ୍ତି। ବିଜେପି ବିଧାୟକ ଦଳର ନେତା ଭାବେ ଦେବେନ୍ଦ୍ର ଫଡ୍ନବୀସ୍ ହୋଇଥିବାବେଳେ ଶିବସେନା ବିଧାୟକ ଭାବେ ଏକନାଥ ସିନ୍ଧେ ନିର୍ବାଚିତ ହୋଇଛନ୍ତି। ତେବେ ମିଳିଥିବା ସୂଚନା ଅନୁସାରେ ଶିବସେନା ସଞ୍ଜୟ ରାଉତ ଗତକାଲି ଏନସିପି ପ୍ରମୁଖ ଶରଦ ପାଓ୍ବାରଙ୍କ ସହିତ ସାକ୍ଷାତ କରିଛନ୍ତି। ଅବଶ୍ୟ ଏହି ସାକ୍ଷାତକୁ ଦିପାବଳୀ ଅବସରରେ ସୌଜନ୍ୟମୂଳକ କହିଥିବାବେଳେ ଏଥିରେ କିଛି ରାଜନୀତିର ଗନ୍ଧ ଜଣାପଡୁଛି। ବିଜେପି ସହିତ କ୍ଷମତା ଅଧିକାରକୁ ନେଇ ଅସନ୍ତୁଷ୍ଟ ରହିଥିବା ଶିବସେନା ଏନ୍ସିପି ତଥା ଅନ୍ୟାନ୍ୟ ସ୍ବାଧୀନ ଦଳମାନଙ୍କ ସହିତ ମେଣ୍ଟ କରି ନିଜର ଶକ୍ତି ବୃଦ୍ଧି କରିବା ଚକ୍କର ରହିଥିବା ଜଣାପଡିଛି। ନିକଟରେ ସଞ୍ଜୟ ରାଉତ କହିଛନ୍ତି ଯେ, ଚଳିତ ଥର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶିବସେନାର ହେବ। ଶିବସେନା ଦୁଇ ତୃତୀୟାଂଶ ବହୁମତ ହାସଲ କରିପାରିବ। ବର୍ତ୍ତମାନ ମହାରାଷ୍ଟ୍ରର ରାଜନୀତି ପାଣିପାଗ ବେଶ୍ ଗୋଳିଆ ଦେଖାଯାଉଛି। ଶିବସେନା ବିଧାୟକ ଦଳ ବୈଠକ ପରେ ନିଜ ଦାବିରୁ ଓହରି ନାହିଁ, ବରଂ ତାଙ୍କ ବନ୍ଧୁ ନିଜ ପ୍ରତିଶ୍ରୁତିରୁ ଓହରି ଯାଇଥିବାର କହିଥିଲେ ସଞ୍ଜୟ। ତେବେ ମହାରାଷ୍ଟ୍ର ରାଜନୀତିର ରୂପରେଖ କ’ଣ ନେବେ, ତାହା ଆଗାମୀ ସମୟ ହିଁ କହିବ।