ସ୍ବଚ୍ଛ ଭାରତ ଅଭିଯାନ ଜରିଆରେ ନେତାମାନେ ଝାଡୁ ଲଗାଉ ଥିବାବେେଳେ ଏହି କ୍ଷେତ୍ରରେ ଆଉ ଟିକେ ଆଗକୁ ପାଦ ବଢାଇଛନ୍ତି କମଲନାଥ ସରକାରଙ୍କ ଜଣେ ମନ୍ତ୍ରୀ। ନାଳ ସଫା କରିବା ପାଇଁ ନିଜେ ନାଳ ଭିତରେ ପଶି ନାଳ ସଫା କରିଛନ୍ତି। ରବିବାର ମଧ୍ୟପ୍ରଦେଶର ଖାଦ୍ୟ ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂହ ତୋମାର୍ ଗ୍ବାଲିୟରର ବିର୍ଲା ନଗର ଅଞ୍ଚଳର ଏକ ଅପରିଷ୍କାର ନାଳକୁ ସଫା କରିଛନ୍ତି। ଏହି ନାଳଟି ଅଳିଆ ଆବର୍ଜନାରେ ପୋତି ହୋଇପଡିଥିବାରୁ ରାସ୍ତାରେ ନର୍ଦ୍ଦମା ପାଣି ବୋହୁଥିଲା। ଏହାକୁ ଦେଖି ମନ୍ତ୍ରୀ ନିଜେ ନାଳରେ ପଶି କୋଦାଳ ସାହାଯ୍ୟରେ ଆବର୍ଜନାକୁ ସଫା କରିଛନ୍ତି। ଏହା ଦେଖି ଅନ୍ୟମାନେ ମଧ୍ୟ ମନ୍ତ୍ରୀଙ୍କୁ ଏହି ସଫେଇ କାର୍ଯ୍ୟରେ ସାହାଯ୍ୟ କରିଥିଲେ। ମନ୍ତ୍ରୀଙ୍କ ଏପରି କାର୍ଯ୍ୟକୁ ବେଶ୍ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକେ।
ପୂର୍ବରୁ ଗ୍ବାଲିୟରର ରେଳଷ୍ଟେସନର ଶୌଚାଳୟ ମଧ୍ୟ ସଫା କରିଥିଲେ ପ୍ରଦ୍ୟୁମ୍ନ। ଦେଶରେ କିଛି ଦିନ ଧରି ନାଳ ତଥା ସ୍ବେରାଜ ସଫେଇକୁ ନେଇ ଏକ ବିବାଦ ଚାଲିଛି। ମଣିଷଙ୍କ ଦ୍ବାରା ସ୍ବେରାଜ ନାଳ ସଫାଇ ନ କରାଯାଇ ମେସିନ୍ ଦ୍ବାରା କରାଯାଉ ବୋଲି ଦାବି ଚାଲିଥିବାବେଳେ ମନ୍ତ୍ରୀଙ୍କ ନାଳ ସଫେଇକୁ ନେଇ କିଛି ଲୋକ ନାକ ଟେକିବା ସହିତ ନାକାରାତ୍ମକ ମନ୍ତବ୍ୟ ଦେଇଛନ୍ତି। ମନ୍ତ୍ରୀ ଏପରି ନାଳ ସଫା କରିବା ଦ୍ବାରା ସରକାରୀ ବିଭାଗ ଠିକ୍ରେ କାମ କରୁନାହିଁ ବୋଲି ଜଣାପଡୁଛି ବୋଲି ଏପରି କିଛି ମନ୍ତବ୍ୟ ଶୁଣିବାକୁ ମିଳିଛି।